ଏଠି ପରମ୍ପରା ଏକ ବିଡ଼ମ୍ବନା; ବିବାହ ଏକ ଅର୍ଥନୈତିକ ସଙ୍କଟ

0

ରାଞ୍ଚି: ରାଜୁ ମାହାଲି ଓ ମନକି ଦେବୀ ଦୀର୍ଘ ୨୦ବର୍ଷ ଧରି ଏକତ୍ର ରହୁଛନ୍ତି। ଉଭୟଙ୍କ ଏଭଳି ରହଣି ନିଜ ଇଚ୍ଛାରେ ନୁହେଁ ବରଂ ବାଧ୍ୟବାଧକତା। ଗରିବୀ ଏମାନଙ୍କୁ ବାଧ୍ୟ କରୁଛି ଏଭଳି ରହଣି ପାଇଁ। ଝାଡ଼ଖଣ୍ଡର ଗୁମଲା ଜିଲାର ଛରକାତନଗରରେ କେବଳ ରାଜୁ କାହିଁକି ୧୦୦ରୁ ଊଦ୍ଧ୍ୱର୍ ଅନୁରୂପ ଦମ୍ପତି ବିବାହ ନ କରି ଏକତ୍ରିତ ରହୁଛନ୍ତି। ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ସୋମବାର ଏହି ଗ୍ରାମରେ ଅନୁଷ୍ଠିତ ଏକ ଗଣବିବାହ କାର୍ଯ୍ୟକ୍ରମରେ ଏଭଳି ୧୩୨ଟି ପରିବାର ବିବାହ ବନ୍ଧନରେ ବାନ୍ଧି ହୋଇଯାଇ ଥିଲେ। ଏହି ବିବାହରେ ୪୦ବର୍ଷ ବୟସ୍କ ଏକ ଦମ୍ପତିଙ୍କୁ ବିବାହ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।
ଝାଡ଼ଖଣ୍ଡର ମୁଣ୍ଡା, ହୋ, ଓରାଅନ ସମ୍ପ୍ରଦାୟ ମଧ୍ୟରେ ବିବାହ ନକରି ଏକତ୍ର ରହିବା ଏକ ଅଲିଖିତ ପରମ୍ପରାରେ ପରିଣତ ହୋଇଯାଇଛି। କାରଣ ଏଠାରେ ବିବାହ ପାଇଁ ଇଚ୍ଛୁକ ଦମ୍ପତି ସାମାନ୍ୟ ପାରମ୍ପରିକ ଖର୍ଚ୍ଚ ବହନ କରିବାକୁ ମଧ୍ୟ ଅସମର୍ଥ। ବିବାହ ନକରି ବସବାସ କରୁଥିବା ପରିବାରକୁ ସ୍ଥାନୀୟ ଭାଷାରେ “ଧୁଖୁଆ’ ଭାବେ ନାମିତ କରାଯାଇଛି। ଏଠାରେ ଜଣେ ଯୁବତୀ ତଥା ମହିଳାଙ୍କୁ ସାମାଜିକ ଭାବେ ଜଣେ ବ୍ୟକ୍ତିଙ୍କ ସହ ବସବାସ କରିବାକୁ ଅନୁମତି ପ୍ରଦାନ କରାଯାଇ ଥାଏ। କିନ୍ତୁ ବର୍ଷ ବର୍ଷ ଧରି ଉଭୟ ଏକତ୍ରିତ ରହିବା ପରେ ମଧ୍ୟ ଉକ୍ତ ମହିଳାଙ୍କୁ ପତ୍ନୀର ମାନ୍ୟତା ମିଳିବା ପରିବର୍ତ୍ତେ “ଧୁଖୁନୀ’ ନାମରେ ନାମିତ କରାଯାଇ ଥାଏ। ମହିଳା ଉକ୍ତ ବ୍ୟକ୍ତିର ପତ୍ନୀ ନହୋଇ ମଧ୍ୟ ପରିବାରର ସମସ୍ତ ପ୍ରଥାକୁ ପାଳନ କରେ। ପରିବାରର ଅର୍ôଥକ ଅବସ୍ଥାରେ ସୁଧାର ଆସିଲେ ବିବାହ କରି ପତ୍ନୀର ମାନ୍ୟତା ପାଇଁ ଅପେକ୍ଷା କରିଥାଏ।
ମାହି ନାମକ ଜଣେ ଯୁବକ ଉକ୍ତ ଗ୍ରାମର ଏକ ଛୋଟ ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରେ। ମାହି ଦୀର୍ଘ ୪ବର୍ଷ ଧରି ଉକ୍ତ ଗ୍ରାମର ଜଣେ ଯୁବତୀଙ୍କ ସହ ବସବାସ କରୁଛନ୍ତି। ଉଭୟଙ୍କ ପକ୍ଷରୁ ଏକ କନ୍ୟା ଓ ପୁତ୍ର ସନ୍ତାନ ରହିଛି। ତେଣୁ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ମାହିଙ୍କ ବିବାହ ଅନୁଷ୍ଠିତ ହୋଇଥିଲା।
ପରମ୍ପରାର ବିଡ଼ମ୍ବନା – ଧୁଖୁନୀ ଭାବେ ଜଣେ ଯୁବତୀଙ୍କୁ ସାମାଜିକ ମାନ୍ୟତା ମିଳୁଥିଲେ ମଧ୍ୟ ସମାଜରେ ତାକୁ ଦ୍ୱିତୀୟ ନାଗରିକ ଭାବେ ବସବାସ କରିବାକୁ ପଡ଼ିଥାଏ। ଜଣେ ଧୁଖୁନୀ ଭାବେ ଗ୍ରାମର ଯୁବତୀ ସନ୍ତାନ ଜନ୍ମ କରୁଥିଲେ ମଧ୍ୟ ସାମାଜିକ କାର୍ଯ୍ୟକ୍ରମରେ ତାକୁ ଜଣେ ବିବାହିତ ମହିଳାର ମାନ୍ୟତା ମିଳି ନଥାଏ।
ପୂର୍ବରୁ ମଧ୍ୟ ଏକ ଗଣବିବାହର ଆୟୋଜନ ଉକ୍ତ ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୭୬ଜଣ ଦମ୍ପତିଙ୍କ ମଧ୍ୟରୁ ୩୬ଜଣ ହିନ୍ଦୁ ପରମ୍ପରାରେ ବିବାହ କରିଥିବାବେଳେ ୨୦ଜଣ ଖ୍ରୀଷ୍ଟ୍ରିଆନ ପରମ୍ପରା ଅନୁଯାୟୀ ବିବାହ କରିଥିଲେ। ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଅନୁଷ୍ଠିତ ବିବାହରେ ପ୍ରତି ଦମ୍ପତ୍ତିଙ୍କୁ କେବଳ ୧୦ଜଣ ଅତିଥିଙ୍କୁ ଆମନ୍ତ୍ରିତ କରିବାର ସୁଯୋଗ ମିଳିଥାଏ। ତେଣୁ ସ୍ୱେଚ୍ଛାସେବୀ ସଂଗଠନର ପ୍ରଚେଷ୍ଟାରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲେ ମଧ୍ୟ ନବଦମ୍ପତିଙ୍କୁ ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କୁ ହାଣ୍ଡିଆ, ଭାତ ମାଂସ ଭୋଜି ଆକାରରେ ପ୍ରଦାନ କରିବାର ନିୟମ ରହିଛି। ଏହି ଭୋଜିରେ ଗ୍ରାମବାସୀ ଉକ୍ତ ଦମ୍ପତିଙ୍କୁ ପତିପତ୍ନୀର ମାନ୍ୟତା ଦେବା ସହ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଗ୍ରାମର ବୟୋଜ୍ୟେଷ୍ଠ ଭୋଜି ନ ଖାଇବା ପର୍ଯ୍ୟନ୍ତ ନବଦମ୍ପତିଙ୍କୁ ଆଶୀର୍ବାଦ କରିବାକୁ ଆସନ୍ତି ନାହିଁ।
ଗ୍ରାମର ସାଙ୍ଗାଇନ ମାନଝାରିନ୍‍ ଦୀର୍ଘ ୧୨ବର୍ଷ ପୂର୍ବେ ଏଭଳି ଏକ ଗଣବିବାହ ଅବସରରେ ଦମ୍ପତିର ମାନ୍ୟତା ପାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କୁ ଭୋଜି ଦେବାରେ ଅସଫଳ ହେବାରୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପତି-ପତ୍ନୀର ମାନ୍ୟତା ମିଳି ନାହିଁ। ସାମାଜିକ ପ୍ରତିବନ୍ଧକ ହେତୁ ସାଙ୍ଗାଇନର ଦ୍ୱିତୀୟ ସନ୍ତାନକୁ ସ୍ଥାନୀୟ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଆବାସିକ ବିଦ୍ୟାଳୟରେ ଭର୍ତ୍ତି କରାଯାଇଛି।
ତେଣୁ ଗଣ ବିବାହ ସମସ୍ୟାର ସମାଧାନ ନୁହେଁ ବୋଲି ଉକ୍ତ ଗ୍ରାମର ସାମାଜିକ କର୍ମୀ ଭାସି କିରୋ ମତବ୍ୟକ୍ତ କରିଛନ୍ତି। ଧୁଖୁଆ ଦମ୍ପତିଙ୍କୁ ଉକ୍ତ ସମ୍ପ୍ରଦାୟରେ ମାନ୍ୟତା ଦେଇଛନ୍ତି। କାରଣ ସେମାନେ ଜାଣନ୍ତି ସମସ୍ତଙ୍କ ପାଇଁ ବିଶାଳ ଆୟୋଜନ କରି ପାରମ୍ପରିକ ବିବାହ ଅନୁଷ୍ଠିତ କରିବା ସମ୍ଭବ ନୁହେଁ। ତେଣୁ ଧୁଖୁଆ ଦମ୍ପତିଙ୍କୁ ପର୍ଯ୍ୟାପ୍ତ ସମୟ ମଧ୍ୟ ପ୍ରଦାନ କରାଯାଏ ଏହି ଅନୁଷ୍ଠାନର ଆୟୋଜନ ପାଇଁ। ଏହି ପ୍ରକ୍ରିୟା ଉକ୍ତ ଦମ୍ପତିକୁ ଆଗାମୀ ଦିନରେ ନିଜ ପରିସ୍ଥିତି ସହ ସଂଘର୍ଷ କରିବାକୁ ପ୍ରବର୍ତ୍ତାଇ ଥାଏ ବୋଲି ଭାସି କିରୋ ଯୁକ୍ତି ଦର୍ଶାଇଛନ୍ତି। ତେଣୁ ଗଣବିବାହକୁ ମଧ୍ୟ ଗ୍ରାମର ବୟୋଜ୍ୟେଷ୍ଠମାନେ ସମର୍ଥନ କରୁନାହାନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି।

Leave A Reply