ମୋଦୀଙ୍କ ବକ୍ତବ୍ୟ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାକୁ ଉଦ୍ଦିଷ୍ଟ

0

ଭୁବନେଶ୍ୱର : ନିର୍ବାଚନ ପାଖେଇ ଆସିବା ସହିତ ନେତାଙ୍କ ହାବଭାବ ବି ବଦଳୁଛି। ଦୀର୍ଘ ଦିନର ବ୍ୟବଧାନ ପରେ ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଦୁଇଟି ସାଧାରଣ ସଭାରେ ବିଜେଡ଼ି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବର୍ଷିଛନ୍ତି। ପିସି କାରବାରଠାରୁ ଆରମ୍ଭ କରି ଚାରା, ପଲିଥିନ ଆଦି ଦୁର୍ନୀତି କଥା ଉଠାଇଛନ୍ତି। ଭ୍ରଷ୍ଟାଚାର ସରକାରଙ୍କ ନୂଆ ପରିଚୟ ହୋଇଛି ବୋଲି ପରିସହସରେ କହିବାକୁ ପଛାଇନାହାନ୍ତି। ତେବେ ମୋଦୀଙ୍କ ଏହି ଆକ୍ରମଣର କଡ଼ା ଜବାବ ଦେଇଛନ୍ତି ନବୀନ।
ଝାରସୁଗୁଡ଼ାରୁ ଫେରିବା ପରେ ପିସି କାରବାର ଉପରେ ପ୍ରଧାନମନ୍ତ୍ରୀ ରଖିଥିବା ମନ୍ତବ୍ୟ ଉପରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ମନ୍ତବ୍ୟ ଦେଇଛନ୍ତି। ବାସ୍ତବ କଥା ହେଲା ସେମାନେ ନିଜର ଦକ୍ଷତା ମିଶନ ଓ ଉଜ୍ଜ୍ୱଳା ଦୁର୍ନୀତି ବିଷୟରେ ଚିନ୍ତା କରିବା ଦରକାର। ପେଟ୍ରୋଲ ଓ ଡ଼ିଜେଲର ଦର ଆକାଶଛୁଅାଁ ବୃଦ୍ଧି ପାଇବା ଫଳରେ ଦେଶର ଜନସାଧାରଣ କି ପ୍ରକାର ଦୁର୍ଦଶା ଭୋଗୁଛନ୍ତି ସେ ବିଷୟରେ ମଧ୍ୟ ସେମାନେ ଗୁରୁତର ଭାବେ ଚିନ୍ତା କରିବା ଦରକାର।
ଓଡ଼ିଶାର ସ୍ୱାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା ଯୋଜନା ଉପରେ ମୋଦୀଙ୍କ ସମାଲୋଚନାର ଜବାବରେ ନବୀନ କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ଅଧିକ ୫୦ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯାଇଛି ଯାହା କେନ୍ଦ୍ରୀୟ ଯୋଜନାରେ ନାହିଁ। ଏହି ଯୋଜନାରେ ଆମେ ମହିଳାଙ୍କ ପାଇଁ ୭ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସହାୟତା ଯୋଗାଇବୁ। ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ଆମେ ଅଧିକ ୨୫ ଲକ୍ଷ ଗରିବ ହିତାଧିକାରୀଙ୍କୁ ସହାୟତା ଯୋଗାଇବାକୁ ନିଷ୍ପତ୍ତି ନେଇଛୁ। ରାଜ୍ୟସଭା ଉପାଧ୍ୟକ୍ଷ ପଦ ବିଜେଡ଼ିକୁ ଯଚାଯାଇଥିଲା ବୋଲି ବିଜେପି ନେତାମାନେ ରଖୁଥିବା ମନ୍ତବ୍ୟ ସମ୍ପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ସତ୍ୟ ନୁହେଁ। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରଥମେ ନୀତିଶ କୁମାରଙ୍କ ଜେଡିୟୁ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଥିଲା ବୋଲି କହିଥିଲେ।
ସାମ୍ବାଦିକମାନଙ୍କୁ ଶ୍ରୀ ପଟ୍ଟନାୟକ କହିଥିଲେ, ‘ତାଳଚେର ସାର କାରଖାନା ଶିଳାନ୍ୟାସ ଉତ୍ସବରେ ମୁଁ ଦାବି କରିଥିଲି ଯେ ନୂତନ ବୈଷୟିକ କୌଶଳରେ ପ୍ଲାଣ୍ଟରୁ ୟୁରିଆ ସାର ଉତ୍ପାଦନ କରାଯାଇ ସେଥିରୁ ୫୦ ପ୍ରତିଶତ ସାର ଓଡ଼ିଶାର ଚାଷୀମାନଙ୍କୁ ଦିଆଯାଉ। ସେହିପରି ଝାରସୁଗୁଡ଼ା ଠାରେ ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ଯେଉଁ ଅନୁରୋଧ କରିଥିଲି, ପ୍ରଧାନମନ୍ତ୍ରୀ ତାହା ଗ୍ରହଣ କରି ଏହାକୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଭାବେ ଘୋଷଣା କରିଛନ୍ତି’।

Leave A Reply