‘କାଳିଆ’କୁ କେହି ବନ୍ଦ କରିପାରିବେ ନାହିଁ : ନବୀନ

0

ବରଗଡ଼ : ‘କାଳିଆ’କୁ କେହି ବନ୍ଦ କରିପାରିବେ ନାହିଁ। ‘କାଳିଆ’ ଯୋଜନା ସାରା ଦେଶକୁ ବାଟ ଦେଖାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବରଗଡ଼ ଜିଲା ସୋହେଲା ବ୍ଲକର ଇଚ୍ଛାପାଲୀ ଠାରେ ଗୁରୁବାର ଅନୁଷ୍ଠିତ ଚାଷୀ ମହାସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଏଥିସହିତ କେନ୍ଦ୍ର ସରକାରଙ୍କ ‘କିଷାନ’ ଯୋଜନାକୁ ସମାଲୋଚନା କରି ସେ କହିଛନ୍ତି, ‘‘ଏଥିରେ ଛୋଟ ଚାଷୀ, ଜମି ନଥିବା ଚାଷୀ ଓ ଭାଗ ଚାଷୀଙ୍କ ପାଇଁ କୌଣସି ସୁବିଧା ନାହିଁ। ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛି ଯେ ଏହି ସବୁ ଚାଷୀଙ୍କୁ ଯୋଜନାରେ ସାମିଲ କରନ୍ତୁ’’।

ବରଗଡ଼ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୫୧୫ କୋଟିରୁ ଅଧିକ ଟଙ୍କାର ୧୭ଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ୧୪୯୫ କୋଟିରୁ ଅଧିକ ଟଙ୍କାର ୩୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସୂଚନାଯୋଗ୍ୟ, ସୋହେଲା, ବରପାଲୀ, ବିଜେପୁର ବ୍ଲକର ୨୫୬୦୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇଦେବା ପାଇଁ ବିଜେପୁରଠାରେ ୧୩୪୦ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଗଙ୍ଗାଧର ମେହେର ବୃହତ ଉଠା ଜଳସେଚନ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ୧୪ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଦ୍ବିତୀୟ ପର୍ଯ୍ୟାୟ ’କାଳିଆ’ ସହାୟତା ରାଶି ପ୍ରଦାନ କରିଛନ୍ତି। ଏଥିସହିତ ଆଉ ୧୨ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ସହାୟତା ରାଶି ଯିବ ବୋଲି ସେ କହିଛନ୍ତି। ପୁରୀ, ଗଞ୍ଜାମ, କେନ୍ଦୁଝର ଓ କେନ୍ଦ୍ରାପଡା ପରେ ଆଜି ବରଗଡ଼ରେ ଏହି ଚାଷୀ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି। ନଗଦ ସୁବିଧା ହସ୍ତାନ୍ତର ଯୋଜନାରେ ଚାଷୀଙ୍କ ଖାତାରେ ଟଙ୍କା ଜମା କରାଯାଉଛି। ମୋଟ ୭୦୦ କୋଟିରୁ ଅଧିକ ଟଙ୍କା ସିଧାସଳଖ ଚାଷୀଙ୍କ ଖାତାରେ ଜମା କରାଯାଉଛି।

ଅନ୍ୟପକ୍ଷରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଥିବା ବେଳେ, ବରଗଡ଼ରେ ସରକାରଙ୍କ ପକ୍ଷରୁ ଚାଷୀ ଏହି ମହାସମାବେଶର ଆୟୋଜନ କରାଯାଇଛି।

 

Leave A Reply