ରାଜ୍ୟ ସ୍ତରୀୟ ଲଉଡି ଉତ୍ସବ ଉଦ୍‍ଘାଟିତ

0

ନେମାଳ : ପଞ୍ଚସଖା ଯୁଗର ଶ୍ରେଷ୍ଠ ସାଧକ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ବିଜେସ୍ଥଳୀ ପଦ୍ମବନ ପୀଠ ନେମାଳଠାରେ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ପଞ୍ଚବିଂଶତମ ରାଜ୍ୟସ୍ତରୀୟ ଲଉଡି ଉତ୍ସବ ଉଦ୍‍ଘାଟନ କରାଯାଇଛି। ଯାଦବ ମହାସଭା ପଦ୍ମବନ ପୀଠ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟୁଷରୁ ଅଚ୍ୟୁତାନନ୍ଦଙ୍କ ମହାସ୍ନାନ, ନବ ବସ୍ତ୍ର ପରିଧାନ, ଚନ୍ଦନ ପୁଷ୍ପ ଲାଗି, ମଙ୍ଗଳ ଆଳତୀ, ଧୂପ ନେବେଦ୍ୟ, ପହିଲି ଭୋଗ ଆଦି ଅର୍ପଣ କରାଯାଇଥିଲା। ଏହି ଅବସରରେ ଗୋପୀନାଥ ଜୀଉ ମନ୍ଦିରସ୍ଥିତ ରାଧାକୃଷ୍ଣଙ୍କ ସମେତ ପାର୍ଶ୍ବଦେବତାମାନଙ୍କୁ ନୂତନ ବସ୍ତ୍ର ପରିଧାନ ଓ ଯଥାବିଧି ପୂଜାର୍ଚ୍ଚନା କରାଯାଇଥିଲା। ଚତୁର୍ଦ୍ଦଶୀ ସନ୍ଧ୍ୟାରେ ଚିତ୍ରୋତ୍ପଳା ନଦୀରେ ଜଳ କୁମ୍ଭ ବୁଡା ଯାଇ ରାହାସ ମଣ୍ଡପ ଓ ଗୋପୀନାଥ ଜୀଉଙ୍କ ମନ୍ଦିରରେ କଳସ ସ୍ଥାପନ କରାଯାଇଥିଲା। ସନ୍ଧ୍ୟା ଆଳତୀ ପରେ ପ୍ରଭୁଙ୍କ ପାଖରେ ଅଷ୍ଟଗୁଜରୀ ଏବଂ ଭାଗବତ ପଠନ ପରେ ସଭାପତି ଗୋପୀନାଥ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ଦେ ଉତ୍ସବକୁ ଉଦ୍‍ଘାଟନ କରିଥିଲେ।

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦ୍ୱାପର ଯୁଗର ସଂସ୍କୃତିକୁ ପୁନଃ ଜୀବିତ କରିବା ନିମନ୍ତେ ଆଠ ଖଣ୍ଡ ଲଉଡି ଗ୍ରନ୍ଥ ରଚନା ପୂର୍ବକ ଓ ଗ୍ରାମେ ଗ୍ରାମେ ଲଉଡି ଟୁଙ୍ଗୀ ପ୍ରତିଷ୍ଠା ପାଇଁ ଗୋଗଷ୍ଟରେ କରିଥିବାର କିମ୍ବଦନ୍ତୀ ରହିଛି ଏବଂ ସମଗ୍ର ଓଡିଶାରେ ଯାଦବମାନେ ଫଗୁ ଦୋଳ ଦଶମୀଠାରୁ ଦ୍ୱାଦଶ ଦୋଳ ପର୍ଯ୍ୟନ୍ତ ଏହି ଉତ୍ସବକୁ ପାଳନ କରିଥାନ୍ତି ବୋଲି ସେଥିରେ ଉଲ୍ଲେଖ କରିଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲାପରିଷଦ ତଥା ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରାକ୍ତନ ସରପଞ୍ଚ ଦେବେନ୍ଦ୍ର ନାଥ ସାହୁ, ବରିଷ୍ଠ ପୂଜକ ରତ୍ନାକର ପୂଝାରୀ, ଯାଦବ ମହାସଭାର ସଂପାଦକ ପ୍ରସାଦ ଦାସ, ଅଜୟ କୁମାର ପୃଷ୍ଟି, ହରେକୃଷ୍ଣ ପୂଝାରୀ ପ୍ରମୁଖ ଯୋଗଦେଇ ଅଚ୍ୟୁତାନନ୍ଦଙ୍କ ସାରସ୍ୱତ କୃତୀ ମଧ୍ୟରୁ ଲଉଡି ଗୀତ ଓ ଉଗାଳ ଅତ୍ୟନ୍ତ ଲୋକାଭିମୁଖି ବୋଲି ମତବ୍ୟକ୍ତ କରିଥିଲେ। ଓଡିଶାର କୋଣ ଅନୁକୋଣରୁ ବହୁ ଲଉଡି ଦଳ କ୍ରମାନ୍ୱୟରେ ନିଜ ନିଜର ଲଉଡି ନୃତ୍ୟ ପରିବେଶଣ କରିଥିଲେ। ଅଚ୍ୟୁତଙ୍କ ରଚିତ ହରିବଂଶ, ଭବିଷ୍ୟ ମାଳିକା ଓ ଗୋପାଳଙ୍କ ଉଗାଳ ଗାନ କରାଯାଇଥିଲା। ଗୋପାଳମାନେ ସୁ ସଜିତ ହୋଇ ପ୍ରର୍ଯ୍ୟୟକ୍ରମେ କୃଷ୍ଣ ଜନ୍ମ ପ୍ରଭୃତି ତଥ୍ୟ ଭିତ୍ତିକ ବିଚାର ବସ୍ତୁ ଉପରେ ଆଧାରିତ ଗୀତ ଗାନ କରି ପାରମ୍ପରିକ ଲଉଡି ନୃତ୍ୟ ପରିବେଶଣ କରିଥିଲେ।ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରମୁଖ ଲଉଡି ଦଳମାନେ ଅଂଶଗ୍ରହଣ କରିଥିବା ବେଳେ ନେମାଳ, ପାଳଦା, ବିଲିପାଳଦା, ନଗସପୁର, ଆଠମାଣିଆ, ପାଗା, ତିର୍ତ୍ତୋଲ ,ଶାଳୀ ଜଙ୍ଗ ,ମହାଜନପୁର ,ଓଡଖଣ୍ଡ , କାଳୀକାପୁର , ସମତେ ବହୁ ଅଞ୍ଚଳରୁ ଲଉଡି ଦଳମାନେ ଆସିଥିବାର ଦେଖାଯାଇଛି। ନେମାଳ ନଉଡି ଦଳର ମୁଖ୍ୟ ନଟବର ଦସ ଓ ସାଥି କଳାକାର ଲଉଡି ପରିବେଷଣ କରିଥିବା ବେଳେ ଉପସଭାପତି କାର୍ତ୍ତିକ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିଲା ,ଆୟବେୟ ସମିକ୍ଷକ ଭାବେ ସାମ୍ବାଦିକ ଗୋବିନ୍ଦ ଦାସ, ପଣ୍ଡିତ ଶତୃଘ୍ନ ଦାସ,ଦ୍ୱିଜବର ଦାସ, ରାଧେଶ୍ୱ୍ୟାମ ଦାସ. ବଟକୃଷ୍ଣ ଦାସ, ପ୍ରତାପ ଚନ୍ଦ୍ର ଦାସ, ବିଷ୍ଣୁ ଚରର ଦାସ, ପର୍ଶୁରାମ ଦାସ, ନିକେଶ ଦାସ,ଦେବେନ୍ଦ୍ରନାଥ ଦାସ ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ। ଶେଷରେ ଯାଦବ ମହାସଭାର କୋଷାଧ୍ୟକ୍ଷ ଦିବାକର ଦାସ ଧନ୍ୟବାଦ୍‍ ଅର୍ପଣ କରିଥିଲେ।

Leave A Reply