ଭଲ ପାଇ ବାହା ହୋଇଥିଲା, ଭଲ ପାଇ ଜୀବନ ନେଲା

0

ବାଲେଶ୍ୱର: ବହୁ ପୁରୁଣ କଥା ପ୍ରଚଳିତ ଅଛି ‘ପ୍ରେମ ଅନ୍ଧ’। ପ୍ରେମରେ ଅନ୍ଧ ହୋଇ କିଏ ଯୋଗୀ ହୋଇ ଯାଏ ତ ପୁଣି କିଏ ଜୀବନ ହାରିଦିଏ । ହେଲେ ଏଇ ପ୍ରେମ ପାଇଁ ଜଣେ ପତ୍ନୀ ନିଜ ପତିକୁ ହତ୍ୟା କରିଛନ୍ତି । ପ୍ରେମ ପାଇଁ ୧୫ ବର୍ଷର ଝିଅ, ୧୨ ବର୍ଷର ପୁଅ ମୁହଁକୁ ବି ଚାହିଁଲା ନାହିଁ । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଶେରଗଡ଼ ଗାଁରେ ଘଟିଛି ।

ଘଟଣା ଏହିପରି, ୨୦ ତାରିଖ ସକାଳେ ଶେରଗଡ଼ ଅଞ୍ଚଳରେ ଚହଳ ପଡ଼ି ଯାଇଥିଲା । ଜୟଦେବଦାସ ପ୍ରଧାନ ଓରଫ କାଳିଅକୁ କେହି ଘରେ ପଶି ନିର୍ମମ ଭାବେ ମୁଣ୍ଡରେ କୁରାଡ଼ିରେ ଛେଚି ହତ୍ୟା କରି ଦେଇଥିବା ପ୍ରଚାର ହେବା ପରେ ଗାଁଲୋକଙ୍କ ଗହଳି ବଢ଼ିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ଓ କୁକୁର ସହ ତଦନ୍ତ ଚଳାଇଥିଲା । ତେବେ କୌଣସି କୂଳ କିନାରା ପାଇ ନଥିଲା । ତେବେ ୨୧ ତାରିଖରେ ପୁଲିସ ହାତରେ ପଡ଼ିଥିଲା ମୃତ ଜୟଦେବଦାସ ଓରଫ କାଳିଆର ପତ୍ନୀ ମାଣିକ ଓରଫ ତିଳୋତ୍ତମା ଦାସଙ୍କ ମୋବାଇଲ୍‌ ଫୋନର କଲ ଡିଟେଲ । ଆଉ ତା’ରେ ସବୁକିଛି ସଫାସଫା ଜଣାପଡ଼ିଯାଇଥିଲା ଏହି ହତ୍ୟାକାଣ୍ଡ ପଛରେ ଥିବା ମୂଳ ରହସ୍ୟ । ଯାହା ବାଲେଶ୍ୱର ସଦର ଏସଡ଼ିପିଓ ପ୍ରଭାସଚନ୍ଦ୍ର ପାଲ ଓ ଖନ୍ତାପଡ଼ା ଥାନାଧିକାରୀ କୃଷ୍ଣଚନ୍ଦ୍ର ପଲେଇ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।

କାଳିଆ ବରୁଣସିଂହ ପଞ୍ଚାୟତ ମାଳ ଗାଁର ତିଳୋତ୍ତମାଦାସ ପ୍ରଧାନ ଓରଫ ମାଣିକକୁ ପ୍ରେମ ବିବାହ କରିଥିଲା । ଦୁହେଁ ଘରୁ ଲୁଚି ପଳାଇ ଯାଇ ବିବାହ କରିଥିବା ବେଳେ ପରବର୍ତ୍ତି ସମୟରେ ଦୁହେଁ ଘରଠାରୁ ଦୂରେ ଅନ୍ୟ ସ୍ଥାନରେ ଘର କରି ରହି ଆସୁଥିଲେ । ତାଙ୍କର ୧୫ ବର୍ଷର ଝିଅ ଓ ୧୨ ବର୍ଷର ପୁଅ ଥିଲା । କାଳିଆର ଟାଟା ଏସି ମ୍ୟାଜିକ ଗାଡ଼ି ଥିଲା ଯାହାକୁ ଭଡ଼ା ମିଳିଲେ ଅଭିଯୁକ୍ତ ଧୁଡ଼ୁକା ଓରଫ ମୀତେଶ ପରିଡ଼ା (୨୮) ଡ୍ରାଇଭର ଭାବେ ଚଲାଉଥିଲା । ଧୁଡ଼ୁକାର ଘର ଶେରଗଡ଼ ଅଞ୍ଚଳରେ ଓ ଶେରଗଡ଼ ଛକରେ ତାର ଗୋଟିଏ ପାନ ଦୋକାନ ବି ରହିଛି । ଧୁଡ଼ୁକାର ବାରମ୍ବାର କାଳିଆ ଘରକୁ ଯିବା ଭିତରେ ମାଣିକ ସହିତ ସମ୍ପର୍କ ବଢ଼ିଥିଲା ଓ ସେ ସମ୍ପର୍କ ବଢ଼ିବଢ଼ି ଅନୈତିକ ଆଡକୁ ଯାଇଥିଲା । ଅନ୍ୟ ପକ୍ଷରେ ଦୀର୍ଘ ଦିନର ବୈବାହିକ ଜୀବନ ପରେ ମାଣିକ କାଳିଆଠାରୁ ବିତସ୍ପୃହ ହେବା ସହ କାଳିଆ ତାକୁ ବିଭିନ୍ନ ସମୟରେ ମାଡ଼ ମଧ୍ୟ ଦେଉଥିଲା । ଏପେଟେ ବୈବାହିକ ଜୀବନରେ ଭଟ୍ଟା ଆସିବା ସହ ସେପଟେ ମାଡ଼ଗାଳି ଖାଇ କାଳିଆ ପ୍ରତି ରହିଥିବା ସମ୍ପର୍କରେ ତିକ୍ତତା ଆସି ଯାଇଥିଲା । ଏହି ସମୟରେ ଅବିବାହିତ ଧୁଡ଼ୁକାର ପ୍ରେମରେ ବାଇଆ ହେବା ସହ ରାସ୍ତାର କଣ୍ଟା ଭାବେ ଠିଆ ହୋଇଥିବା ସ୍ୱାମୀ ହଟାଇବା ପାଇଁ ଚକ୍ରାନ୍ତ କରିଥିଲା ।

ଯୋଜନା ଅନୁସାରେ ଧୁଡ଼ୁକା ରାତି ପ୍ରାୟ ଗୋଟାଏ ବେଳେ ମାଣିକଠାରୁ ମୋବାଇଲ୍‌ରେ ଡାକରା ପାଇ କାଳିଆ ଘରେ ପହଞ୍ଚିଥିଲା । ଘରର ପଛପଟ ମାଣିକ ଖୋଲିଦେବା ସହ ଗୋଟିଏ କୁରାଢ଼ି ତା ହାତରେ ଧରାଇ ଦେଇଥିଲା ।  ଚିତ ହୋଇ ଶୋଇଥିବା କାଳିଆର ମୁଣ୍ଡକୁ ଧୁଡ଼ୁକୁ ଦୁଇ ବାହାର କୁରାଢ଼ୀର ପଛପଟେ ଦେଇଥିଲା । ଏହି ସମୟରେ ବାପାକୁ କୁଣ୍ଢାଇ ଶୋଇଥିବା ୧୨ ବର୍ଷର ପୁଅ ଜୋରରେ କାନ୍ଦିଉଠିବାରୁ ଧୁଡ଼ୁକା ସେଠରୁ ପଳାଇ ଆସିଥିଲା । ପାଖପଡ଼ୋଶୀ ପୁଅର କାନ୍ଦଶୁଣି ଘରକୁ ଆସିବା ପରେ ମାଣିକ ମଧ୍ୟ କାନ୍ଦୁଥିବା ଦେଖିଥିଲେ ଓ ଏନେଇ ଚାରିଆଡ଼େ ଚହଳ ପଡ଼ି ଯାଇଥିଲା ।

ମୋବାଇଲ୍‌ କଲ ଡିଟେଲ ଆସିବା ପରେ ମାଣିକ ସେଦିନ ରାତି ୧୦ଟା ଠାରୁ ରାତି ଅଢ଼େଇଟା ପର୍ଯ୍ୟନ୍ତ ଧୁଡ଼ୁକା ସହ କଥା ହୋଇଥିବା ଓ ଶେଷ ଥର ପାଇଁ ସକାଳ ୭ଟାରେ କଥା ହୋଇଥିଲା । ସେତେବେଳେ ମାଣିକ ମୁମୁର୍ଷୁ କାଳିଆକୁ ନେଇ କଟକ ଯାଉଥିଲା । ପୁଲିସର ପଚରା ଉଚରା ବେଳେ ଏହି ନମ୍ବର କାହାର ବୋଲି ମାଣିକ ସଠିକ କହି ପାରି ନଥିଲା । ପରେ ଅତ୍ୟଧିକ ଚାପରେ ସବୁ ମାନି ଯାଇଥିଲା । ପୁଲିସ ସୋମବାର ରାତି ପ୍ରାୟ ସାଢ଼େ ତିନିଟା ବେଳେ ଧୁଡ଼ୁକାକୁ ତା ଦୋକାନରୁ ଉଠାଇ ଆଣିଥିଲା । ପୁଲିସ ସମ୍ମୁଖରେ ହତ୍ୟାକାଣ୍ଡ ସମ୍ପର୍କରେ ସବୁକିଛି ଧୁଡ଼ୁକା ମାନି ଯାଇଥିବା ବେଳେ ମାଣିକ କହିଥିବାରୁ କାଳିଆକୁ ହତ୍ୟା କରିଥିବା କହିଥିଲା । ମାଣିକ ବି ସ୍ୱାମୀ କାଳିଆକୁ ଧୁଡ଼ୁକା ମାରିଛି ବୋଲି ସର୍ବସମ୍ମୁଖରେ ପ୍ରକାଶ କରିଥିଲା । ତେବେ ପ୍ରେମଶିଉଳିରେ ଝୁଣ୍ଟିପଡ଼ି ଧୁଡ଼ୁକା ଓ ମାଣିକ ଜେଲ ହାଜତକୁ ଯାଇଥିବା ବେଳେ ଅସହାୟ ଝିଅ ଓ ପୁଅଙ୍କୁ ଜେଜେ ତଥା ପୁଲିସରେ ଅଭିଯୋଗକାରିଥିବା ଅନନ୍ତ ପ୍ରସାଦ ଦାସପ୍ରଧାନ (୭୧) ନିଜ ପାଖରେ ନେଇ ରଖିଛନ୍ତି ।

Leave A Reply