ପୁଅକୁ ହତ୍ୟା ପାଇଁ ୧ ଲକ୍ଷର ସୁପାରି

0

ଉଦୟପୁର: ପୁଅକୁ ହତ୍ୟା କରିବା ପାଇଁ ମା’ ୧ ଲକ୍ଷ ଟଙ୍କାର ସୁପାରି ଦେଇଛନ୍ତି। ଅବାସ୍ତବ ଲାଗୁଥିଲେ ମଧ୍ୟ ଏହା ସତ। ରାଜସ୍ଥାନର ପ୍ରତାପଗଡ଼ ଜିଲା ଛୋଟି ସାଦ୍ରି ଗାଁରେ ଘଟିଛି ଏହି ଘଟଣା। ନିଜ ଜ୍ୱାଇଁ ଓ ଅନ୍ୟ ଚାରିଜଣଙ୍କ ସହିତ ମିଶି ପ୍ରେମଲତା ସୁତାର ନାମ୍ନୀ ଜଣେ ମହିଳା ସମ୍ପତ୍ତି ବିବାଦ ଯୋଗୁଁ ଏହି ଷଡ଼ଯନ୍ତ୍ର ରଚିଥିଲେ। ଜାତୀୟ ରାଜପଥ କଡ଼ରୁ ପୁଲିସ ଗତ ୭ ତାରିଖରେ ଉକ୍ତ ଯୁବକର ମୃତ ଦେହ ଠାବ କରିଥିଲା। ଏହି ଘଟଣାରେ ପ୍ରେମଲତା, ଜ୍ୱାଇଁ କ୍ରିଷ୍ଣ ସୁତାର, ମହାଦେବ ଧାକଡ଼ ଓ ଗଣପତ୍‍ ସିଂଙ୍କୁ ଗିରଫ କରିଛି। ମୃତ ମୋହିତ ମାନସିକ ବିକାରଗ୍ରସ୍ତ ଥିଲେ। ଅନେକ ସମୟରେ ସେ ମଦ ପିଇ ମା’ (ପ୍ରେମଲତା)ଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ମୋହିତଙ୍କ ଦୌରାତ୍ମ୍ୟ ଯୋଗୁଁ ପ୍ରେମଲତା ତାଙ୍କ ବିବାହିତ ଝିଅଙ୍କ ସହିତ ରହୁଥିଲେ। ପ୍ରେମଲତାଙ୍କ ନାମରେ ୪ ଏକରରୁ ଊଦ୍ଧ୍ୱର୍ ଜମି ଥିଲା। ଉକ୍ତ ଜମିକୁ ସେ କ୍ରିଷ୍ଣାଙ୍କୁ ବିକ୍ରି କରିବାକୁ ଚାହୁଁଥିବା ବେଳେ ମୋହିତ ଏହାକୁ ବିରୋଧ କରୁଥିଲେ। ତେଣୁ ତାଙ୍କ ହତ୍ୟା କରିବା ପାଇଁ ପ୍ରେମଲତା ଷଡ଼ଯନ୍ତ୍ର କରିଥିଲେ। ଏପ୍ରିଲ୍‍ ୬ ତାରିଖରେ ଏକ ଢାବାରେ ମୋହିତଙ୍କ ଖାଦ୍ୟରେ ନିଦ ବଟିକା ମିଶାଇ ଦିଆଯାଇଥିଲା ଏବଂ ପ୍ରଚୁର ମଦ ପିଆଇ ଦିଆଯାଇଥିଲା। ଢାବାରୁ ବାହାରିବା ପରେ ମହାଦେବ ଓ ତାଙ୍କ ସାଥୀ ମୋହିତଙ୍କ ପଛେ ପଛେ ଯାଇ ତାଙ୍କୁ ହତ୍ୟା କରିଥିଲେ। ଏକ ସିସିଟିଭି ଫୁଟେଜ୍‍ରୁ ହତ୍ୟାକାରୀ ଚିହ୍ନଟ ହୋଇଥିଲେ। ପ୍ରେମଲତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଅନ୍ୟ ତିନିଜଣଙ୍କୁ ଅଟକ ରଖିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି।

Leave A Reply