ପ୍ରଧାନ ଶିକ୍ଷକଙ୍କ ବଦଳି ପାଇଁ ଦାବିକଲେ ଗ୍ରାମବାସୀ

0

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡି ପଞ୍ଚାୟତର ବି.ରାଇସିଂ ଗ୍ରାମରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପାଇଁ ପ୍ରାଥମିକ ବିଦ୍ୟାଳୟ ଅଛି । ମାତ୍ର ବିଦ୍ୟାଳୟକୁ ନିୟମିତ ଶିକ୍ଷକ/ ଶିକ୍ଷୟତ୍ରୀମାନେ ନଆସିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ପାଠ ପଢାରେ ନା ନା ସମସ୍ୟା ଦେଖା ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଗ୍ରାମବାସୀ ସିଆରସିସି, ବିଇଓ ଓ ବିଡିଓଙ୍କୁ ବାରମ୍ବାର ଲିଖିତ ଓ ମୌଖିକ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ସୁଫଳ ମିଳି ପାରୁନାହିଁ। ଗୋଷ୍ଠୀ ଶିକ୍ଷାଧିକାରୀ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାନ୍ତି। ଗତ ୮ ତାରିଖ ଦିନ ବିଦ୍ୟାଳୟରେ କୌଣସି ଶିକ୍ଷକ ଉପସ୍ଥିତ ନଥିବାରୁ ଏସମ୍ପର୍କରେ ବିଇଓଙ୍କୁ ଅଭିଯୋଗ କରିବାରୁ ବିଇଓ ୨ ଜଣ ସିଆରସିସିକୁ ପଠାଇ ମଧ୍ୟାହ୍ନ ଭୋଜନ ବାଣ୍ଟିବା ପାଇଁ ପଠାଇଥିଲେ। କିନ୍ତୁ ଗ୍ରାମବାସୀଙ୍କ କହିବା କଥା ପାଠ ନପଢାଇ କେବଳ ମଧ୍ୟାହ୍ନ ଭୋଜନ ବାଣ୍ଟିଦେଲେ ପିଲାଙ୍କର ଭବିଷ୍ୟତ ଅନ୍ଧକାରକୁ ଚାଲିଯାଉଛି। ଏଥିପାଇଁ ଦାୟୀ କିଏ ହେବ ବୋଲି ପ୍ରଶ୍ନ କରିବାରୁ ସିଆରସିସି ମାନେ ଫେରି ଆସିଥିଲେ। ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମେଶଚନ୍ଦ୍ର ଶବର ବିଦ୍ୟାଳୟରେ ଅନୁପସ୍ଥିତ ସାଙ୍ଗକୁ ବିଳମ୍ବରେ ସ୍କୁଲରେ ପହଞ୍ଚନ୍ତି ଏବଂ ପାଠ ପଢାଇବା ବଦଳରେ ପଟି ପକାଇ ଶୋଇ ପଡନ୍ତି। ନିଦ ଭାଙ୍ଗିଲେ ବିଦ୍ୟାଳୟରୁ ମୋହନା ପଳେଇବା ନିତି ଦିନିଆ ଘଟଣା ବୋଲି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶନ୍ନ କୁମାର ନାୟକ ପ୍ରକାଶ କରିଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଉପରେ କୌଣସି ଅଭିଯୋଗକୁ ଗ୍ରହଣ କରି ପଦକ୍ଷେପ ନନେବା ଲୋକଙ୍କ ମନରେ ଭ୍ରୁକଂଞ୍ଚନ ସୃଷ୍ଟି କରୁଛି। ଆଜି ଗ୍ରାମ୍ୟ ଶିଶୁ ସୁରକ୍ଷା ସମିତି, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ମିଳିତଭାବେ ପ୍ରଧାନ ଶିକ୍ଷକଙ୍କୁ ବଦଳି କରି ଅନ୍ୟ ଜଣେ ଶିକ୍ଷକ ନିଯୁକ୍ତି ସମ୍ପର୍କରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତିରେ ଏବିଇଓଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଯଦି ୭ ଦିନ ମଧ୍ୟରେ ବିଇଓ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଶତାଧିକ ମହିଳା ଓ ପୁରୁଷ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଚେତାଇ ଦେଇଛନ୍ତି। ମୋହନା ବିଇଓଙ୍କ ସହିତ ଯୋଗାଯୋଗ କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନଥିଲା।

Leave A Reply