ବାପ-ପୁଅଙ୍କ ଆତ୍ମହତ୍ୟା

0

ଧରାକୋଟ : ଅଧିକାଂଶ ସମୟ ମୋବାଇଲରେ ମସଗୁଲ ରହି ଅନ୍ୟ ସମସ୍ତ କାମକୁ ପଛରେ ପକାଇବା କାରଣରୁ ବାପାଙ୍କ ରୋଷର ଶିକାର ହୋଇଥିବା ପୁଅ ଆତ୍ମହତ୍ୟା କରିଛି। ଏହାର କେଇଘଣ୍ଟା ପରେ ମାନସିକ ଭାରସାମ୍ୟ ହରାଇ ବାପା ମଧ୍ୟ ଆତ୍ମହତ୍ୟା କରିବା ଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲାର ଧରାକୋଟ ବ୍ଲକ ଅନ୍ତର୍ଗତ ଜାହାଡା ପଞ୍ଚାୟତର କୁଶପଡାରେ। ଆତ୍ମହତ୍ୟା କରିଥିବା ପୁଅ ହେଲେ କଳ୍ପବଟ ପଣ୍ଡା ଏବଂ ତାଙ୍କ ବାପା ରାଜେନ୍ଦ୍ର ପଣ୍ଡା।
ରାଜେନ୍ଦ୍ରଙ୍କ ୨୨ ବର୍ଷୀୟ ପୁଅ କଳ୍ପବଟ ଜଣେ ଆଇଟିଆଇ ଉତ୍ତୀର୍ଣ୍ଣ ଛାତ୍ର। ଚାକିରି ନପାଇ ସେ ଘରେ ବେକାର ହୋଇ ବସିଥିଲେ। ତେବେ ଛୋଟମୋଟ କାମ କରିବା ପରିବର୍ତ୍ତେ ବାପାଙ୍କ ବାରଣ ସତ୍ତ୍ବେ ସେ ମୋବାଇଲରେ ନିଜକୁ ଅଧିକାଂଶ ସମୟ ନିୟୋଜିତ ରଖୁଥିଲେ। ଗେମ, ଫେସବୁକ ଓ ୱାଟସଆପ ଭଳି ସୋସିଆଲ ମିଡିଆରେ ନିଜକୁ ନିୟୋଜିତ ରଖିବା ସହ ମୋବାଇଲରେ ଆଇପିଏଲ ଜୁଆ ଖେଳିଥିଲେ। ପୁଅର ଏଭଳି କାର୍ଯ୍ୟକୁ ବାପା ବାରମ୍ବାର ତାଗିଦ କରିବା ସହ କିଛି କରିବା ନତୁବା ପାଠ ପଢିବାକୁ ପରାମର୍ଶ ଦେଉଥିଲେ। କିନ୍ତୁ ହାବଭାବରେ କୌଣସି ପରିବର୍ତ୍ତନ ନଆଣିବାରୁ ପୁଅ କଳ୍ପବଟକୁ ବାପା ରାଜେନ୍ଦ୍ର ଗତକାଲି ରାତିରେ ଗାଳି କରିଥିଲେ। ଏଥିରେ ଅପମାନବୋଧ କରି କଳ୍ପବଟ ଗତକାଲି ରାତିରେ ହିଁ ଘର ଛାଡି କେଉଁଆଡେ ଚାଲି ଯାଇଥିଲେ। ରାତି ତମାମ ତାଙ୍କୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ। ଆଜି ଭୋରରୁ ଗ୍ରାମବାସୀ ସ୍ନାନ ପାଇଁ ନିକଟସ୍ଥ ଋଷିକୂଲ୍ୟା ନଦୀପଠାକୁ ଯାଉଥିବା ବେଳେ ଏକ ପିଜୁଳି ଗଛରେ କଳ୍ପବଟର ଝୁଲନ୍ତା ମୃତଦେହକୁ ଦେଖିବାକୁ ପାଇଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ ବାପା ରାଜେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି ଭାରସାମ୍ୟ ହରାଇ ବସିଥିଲେ। ପୁଅ ଆତ୍ମହତ୍ୟା କରିବା ସ୍ଥଳଠାରୁ ମାତ୍ର ୩୦ ମିଟର ଦୂର ଏକ ପଣସ ଗଛରେ ରାଜେନ୍ଦ୍ର ରଶି ଲଗାଇ ଝୁଲି ପଡିଥିଲେ। ରାଜେନ୍ଦ୍ରଙ୍କୁ ବଞ୍ଚାଇବା ପାଇଁ ଗ୍ରାମବାସୀ ଉଦ୍ୟମ କରିଥିଲେ। ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଗ୍ରାମବାସୀ ଡାକ୍ତରଖାନା ନେବା ବେଳେ ବାଟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ସାମାନ୍ୟ ଘଟଣାକୁ କେନ୍ଦ୍ର କରି ବାପା-ପୁଅଙ୍କ ଜୀବନ ଚାଲିଯିବା ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Leave A Reply