ସମାବେଶକୁ ଓହ୍ଲାଇଲା ବିଜେପି ଓ ବିଜେଡି

0
ଅକ୍ଟୋବରରେ କଂଗ୍ରେସର ଆକ୍ରୋଶ ଯାତ୍ରା

ଭୁବନେଶ୍ୱର :୨୦୧୯ର ସାଧାରଣ ନିର୍ବାଚନର ରାଜନୈତିକ ପ୍ରଚାର ଉଷ୍ମତା ଏବେ ରାଜ୍ୟରେ ଜୋର ଧରିଛି। ମହିଳା ଭୋଟରକୁ ଆକର୍ଷିତ କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ନିଜ ନିଜର ରଣକୌଶଳ ଆରମ୍ଭ କରିଦେଇଛନ୍ତି। ରବିବାରଠାରୁ ବିଜେପି ତିନିଦିନିଆ ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ପୁରୀରେ ଆରମ୍ଭ କରିଥିବାବେଳେ ଆସନ୍ତାକାଲିଠାରୁ ବିଜେଡ଼ି ମହିଳା ସଙ୍ଗଠନ ପକ୍ଷରୁ ଘରକୁ ଘର ବୁଲି ୬ଦିନିଆ ସଚେତନତା ଅଭିଯାନ ଯାତ୍ରା ସହିତ ସବୁ ଜିଲାରେ ସମାବେଶ କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ମହିଳା କଂଗ୍ରେସ ମଧ୍ୟ ଅନୁରୂପ ଭାବେ ଆସନ୍ତା ଅକ୍ଟୋବରରେ ତୃଣମୂଳସ୍ତରରେ ମହିଳାଙ୍କୁ ଜାଗ୍ରତ କରିବାପାଇଁ ଆକ୍ରୋଶ ଯାତ୍ରା କରିବାପାଇଁ ପ୍ରସ୍ତୁତି ଚଳାଇଛି।
ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କ ମଧ୍ୟରେ ମହିଳାଙ୍କ ହାର ପ୍ରାୟ ୪୮ ପ୍ରତିଶତ ରହିଛି। ଆଗାମୀ ଦିନରେ ମହିଳା ଭୋଟରଙ୍କୁ ନେଇ କିଭଳି ନିର୍ବାଚନ ବୈତରଣୀ ପାର କରାଯାଇ ପାରିବ ସେନେଇ ତିନିଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୁରୀର ଶରଧାବାଲିରେ ଆଜିଠାରୁ ଆରମ୍ଭ ହୋଇଛି। ଓଡ଼ିଶାରେ ବିଜେପିକୁ ଶାସନ ଗାଦିରେ ବସାଇବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବର୍ଷେ ହେଲାଣି ୧୨୦ଯୁକ୍ତ ଆସନର ସ୍ୱପ୍ନ ଦଳୀୟ କର୍ମୀଙ୍କୁ ଦେଖାଇଛନ୍ତି। ଏହାକୁ ନେଇ ବୁଥ୍‍ସ୍ତରରୁ ଲୋକଙ୍କୁ ଯୋଡିବା ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ଯୋଜନା ବେଟୀ ବଚାଓ ବେଟୀ ପଢାଓ, ମୁଦ୍ରା, ସ୍ୱଚ୍ଛ ଭାରତ, ସୁକନ୍ୟା ସମୃଦ୍ଧି, ଉଜ୍ଜ୍ୱଳା ଯୋଜନାର ସଫଳତା ମହିଳାମାନଙ୍କୁ ଅବଗତ କରାଇବାପାଇଁ ପ୍ରୟାସ ଜାରି ରଖିଛି। ତେବେ ୨୦୧୭ ଏପ୍ରିଲରେ ଓଡ଼ିଶାରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ କରି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ଡ଼ଜନେ ମନ୍ତ୍ରୀ ଓଡ଼ିଶାରେ ବିଜେପିର ମିଶନର ମୂଳଦୁଆ ପକାଇଥିବାବେଳେ ପୁରୀଠାରେ ଦେଶରେ ପ୍ରଥମ ଥର ପାଇଁ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବସୁଛି।
ଦଳର ସାଙ୍ଗଠନିକ ସ୍ଥିତି ସୁଦୃଢ଼ କରିବାପାଇଁ ଆସନ୍ତାକାଲି ଶ୍ରୀ ଶାହା ପୁରୀ ଆସିବେ। ଆଗାମୀ ଦିନରେ କିଭଳି ବିଜେଡ଼ିକୁ ଜନମାନସରେ ନିନ୍ଦିତ କରି ହେବ ଏବଂ ତା’ର ଗତିପଥକୁ ରୋକିହେବ ସେଥିନେଇ ମାନସ ମନ୍ଥନ କରିବେ। ରାଜ୍ୟ ସରକାରଙ୍କ ବିଫଳତା ସହିତ ମହିଳା ନିର୍ଯାତନା ଏବଂ ନାବାଳିକା ବଳାତ୍କାର ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶାର ମହିଳା ଶକ୍ତିକୁ ଜାଗ୍ରତ କରିବା ସହିତ ଦଳର ମିଶନ ଯେଭଳି ସମ୍ପୂର୍ଣ୍ଣ ହେବ ସେନେଇ ଶ୍ରୀ ଶାହା ମନ୍ତ୍ର ଫୁଙ୍କିବେ।
ସେହିପରି ବିଜେଡ଼ି ପକ୍ଷରୁ ଗତ ୧୮ବର୍ଷ ମଧ୍ୟରେ ମହିଳାମାନଙ୍କ ସର୍ବାଙ୍ଗୀଣ ବିକାଶ ଲାଗି ମମତା ଯୋଜନାଠାରୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ମହିଳାଙ୍କୁ ୭ଲକ୍ଷ ଟଙ୍କାର ସହାୟତା, ଖାଦ୍ୟ ସୁରକ୍ଷା ଯୋଜନାରେ ମହିଳାଙ୍କୁ ଯୋଡିବା, ଖୁସି, ମିଶନ ଶକ୍ତି ଓ ଜୀବନ ଜୀବିକା ମିଶନରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସଶକ୍ତୀକରଣ କରିବାପାଇଁ ୧ପ୍ରତିଶତ ସୁଧ ହାରର ଋଣ ପ୍ରଦାନ ଭଳି ବହୁ ଜନହିତକର ଯୋଜନା ହାତକୁ ନିଆଯାଇଛି।
ଏହି ଯୋଜନାରେ ରାଜ୍ୟର ସବୁ ପଞ୍ଚାୟତରେ ଶତାଧିକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ କରି ମହିଳାମାନଙ୍କୁ ବାନ୍ଧିବା ପାଇଁ ପ୍ରୟାସ ଜାରି ରଖିଛି। ଏହାବାଦ୍‍ ନିକଟରେ ମହିଳା କ୍ରୀଡାବିତ୍‍ଙ୍କୁ କୋଟି କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦେଇ ସରକାରଙ୍କ ଆନ୍ତରିକତାର ନିଦର୍ଶନ ଦେଇଛି।
ଏହାବାଦ୍‍ ଆସନ୍ତାକାଲିଠାରୁ ବିଜେଡ଼ି ମହିଳା ସଙ୍ଗଠନ ୩୦ ତାରିଖ ପର୍ଯ୍ୟନ୍ତ ସବୁ ବ୍ଲକ, ପଞ୍ଚାୟତ ଓ ନିର୍ବାଚନ ମଣ୍ଡଳୀରେ ସଚେତନତା ଯାତ୍ରା କରିବ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ସମସ୍ତ ଯୋଜନାର ସଫଳତା ଏବଂ କେନ୍ଦ୍ର ବିଜେପି ସରକାରର ମିଛ ବାହାସ୍ଫୋଟ ସମ୍ପର୍କରେ ମହିଳାଙ୍କୁ ଅବଗତ କରାଇବ। ଗତ ୪ବର୍ଷ ତଳେ ବିଜେପି କିଭଳି ମହିଳାମାନଙ୍କ ସୁରକ୍ଷା ପାଇଁ ବହୁ ସ୍ୱପ୍ନ ଦେଖାଇଥିଲା ତାହା ଏବେ କିଭଳି ମିଛରେ ପରିଣତ ହୋଇଛି ତାହା ବଖାଣିବ। ପେଟ୍ରୋଲ,ଡିଜେଲ ଓ ଇନ୍ଧନ ଦର ବୃଦ୍ଧି କରି କିଭଳି ଦରଦାମ ଆକାଶଛୁଆଁ ହୋଇଛି ସେନେଇ ମହିଳାଙ୍କୁ ଅବଗତ କରାଇବାକୁ ବିଜେଡ଼ି ଯୋଜନା ରଖିଛି।
ଅନ୍ୟପକ୍ଷରେ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ଶାସନ କାଳରେ ମହିଳାମାନେ କିଭଳି ଅସୁରକ୍ଷିତ ହୋଇପଡିଛନ୍ତି ସେନେଇ ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରୁ ମହିଳା କଂଗ୍ରେସ ସଚେତନତା ଯାତ୍ରା ଆରମ୍ଭ କରିିବ। ଦୀର୍ଘ ସାଢ଼େ ୪ବର୍ଷ ଧରି ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର କିଭଳି ମହିଳାମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଛି ସେନେଇ ନାରୀ ଜାଗରରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ୩୦ଲକ୍ଷ ମହିଳାଙ୍କୁ ସାମିଲ କରିଥିବାବେଳେ ଏବେ ଗ୍ୟାସ୍‍ ଦର ବୃଦ୍ଧି ଯୋଗୁଁ କିଭଳି ୨୪ଲକ୍ଷ ମହିଳା ଏଥିରୁ ବଞ୍ଚିତ ହୋଇଛନ୍ତି ଏବଂ ସ୍ୱଚ୍ଛ ଭାରତ ମିଶନ ଯୋଜନା କିଭଳି ପ୍ରବଞ୍ଚନାରେ ପରିଣତ ହୋଇଛି ସେନେଇ ମହିଳାଙ୍କୁ ଅବଗତ କରାଇବ କଂଗ୍ରେସ।
ଆସନ୍ତାକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଗସ୍ତକୁ ନେଇ ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ ଓଡ଼ିଶାରେ ଯେଉଁ ଅପାରଗ ସରକାର ଚାଲିଛି ସେଥିରେ ନାରୀମାନେ ଛଟପଟ ହେଉଛନ୍ତି। ସେଥିରୁ ମୁକୁଳିବା ପାଇଁ ଶ୍ରୀ ଶାହା ନାରୀମାନଙ୍କୁ ସଶକ୍ତୀକରଣର ବାର୍ତ୍ତା ବାଣ୍ଟିବେ। ବିଜେଡ଼ି ସରକାରର ଟଙ୍କା ବଳ ସହିତ ବିଜେପିର ନାରୀ ସମ୍ମାନ ବଳ ବାଜିରେ ଲାଗିବ।
ସେହିପରି ବିଜେଡ଼ି ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ରାଜ୍ୟର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ରାଜ୍ୟ ସରକାର ସବୁ ପ୍ରକାର ଯୋଜନା ଖଞ୍ଜି ଦେଇଛନ୍ତି। ସ୍ୱୟଂ ସହାକ ଗୋଷ୍ଠୀ ମାଧ୍ୟମରେ ୧ପ୍ରତିଶତ ସୁଧ ହାରରେ ମହିଳା ଗୋଷ୍ଠୀଙ୍କୁ ଋଣ ଦେଇ ସ୍ୱାବଲମ୍ବୀ କରାଯାଉଛି।
ଏହାବାଦ୍‍ ମମତା ଯୋଜନାଠାରୁ ଆରମ୍ଭ କରି ବୃଦ୍ଧାବସ୍ଥାରେ ମହାକାର୍ତ୍ତିକ ଯୋଜନାରେ ସେମାନଙ୍କୁ ଆଧ୍ୟାତ୍ମିକତାର ଦିଗଦର୍ଶନ ଦିଆଯାଉଛି। ପୂର୍ବ ଅପେକ୍ଷା ରାଜ୍ୟରେ ମହିଳା ନିର୍ଯାତନା ହାର କମିଛି। ଓଡ଼ିଶାରେ ମହିଳାମାନେ ବିଜେଡ଼ିର ବିକାଶ ସହିତ ଜଡ଼ିତ ଅଛନ୍ତି। ମାତ୍ର କେନ୍ଦ୍ର ସରକାର କେବଳ ମିଛ ପ୍ରତିଶ୍ରୁତି ଦେଇ ମହିଳାମାନଙ୍କୁ ଯେଉଁ ପ୍ରଲୋଭିତ କରିବାପାଇଁ ଚେଷ୍ଟା କରୁଛନ୍ତି ତାହା କେବେ ବି ସଫଳ ହେବ ନାହିଁ।
ଅନ୍ୟପକ୍ଷରେ କଂଗ୍ରେସ ସଭାନେତ୍ରୀ ଇଂ ସସ୍ମିତା ବେହେରା କହିଛନ୍ତି ଯେ ରାଜ୍ୟର ମହିଳାମାନଙ୍କୁ ପ୍ରତାରଣା ଏବଂ ସେମାନଙ୍କ ଉପରେ କ୍ରମାଗତ ହିଂସା ଓ ନିର୍ଯାତନା ବଢ଼ି ଚାଲିଛି। ଏହାକୁ ନେଇ ପ୍ରଦେଶ ମହିଳା କଂଗ୍ରେସ ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆସନ୍ତା ମାସ ପ୍ରଥମ ସପ୍ତାହରୁ ଆକ୍ରୋଶ ଯାତ୍ରା ଆରମ୍ଭ ହେବ। ମହିଳାମାନଙ୍କୁ କିଭଳି କେନ୍ଦ୍ର ଓ ରାଜ୍ୟ ସରକାର ପ୍ରବଞ୍ଚନା କରୁଛନ୍ତି ସେନେଇ ମହିଳାମାନଙ୍କୁ ସଚେତନତା କରାଯିବ ବୋଲି ଶ୍ରୀମତୀ ବେହେରା କହିଛନ୍ତି।

Leave A Reply