ଫେବୃୟାରୀ ୨୩ରେ ମା’ହିଙ୍ଗୁଳାଙ୍କ ବାର୍ଷିକ ପୂଜା

0

ବଡ଼ସାହି : ଆସନ୍ତା ଫେବୃୟାରୀ ୨୩ତାରିଖରେ ଉତ୍ତର ଓଡିଶାର ପ୍ରସିଦ୍ଧ କଉଡ଼ିଖଣି ଶାଳଜଙ୍ଗଲରେ ପୂଜା ପାଉଥିବା ମା’ହିଙ୍ଗୁଳାଙ୍କ ବାର୍ଷିକ ତଥା ବଡ ପୂଜା ଅନୁଷ୍ଠିତ ହେବ। ଏନେଇ ଗୁରୁବାର ପୂର୍ବାହ୍ଣରେ ମନ୍ଦିର ପ୍ରାଙ୍ଗଣରେ ଟ୍ରଷ୍ଟର ସ୍ଥାୟୀ ସଭାପତି ସୁନୀଲ କୁମାର ଦାଶଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମେଳାର ଶାନ୍ତିଶୃଙ୍ଖଳା ତଥା ସୁପରିଚାଳନା ପାଇଁ ଅନୁଷ୍ଠିତ ବୈଠକରେ ପୂର୍ବ ବର୍ଷ ପରି ପ୍ରଶାସନ ଓ ମା’ ହିଙ୍ଗୁଳା ଟ୍ରଷ୍ଟର ସଦସ୍ୟ ଯୋଗଦେଇଥିଲେ। ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ, ତହସିଲଦାର ଅମୀୟ କୁମାର ରାଉତ, ଥାନାଧିକାରୀ ଜୟନାରାୟଣ ଖଣ୍ଡାଇ ଓ ସ୍ଥାନୀୟ ବୁଦ୍ଧିଜୀବି ଯୋଗ ଦେଇ ୧୦ଟି ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ଏହି ପ୍ରସ୍ତାବ ମଧ୍ୟରୁ ପାନୀୟଜଳ ଯୋଗାଣ ପାଇଁ ୪ଟି ଟ୍ୟାଙ୍କର ଓ ପରିମଳ ପାଇଁ ୩୦ଟି ଅସ୍ଥାୟୀ ପରିଶ୍ରାଗାର ଓ ପାଇଖାନା ସ୍ଥାପନ, ସ୍ୱାସ୍ଥ୍ୟସେବା ସହିତ ଆମ୍ବୁଲାନ୍ସ ଗାଡି, ଟ୍ରାଫିକ ନିୟନ୍ତ୍ରଣ, ପଲ୍ଲିଶ୍ରୀ ମେଳା, କ୍ଷେତ୍ର ପ୍ରଚାର ପ୍ରଦର୍ଶନୀ, ଦମକଳ ସେବା, ରାସ୍ତା ମରାମତ ଓ ସୂଚନାକେନ୍ଦ୍ର ସ୍ଥାପନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହେବା ସହିତ ବଡ଼ ପୂଜାର ପୂର୍ବଦିନ ଓ ପୂଜା ଦିନ ବିଦ୍ୟୁତ କାଟ ନକରିବାକୁ ବିଭାଗକୁ ଅନୁରୋଧ କରାଯାଇଥିଲା। ବାର୍ଷିକ ପୂଜାର ଅଗ୍ନି ସଂଯୋଗ ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ଅଗ୍ନି ଉତ୍ସବ ଠାରୁ ପୂଜା ପର୍ଯ୍ୟନ୍ତ ମେଳାକୁ ଅଧିକ ଦିନ ଚାଲୁ ରଖିବା ପାଇଁ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଛି। ଶେଷରେ ଟ୍ରଷ୍ଟର ସଦସ୍ୟ ରାଜେନ୍ଦ୍ର କୁମାର ଜେନା ଧନ୍ୟବାଦ ଅର୍ପଣ କରିଛନ୍ତି।

Leave A Reply