ଭକ୍ତି ଓ ବିଶ୍ୱାସର ପ୍ରତୀକ ଚାନ୍ଦବାଲିର ମା’ଦକ୍ଷିଣେଶ୍ୱରୀ କାଳୀ

0

ଆରଡି : ଉତ୍କଳୀୟ ନୈାବାଣିଜ୍ୟର ସମୃଦ୍ଧ ପରମ୍ପରା ଏବେ ମଧ୍ୟ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ଓଡ଼ିଶାର ବିଭିନ୍ନ ଦିଗକୁ ଘେରି ରହିଥିବା ନଦୀ, ନାଳ ଓ ସମୁଦ୍ର ନୌବାଣିଜ୍ୟ ପାଇଁ ବେଶ୍‍ ସାହାଯ୍ୟ କରୁଥିଲେ। ସେହିପରି ପ୍ରାଚୀନ କଳିଙ୍ଗର ପ୍ରବେଶ ପଥ ତଥା, କନିକାର ପ୍ରାଣକେନ୍ଦ୍ର ଭାବେ ଚାନ୍ଦବାଲି ପ୍ରସିଦ୍ଧ। ତା’ବକ୍ଷରେ ଜାବୁଡି ଧରିଛି ଅନେକ ସ୍ମୃତିା ସାମାଜିକ, ଆଧ୍ୟାତ୍ମିକ, ଅର୍ଥନୈତିକ ଓ ରାଜନୈତିକ ଉତ୍ଥାନ ପତନ ଦେଇ ଗତି କରିଆସିଥିବା ଚାନ୍ଦବାଲି ଆଜି ମଧ୍ୟ ଓଡିଶାରେ ନିଜର ସ୍ୱତନ୍ତ୍ରତା ବଜାୟ ରଖିବାରେ ସାମର୍ଥ୍ୟ ହୋଇପାରିଛିା କେବଳ ତା’ର ଖ୍ୟାତି ସମ୍ପନ୍ନ ବନ୍ଦର ପାଇଁ ନୁହେଁ, ବରଂ ମା’ଦକ୍ଷିଣେଶ୍ୱରୀ କାଳୀଙ୍କ ପାଇଁ ମଧ୍ୟ ସାରା ଓଡିଶାରେ ପ୍ରସିଦ୍ଧି ଲାଭ କରିଛି।

ଚାନ୍ଦବାଲି ସହର ଉପକଣ୍ଠରେ ପାଞ୍ଚପଡା ଗ୍ରାମରେ ମା’ଦକ୍ଷିଣେଶ୍ୱରୀ କାଳୀ ବିଜେ କରିଛନ୍ତି। ମା’ କାଳୀଙ୍କ ପୀଠଟି ସାଂସ୍କୃତିକ ଓ ଆଧ୍ୟାତ୍ମିକ ପୀଠ ଭାବେ ସବୁଆଡେ ଜଣାଶୁଣା ହୋଇପାରିଛିା କଲ୍ୟାଣମୟୀ, ଜଗତଜନନୀ ମା’ଦକ୍ଷିଣେଶ୍ୱରୀ କାଳୀଙ୍କ ମହିମା ଅବର୍ଣ୍ଣନୀୟ। କାଳୀପୂଜା ଏହି ଅଞ୍ଚଳର ଏକ ପ୍ରସିଦ୍ଧ ପର୍ବ। ଯେଉଁଠି ଜାତି-ବର୍ଣ୍ଣ-ଧର୍ମ ନିର୍ବିଶେଷରେ ଅତି ଆନନ୍ଦ ଉତ୍ସାହର ସହିତ ସମସ୍ତେ ପାଳନ କରନ୍ତି ମା’ ଙ୍କର ଏହି ପର୍ବକୁ। ମା’କାଳୀ ପୀଠର ଧୂଳି, ମାଟିଠାରୁ ଆରମ୍ଭ କରି ପାଣି, ପବନ ଯାଏଁ ସବୁ ପବିତ୍ର। ଏଠାରେ ଶୋଭାପାଉଛି ମହାସ୍ମଶାନ, ପଦ୍ମପୋଖରୀ, ଶ୍ରୀକୃଷ୍ଣ ମନ୍ଦିର, ଶିବ ମନ୍ଦିର, ପଞ୍ଚବଟ ବୃକ୍ଷ, ପାଞ୍ଚପଡା ଗ୍ରାମ ଓ ଚିରସ୍ରୋତା ପୂଣ୍ୟତୋୟା ବୈତରଣୀ।

କିମ୍ବଦନ୍ତୀ କହେ ଯେଉଁ ସ୍ଥାନରେ ଏକ ଲକ୍ଷ ମୁଣ୍ଡ ଗଡେ, ସେହି ସ୍ଥାନଟି ଶ୍ମଶାନରୁ ମହାଶ୍ମଶାନରେ ପରିଣତ ହୋଇଥାଏ ଏବଂ ସେଠାରେ ମା’କାଳୀ ଆର୍ବିଭାବ ହୁଅନ୍ତି। ଚାନ୍ଦବାଲିରେ କାଳୀ ମନ୍ଦିର ନିକଟରେ ଥିବା ମହାଶ୍ମଶାନରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଶବ ଦାହ କରାଯାଇଥାଏ। ମା’ଦକ୍ଷିଣେଶ୍ୱରୀ କାଳୀଙ୍କ ଶ୍ମଶାନ ହେଉଛି ଏଠାକାର ଲୋକମାନଙ୍କ ପାଇଁ ସ୍ୱର୍ଗଦ୍ୱାର। ବହୁ ପୁରୁଖା ଲୋକଙ୍କ କଥା ଅନୁସାରେ ଏବଂ ଚାନ୍ଦବାଲି ଅଞ୍ଚଳର କିମ୍ବଦନ୍ତୀ କହେ, ୧୮୮୮ ମସିହାରେ ମା’ଶାରଦା ଦେବୀ ଏଠାକୁ ବୁଲିବାକୁ ଆସିଥିଲେ। ବର୍ତ୍ତମାନର ଯେଉଁଠି ମା’ଙ୍କ ମନ୍ଦିର ଅଛି ସେହି ସ୍ଥାନରେ ପ୍ରଥମେ ଏକ ତାଳ ବରଡା-ନଡା-ବାଉଁଶ ଓ ମାଟି କାଦୁଅରେ ନିର୍ମିତ ଠାକୁରାଣୀଙ୍କ ଗୃହ ନିର୍ମାଣ କରାଯାଇ ସେଠାରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଥିଲା। ମା’ଙ୍କ ମନ୍ଦିର ନିର୍ମାଣ ପାଇଁ ପ୍ରଥମେ ଯେଉଁ କେତେଜଣ ପୃଷ୍ଠ ପୋଷକତା କରିଥିଲେ ସେମାନଙ୍କ ମଧ୍ୟରୁ ସ୍ୱର୍ଗତ ମିଆଁ ସାହେବ ଦରାଫ ଓ ସ୍ୱର୍ଗତ ରାୟ ସାହେବ ଦୀପଚାନ୍ଦ ରାୟ ଅନ୍ୟତମ। ମିଆଁ ସାହେବ ମୁସଲମାନ ସମ୍ପ୍ରଦାୟର ହେଲେ ମଧ୍ୟ ହିନ୍ଦୁ ମଠ ମନ୍ଦିର ପ୍ରତି ତାଙ୍କର ଆସକ୍ତି ଥିଲା। ତତ୍କାଳୀନ ବଙ୍ଗାଳି ବାବାଜୀ ମଠର ସେ ଜଣେ ପରମ ଭକ୍ତ ଥିଲେ ଏବଂ ବଙ୍ଗାଳି ବାବାଜୀଙ୍କର ଅନ୍ତରଙ୍ଗ ବନ୍ଧୁ ଥିଲେ। ମିଆଁ ସାହେବ ଦରାଫ ମିଆଁ ଓ ବଙ୍ଗାଳି ବାବାଜୀଙ୍କ ପରାମର୍ଶ କ୍ରମେ ସେ ସମୟରେ ସ୍ଥାନୀୟ ସାତଖଣ୍ଡ ମୌଜାର ମୁଖିଆମାନଙ୍କର ଏକ ବୈଠକ ବସି ମା’କାଳୀଙ୍କ ପୂଜା କରିବାକୁ ନିଷ୍ପତ୍ତିି ହୋଇଥିଲା। ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ମା’ଙ୍କ ପୂଜାର୍ଚ୍ଚନା କରିବା ପାଇଁ ଆଗେଇ ଆସିଥିଲେ। ମା’ଙ୍କର ପ୍ରଥମ ପୂଜା ପାଇଁ ମାଟି ମୂର୍ତ୍ତୀ ରାଜକନିକା ଅନ୍ତର୍ଗତ ମହୁରୀ ଗାଁ ନିବାସୀ ସ୍ୱର୍ଗତ ଗୋଲକ ପତିଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ପରେ ୧୯୫୧ ମସିହାରେ ମା’ଙ୍କ ପାଇଁ ଏକ ପକ୍କାଘର ନିର୍ମାଣ କରାଯାଇଥିଲା। କିଛିଦିନ ପରେ ମାଙ୍କ ମନ୍ଦିରର ଗର୍ଭଗୃହ, ରୋଷେଇଶାଳା, ମୁଖଶାଳା ଆଦିର ନିର୍ମାଣ ସ୍ଥାନୀୟ ବହୁ ଧର୍ମପ୍ରାଣ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ନିର୍ମିତ ହେଲା। ମାତ୍ର ୧୯୭୧ ମସିହାର ବାତ୍ୟାରେ ମନ୍ଦିରର ନାଟଶାଳାଟି ଭାଙ୍ଗିଯିବାରୁ ତା’ର ମରାମତି କରାଯାଇଥିଲା। ପରିଚାଳନା କମିଟି ଉକ୍ତ ମୁଖଶାଳା, ନାଟଶାଳା ଓ ରୋଷେଇଶାଳାକୁ ନୂତନ ଧରଣରେ ଏବଂ ବଡ କରି ପକ୍କାରେ ନିର୍ମାଣ କରିଛନ୍ତି। ତାହା ଖୁବ୍‍ ଆକର୍ଷଣୀୟ ହୋଇଛି।

ଭଦ୍ରକରୁ ମା’ଙ୍କ ପୀଠକୁ ଆସିବାକୁ ହେଲେ ୫୦କି.ମି. ରାସ୍ତା ବସ୍‍ରେ ଆସିବାକୁ ହେବ। ସେହିପରି ଆରଡିପୀଠରୁ ତିନିତର ଘାଟପାର ହୋଇ ମଧ୍ୟ ମାଙ୍କ ପୀଠ ଚାନ୍ଦବାଲିକୁ ଆସିହେବ। ତାହାସହ ପଡୋଶୀ ଜିଲା କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରୁ ରାଜକନିକା ବାଟେ ମଧ୍ୟ ମା’ଙ୍କ ପୀଠକୁ ରାସ୍ତା ଅଛି। ସ୍ଥାନୀୟ ଲୋକମାନଙ୍କ ପାଇଁ ମା’ଦକ୍ଷିଣେଶ୍ୱରୀ କାଳୀ ହେଉଛନ୍ତି ଭକ୍ତି ଓ ବିଶ୍ୱାସର ପ୍ରତୀକ। ଏହି କାଳୀପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ ମା’କାଳୀଙ୍କ ପୀଠ ଚାନ୍ଦବାଲି। ବହୁ ଦୂରଦୂରାନ୍ତରୁ ମା’ଙ୍କୁ ଦେଖିବାପାଇଁ ତଥା ପୂଜାକୁ ଉପଭୋଗ କରିବାପାଇଁ ଭକ୍ତମାନେ ଧାଇଁ ଆସନ୍ତି। ସନ୍ଧ୍ୟା ସମୟରେ ମା’ଙ୍କ ସନ୍ଧ୍ୟା ଆଳତି ଏକ ଧାର୍ମିକ ପରିବେଶ ସୃଷ୍ଟି କରିଥାଏ। ଏଠାରେ ମେଳା ୭ଦିନ ଧରି ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ଅପେରା ସହ ବହୁ ପ୍ରକାରର ଘରୋଇ ଉପକରଣ ମଧ୍ୟ ଏହି ମେଳାରେ ମିଳିଥାଏ।

Leave A Reply