ଆପ ଛାଡ଼ି କଂଗ୍ରେସରେ ଯୋଗଦେବେ ଅଳକା ଲାମ୍ବା!

0

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି (ଆପ)ର ଅସନ୍ତୁଷ୍ଟ ନେତ୍ରୀ ତଥା ଚାନ୍ଦିନୀ ଚୌକ ବିଧାୟିକା ଅଳକା ଲାମ୍ବା କଂଗ୍ରେସରେ ଯୋଗଦେବା ନେଇ ଶୁକ୍ରବାର ସଂକେତ ଦେଇଛନ୍ତି। ସେ ଟ୍ୱିଟ୍‍ କରିଛନ୍ତି ଯେ ସୁଯୋଗ ମିଳିଲେ ସେ କଂଗ୍ରେସରେ ଯୋଗ ଦେବେ। ହେଲେ ଏ ପର୍ଯ୍ୟନ୍ତ ତାଙ୍କ ପାଖକୁ କଂଗ୍ରେସରୁ କୌଣସି ପ୍ରସ୍ତାବ ଆସିନାହିଁ। ଯଦି କଂଗ୍ରେସରୁ ତାଙ୍କ ପାଖକୁ କୌଣସି ପ୍ରସ୍ତାବ ଆସେ ସେ ତାକୁ ସମ୍ମାନର ସହ ଗ୍ରହଣ କରିବେ। ୨୦ ବର୍ଷ ପର୍ଯ୍ୟନ୍ତ ସେ କଂଗ୍ରେସରେ କାର୍ଯ୍ୟ କରିଛନ୍ତି। ବିଜେପିକୁ ହରାଇବା ପାଇଁ ୫ ବର୍ଷ ତଳେ ସେ ଆପରେ ଯୋଗଦେଇଥିଲେ। ଏବେ ଆପ ଛାଡ଼ି ପୁଣି ଥରେ କଂଗ୍ରେସକୁ ଫେରିବାକୁ ଚାହାଁନ୍ତି। ଏବେ ନିଷ୍ପତ୍ତି ନେବା କାମ କଂଗ୍ରେସର।
ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ତଳେ ଅଳକା ଲାମ୍ବା ଅଭିଯୋଗ କରିଥିଲେ ଯେ ଆପ ତାଙ୍କୁ ଅଣଦେଖା କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବିରୋଧରେ ଆପ ବିଧାୟକମାନେ ଆଣିଥିବା ଭାରତ ରତ୍ନ ଫେରାଇନେବା ପ୍ରସ୍ତାବକୁ ସେ ବିରୋଧ କରିଥିଲେ। ଏହା ପରଠାରୁ ଆପ ସହ ଅଳକା ଲାମ୍ବାଙ୍କ ସମ୍ପର୍କ ତିକ୍ତ ହୋଇ ପଡ଼ିଛି। ସେପଟେ ଦିଲ୍ଲୀ କଂଗ୍ରେସର ପ୍ରଭାରୀ ପିସି ଚାକୋ ଅଳକାଙ୍କ ଘର ବାହୁଡ଼ାକୁ ସ୍ୱାଗତ କରାଯିବ ବୋଲି କହିଛନ୍ତି। ଫଳରେ ଖୁବଶୀଘ୍ର ଅଳକା ଆପ ତ୍ୟାଗ କରି କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି।

Leave A Reply