ଲୋକସଭା ନିର୍ବାଚନ ୨୦୧୯ – ଆଶା ଆଶଙ୍କାରେ ପ୍ରାର୍ଥୀ

0

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ହେବାକୁ ଅଳ୍ପ ଦିନ ବାକି ଥିବାବେଳେ ଦେଶରେ ରାଜନୈତିକ କାର୍ଯ୍ୟକଳାପ ସରଗରମ ହେବାରେ ଲାଗିଛି। ମଙ୍ଗଳବାର ରାତିରେ ବି.ଜେ.ପି. କେନ୍ଦ୍ରୀୟ ନିର୍ବାଚନ କମିଟିର ଦ୍ୱିତୀୟ ବୈଠକ ହୋଇଥିଲେ ମଧ୍ୟ ପ୍ରାର୍ଥୀମାନଙ୍କର ନାମ ଚୂଡ଼ାନ୍ତ ହୋଇନାହିଁ। ଏପର୍ଯ୍ୟନ୍ତ ପାର୍ଟି ଏହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରି ନାହିଁ। ଛତିଶଗଡ଼ରେ ବି.ଜେ.ପି. ବର୍ତ୍ତମାନର ୧୦ଜଣ ଯାକ ସାଂସଦଙ୍କୁ ପୁଣି ଥରେ ପ୍ରାର୍ଥୀ ନ କରିବା ପାଇଁ ନିଷ୍ପତ୍ତି ନେଇଛି। ମୋଟ ୧୧ଟିଯାକ ଆସନରେ ପାର୍ଟି ନୂଆ ପ୍ରାର୍ଥୀମାନଙ୍କୁ ଛିଡ଼ା କରାଇବ ବୋଲି ଛତିଶଗଡ଼ ଦାୟିତ୍ୱରେ ଥିବା ପାର୍ଟି ସାଧାରଣ ସମ୍ପାଦକ ଅନିଲ୍‍ ଜୈନ୍‍ ଏହା ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସ ୯ ଜଣ ପ୍ରାର୍ଥୀଙ୍କ ନାମ ଥିବା ଷଷ୍ଠ ତାଲିକା ପ୍ରକାଶ କରିଛି। ସେଥିରେ ମହାରାଷ୍ଟ୍ରରେ ୭ ଜଣ ଓ କେରଳରୁ ୨ ଜଣ ପ୍ରାର୍ଥୀ ଅଛନ୍ତି। କଂଗ୍ରେସ ଏପର୍ଯ୍ୟନ୍ତ ୧୪୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ଜମ୍ମୁ-କାଶ୍ମୀର୍‍ରେ ପି.ଡି.ପି. ମୁଖ୍ୟ ମେହବୁବା ମୁଫ୍‍ତି କଂଗ୍ରେସ ସହ ମେଣ୍ଟ ଗଠନ ସଂକ୍ରାନ୍ତ ଖବରକୁ ଖଣ୍ଡନ କରି କହିଛନ୍ତି, ତାଙ୍କ ପାର୍ଟି ରାଜ୍ୟର ସମସ୍ତ ୬ଟିଯାକ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା କଥା କହିଥିବା ବେଳେ ଆମ୍‍ ଆଦ୍‍ମୀ ପାର୍ଟି ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‍ କେଜରିୱାଲ୍‍ କହିଛନ୍ତି, ଦିଲ୍ଲୀରେ ଆମ୍‍ ଆଦ୍‍ମୀ ପାର୍ଟି ସହ ମେଣ୍ଟ ଗଠନ କରିବାକୁ କଂଗ୍ରେସ ମନା କରିଥିବାରୁ ଦୁଇ ଦଳ ମଧ୍ୟରେ ଏ ବିଷୟରେ କଥାବାର୍ତ୍ତା ହେବ ନାହିଁ। ସି.ପି.ଆଇ.ଏମ୍‍. ନେତୃତ୍ୱ ବାମପନ୍ଥୀ ସାମ୍ମୁଖ୍ୟ ପଶ୍ଚିମବଙ୍ଗରେ ଆଉ ୧୩ଟି ଆସନ ପାଇଁ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିବା ସହ ଏପର୍ଯ୍ୟନ୍ତ ମୋଟ ୩୮ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ସମାଜାବଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମହାରାଷ୍ଟ୍ରରେ ପ୍ରାକ୍‍-ନିର୍ବାଚନ ମେଣ୍ଟ ଗଠନ ବିଷୟ ଘୋଷଣା କରିଛନ୍ତି। ଦଳୀୟ ବିଧାୟକ ଆବୁ ଅସୀମ୍‍ ଆଜ୍‍ମୀ କହିଛନ୍ତି, ଦୁଇଟିଯାକ ଦଳ ଏକ ତୃତୀୟ ସାମ୍ମୁଖ୍ୟ ଲୋକମାନଙ୍କୁ ଦେଇପାରିବେ। ସେ କହିଛନ୍ତି, ଏସ୍‍.ପି. ବି.ଏସ୍‍.ପି. ମେଣ୍ଟ ମହାରାଷ୍ଟ୍ରର ସମସ୍ତ୍ର ୪୮ଟିଯାକ ଲୋକସଭା ଆସନରୁ ପ୍ରାର୍ଥୀ ଛିଡ଼ା କରାଇବ।

ଇତିମଧ୍ୟରେ ନିର୍ବାଚନ କମିଶନ୍‍ ତାମିଲ୍‍ନାଡ଼ୁ ଓ ମହାରାଷ୍ଟ୍ର ନିର୍ବାଚନ ପାଇଁ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତ କରିଛନ୍ତି। ନିର୍ବାଚନ ସମୟରେ ଅର୍ଥ, ମାଦକ ଦ୍ରବ୍ୟ ଓ ଅନ୍ୟାନ୍ୟ ଜିନିଷ ମାଗଣାରେ ବଣ୍ଟାଯିବା ଆଦିକୁ ସେମାନେ ତଦାରଖ କରିବେ।

ଲୋକସଭା ନିର୍ବାଚନ ୨୦୧୯ ପାଇଁ ସାମାଜିକ ଗଣମାଧ୍ୟମ, ଇଣ୍ଟର୍‍ନେଟ୍‍ ଓ ଭାରତୀୟ ମୋବାଇଲ୍‍ ସଂଘ ମଙ୍ଗଳବାର ସନ୍ଧ୍ୟାସୁଦ୍ଧା ଏକ ଆଚରଣ ବିଧି ଧାର୍ଯ୍ୟ କରିବେ। ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର୍‍ ସୁନିଲ୍‍ ଅରୋଡ଼ା ଆଦର୍ଶ ଆଚରଣ ବିଧି ଭଳି ଏକ ଆଚରଣ ବିଧି ପ୍ରସ୍ତୁତ କରିବାକୁ ସାମାଜିକ ଗଣମାଧ୍ୟମ ସଙ୍ଗଠନଗୁଡ଼ିକୁ କହିଥିଲେ। ଫେସ୍‍ବୁକ୍‍, ହ୍ୱାଟ୍‍ସ୍‍ ଆପ୍‍, ଟ୍ୱିଟର୍‍, ଗୁଗୁଲ୍‍ ଓ ଅନ୍ୟ ସାମାଜିକ ଗଣମାଧ୍ୟମ ସଙ୍ଗଠନର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

ତେବେ ୫୪୩ଟି ଲୋକସଭା ଆସନ ପାଇଁ ଆସନ୍ତା ମାସ ୧୧ ତାରିଖରୁ ମେ ମାସ ୧୯ ତାରିଖ ମଧ୍ୟରେ ୭ଟି ପର୍ଯ୍ୟାୟରେ ମତଦାନ ହେବ। ଭୋଟ୍‍ଗଣତି ମେ ମାସ ୨୩ ତାରିଖରେ ହେବ। ଇତିମଧ୍ୟରେ ତାମିଲ୍‍ନାଡ଼ୁରେ ଏପ୍ରିଲ୍‍ ୧୮ ତାରିଖର ଲୋକସଭା ନିର୍ବାଚନ ପାଇଁ ପ୍ରଥମ ଦିନରେ ୨୦ ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବି.ଜେ.ପି. ଓ କଂଗ୍ରେସ୍‍କୁ ଛାଡ଼ି ବାକି ସମସ୍ତ ଦଳ ସାଧାରଣ ନିର୍ବାଚନ ପାଇଁ ସେମାନଙ୍କର ପ୍ରାର୍ଥୀମାନଙ୍କର ନାମ ପ୍ରକାଶ କରିବା ଆରମ୍ଭ କରିଛନ୍ତି।

ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସକାଶେ ଆଉ ମାତ୍ର ୨ ଦିନ ବାକି ଥିବାବେଳେ ସୁରକ୍ଷା ଦୃଷ୍ଟିରୁ ସେଠାରେ ୫୫ଟି କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଯବାନ ମୁତୟନ ହୋଇଛନ୍ତି। ନକ୍ସଲ୍‍ ଉପଦ୍ରୁତ ଅଞ୍ଚଳଗୁଡ଼ିକରେ କଡ଼ା ନଜର ରଖାଯାଇଛି।

Leave A Reply