ଲାଙ୍ଗର ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ

0

ସିଡ଼ନୀ : ଜଷ୍ଟିସ୍‌ ଲାଙ୍ଗରଙ୍କୁ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ଗୁରୁବାର ଘୋଷଣା କରାଯାଇଛି। ଡାରେନ୍‌ ଲିମ୍ୟାନ୍‌ଙ୍କ ସ୍ଥାନରେ ଲାଙ୍ଗରଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ମିଳିଛି।
ପୂର୍ବତନ ଟେଷ୍ଟ ଓପନ୍‌ର ୪୭ ବର୍ଷୀୟ ଲାଙ୍ଗର ଅଷ୍ଟ୍ରେଲିଆ ଦଳର ଟେଷ୍ଟ, ଦିନିକିଆ ଓ ଟ୍ୱେଣ୍ଟି୨୦ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ଆସନ୍ତା ୨୨ରୁ ସେ ନିଜ ପଦଭାର ଗ୍ରହଣ କରିବେ ଏବଂ ଆସନ୍ତା ୪ ବର୍ଷ ପର୍ଯ୍ୟନ୍ତ ଏହି ପଦରେ କାର୍ଯ୍ୟ କରିବେ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ସୂଚନା ମିଳିଛି। ସୂଚନାଥାଉକି ଦକ୍ଷିଣ ଆଫି୍ରକା ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ ଓ ଉପଅଧିନାୟକ ଡେଭିଡ ୱାର୍ଣ୍ଣର ବଲ୍‌ ଟାମ୍ପରିଂ ପାଇଁ ପ୍ରୟାସ କରିଥିବା ସ୍ୱୀକାର କରିବା ପରେ ସେମାନଙ୍କୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ବାସନ୍ଦ କରିଥିଲା। ଏହାପରେ ଲିମ୍ୟାନ୍‌ ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ। ଲିମ୍ୟାନ୍‌ଙ୍କ ଇସ୍ତଫା ପରେ ଦଳର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ କିଏ ହେବ ସେ ନେଇ ବହୁ ମାନସ ମନ୍ଥନ ପରେ ଲାଙ୍ଗରଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି କ୍ରିକେଟ୍‌ ଅଷ୍ଟ୍ରେଲିଆ। ଲାଙ୍ଗର ଦୁଇଟି ଆସେସ୍‌ ସିରିଜ୍‌, ଗୋଟିଏ ଦିନିକିଆ ବିଶ୍ୱକପ୍‌ ଓ ଗୋଟିଏ ଟ୍ୱେଣ୍ଟି୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିବେ।
ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ପାଇବା ପରେ ନିଜ ପ୍ରତିକ୍ରିୟାରେ ଲାଙ୍ଗର କହିଥିଲେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଇଥିବାରୁ ସେ ବେଶ୍‌ ଖୁସି ଅଛନ୍ତି। ଏହା ତାଙ୍କ ପାଇଁ ଏକ ଆହ୍ୱାନ ଏବଂ ଏହାକୁ ସୁଚାରୁ ରୂପେ ତୁଲାଇବାକୁ ସେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ। ବିଶ୍ୱକପ୍‌ କ୍ରିକେଟ୍‌, ଆସେସ୍‌ ସିରିଜ୍‌ରେ ଭଲ ପ୍ରଦର୍ଶନ କରିବା ସହ ୨୦୨୧ରେ ଭାରତକୁ ତା’ରି ମାଟିରେ ଟେଷ୍ଟ ସିରିଜ୍‌ରେ ହରାଇବା ତାଙ୍କ ପାଇଁ ପ୍ରମୁଖ ଲକ୍ଷ୍ୟ ବୋଲି ଲାଙ୍ଗର ମତ ଦେଇଛନ୍ତି।
ସୂଚନାଥାଉକି ଲାଙ୍ଗର ଅଷ୍ଟ୍ରେଲିଆ ତରଫରୁ ୧୦୫ଟି ଟେଷ୍ଟ ଓ ୮ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ସେ ଟେଷ୍ଟରେ ୭୫୦୦ରୁ ଊର୍ଦ୍ଧ୍ବ ରନ୍‌ ସଂଗ୍ରହ କରିଥିବା ବେଳେ ସେଥିରେ ୨୩ଟି ଶତକ ରହିଛି। ଏହାବାଦ୍‌ ସେ ୩୬୦ଟି ପ୍ରଥମ ଶ୍ରେଣୀ କ୍ରିକେଟ୍‌ ମ୍ୟାଚ୍‌ ଖେଳି ୨୮ ହଜାରରୁ ଊର୍ଦ୍ଧ୍ବ ରନ୍‌ ସଂଗ୍ରହ କରିଛନ୍ତି। ସେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଓ ପର୍ଥ ଦଳର ପ୍ରଶିକ୍ଷକ ଭାବେ ଗତ ୨୦୧୨ରୁ କାର୍ଯ୍ୟ କରି ଆସୁଛନ୍ତି। ସେ ଦୁଇଥର ଅଷ୍ଟ୍ରେଲିଆ ଦଳର ମଧ୍ୟବର୍ତ୍ତୀ କାଳୀନ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି। ୨୦୧୬ରେ ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ଦିନିକିଆ ସିରିଜ୍‌ ଓ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷ ଟ୍ୱେଣ୍ଟି୨୦ ସିରିଜ୍‌ରେ ସେ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ।

Leave A Reply