ଘୋଡ଼ା ବେପାର ଭୟରେ କଂଗ୍ରେସ ଓ ଜେଡିଏସ୍ ବିଧାୟକଙ୍କୁ ନଜରବନ୍ଦୀ; ହାଇକମାଣ୍ଡଙ୍କ ନିର୍ଦେଶ !

0

ବେଙ୍ଗାଲୁରୁ: ଦୀର୍ଘ ଦିନର ପ୍ରଚାର। ଲମ୍ବା ଚୌଡ଼ା ଘୋଷଣା। ବ୍ୟାପକ ପ୍ରତିଶ୍ରୁତି ପରେ ମଧ୍ୟ କର୍ଣ୍ଣାଟକ ନିର୍ବାଚନରେ କୌଣସି ରାଜନୈତିକ ଦଳକୁ ସ୍ପଷ୍ଟ ବହୁମତ ମିଳି ନାହିଁ। ମତଦାନ ଗଣତିରେ ବିଜେପିକୁ ସର୍ବାଧିକ ଆସନ ମିଳିଥିଲେ ମଧ୍ୟ ମ୍ୟାଜିକ ନମ୍ବର ଅତିକ୍ରମ କରିବାରେ ଦଳ ବିଫଳ ହୋଇଛି। ଗୋଟିଏ ପଟେ ଗଣତି ଚାଲିଛି ଅନ୍ୟପଟେ ହଠାତ୍‍ କଂଗ୍ରେସ ଓ ଜେଡିଏସ୍‍ ମଧ୍ୟରେ ମେଣ୍ଟ ହେବାର ଖବର ଆସିଲା। ସରକାର କରିବାକୁ ଆତୁର ଉଭୟ ଦଳ ତରବରିଆ ଭାବରେ ବହୁମତ ପ୍ରମାଣିତ କରିବାକୁ ଦୌଡ଼ି ଥିଲେ ରାଜ୍ୟପାଳଙ୍କ ପାଖକୁ। ହେଲେ ସାକ୍ଷାତକାର ପାଇଁ ପୂର୍ବରୁ ସମୟ ନେଇ ନଥିବାରୁ ବିଫଳ ହୋଇ ସେମାନଙ୍କୁ ଫେରିବାକୁ ପଡ଼ିଥିଲା।


ଗଣତି ସରିଲା। କର୍ଣ୍ଣାଟକର ୨୨୨ଟି ଆସନ ମଧ୍ୟରୁ ବିଜେପି ୧୦୪ରେ ସୀମିତ ରହିଲା। କଂଗ୍ରେସ ୭୮ ଓ ଜେଡିଏସ୍‍ ୩୮ରେ ରହିଗଲା। ସରକାର ଗଢିବା ପାଇଁ ସର୍ବନିମ୍ନ ୧୧୨ ଆସନରୁ ସମସ୍ତେ ଦୂରରେ ରହିଥିବାବେଳେ କଂଗ୍ରେସ ଓ ଜେଡିଏସ ମେଣ୍ଟ ଏହି ପ୍ରକ୍ରିୟାରେ ବଳିଷ୍ଠ ଦାବିଦାର ଭାବରେ ସାମ୍ନାକୁ ଆସିଲା। ବିଜେପି ନେତା ବିଏସ ୟେଦୁରପ୍ପା ପୂର୍ବରୁ ରାଜ୍ୟପାଳଙ୍କ ସହ ସାକ୍ଷାତ ପାଇଁ ସମୟ ନେଇଥିଲେ। ରାଜ୍ୟପାଳଙ୍କୁ ଭେଟି ବିଜେପି ଏକମାତ୍ର ସଂଖ୍ୟାଗରିଷ୍ଠ ଦଳ ସରକାର କରିବ ବୋଲି ରାଜ୍ୟପାଳଙ୍କ ପାଖରେ ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ଏପରିକି କିଛି କଂଗ୍ରେସ ଓ ଜେଡିଏସ୍‍ ନେତାଙ୍କ ସମର୍ଥନ ତାଙ୍କୁ ମିଳିଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ୟେଦୁରପ୍ପାଙ୍କ ଏଭଳି ମନ୍ତବ୍ୟ କର୍ଣ୍ଣାଟକ ରାଜନୀତିକୁ ଚଳଚଞ୍ଚଳ କରି ଦେଇଥିଲା। କଂଗ୍ରେସ ଓ ଜେଡିଏସ ଓ ଦୁଇ ସ୍ୱାଧୀନ ବିଧାୟକ କେତେବେଳେ କେଉଁ ଦଳକୁ ସମର୍ଥନ କରିବେ ଏହାକୁ ନେଇ ଟଣାଓଟରା ଆରମ୍ଭ ହୋଇଗଲା। ଶେଷରେ ବାଧ୍ୟ ହୋଇ କଂଗ୍ରେସ ବିଜେପି ଭୟରେ “ଇଙ୍ଗଲେଣ୍ଟନ ଗଲ୍ଫ ରିସୋର୍ଟ’ରେ ୧୦୨ଟି କୋଠରୀ ଭଡ଼ାରେ ନେଇଥିବା ଜଣାପଡ଼ିଛି। କର୍ଣ୍ଣାଟକରେ ସରକାର ନ ହେବା ପର୍ଯ୍ୟନ୍ତ କଂଗ୍ରେସ ଓ ଜେଡିଏସ ଓ ଦୁଇ ସ୍ୱାଧୀନ ବିଧାୟକ ସେମାନଙ୍କ ମୋବାଇଲ ସୁଇଚ ଅଫ କରି ଏହି ରିସୋର୍ଟରେ ରହିବାକୁ ହାଇକମାଣ୍ଡ ନିର୍ଦେଶ ଜାରି କରିଛନ୍ତି।

 

Leave A Reply