ମୂଲ୍ୟବୋଧର ଅବକ୍ଷୟ ଦେଶପାଇଁ ବିପଦ : ମାଲବ୍ୟ

0

ଭୁବନେଶ୍ୱର : ଯୁବସମାଜ ଆଜି ଅଧିକ ଅର୍ଥ ଉପାର୍ଜନ ପଛରେ ଗୋଡ଼ାଉଥିବା ବେଳେ ସେମାନଙ୍କଠାରେ ନୈତିକ ଓ ସାମାଜିକ ମୂଲ୍ୟବୋଧ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଏହା ଦେଶପାଇଁ ବିପଦ। ନୈତିକ ଶିକ୍ଷାର ଅଭାବ ଏହାର ମୁଖ୍ୟ କାରଣ ବୋଲି ଲୋକସେବକ ମଣ୍ଡଳ ସଭାପତି ଦୀପକ ମାଲବ୍ୟ କହିଛନ୍ତି। କିସ୍‌ ବିଶ୍ୱବିଦ୍ୟାଳୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଚେୟାର ଓ ଗବେଷଣା କେନ୍ଦ୍ର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମାଲବ୍ୟ ଉପରୋକ୍ତ ମତ ଦେଇଛନ୍ତି। ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷା ଦିଆଯାଉଥିଲା। ଅଧିକାଂଶ ଶିକ୍ଷାନୁଷ୍ଠାନରେ ନୈତିକ ଶିକ୍ଷାର ଅଭାବ ଦେଖିବାକୁ ମିଳୁଛି। ଫଳରେ ଗୁରୁଜନ, ବୃଦ୍ଧ ମାତାପିତାଙ୍କୁ ସେମାନଙ୍କ ସନ୍ତାନମାନେ ବୋଝ ବୋଲି ମନେ କରୁଛନ୍ତି। ସେଥିପାଇଁ ଆମ ଦେଶରେ ବୃଦ୍ଧାଶ୍ରମ ପରମ୍ପରା ବଢିବାରେ ଲାଗିଛି। କିସ୍‌ରେ ପ୍ରତିଷ୍ଠା ହୋଇଥିବା ଗୋପବନ୍ଧୁ ଚେୟାର ଓ ଗବେଷଣା କେନ୍ଦ୍ର ଜରିଆରେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ଗୋପବନ୍ଧୁଙ୍କ ଜୀବନ ଦର୍ଶନ, କାର୍ଯ୍ୟଶୈଳୀ ଓ ମାନବିକତାରୁ ନିଶ୍ଚିତ ରୂପେ ପ୍ରେରଣା ପାଇବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। କୌଣସି ଏକ ବିଶ୍ୱବିଦ୍ୟାଳୟ ଗୋପବନ୍ଧୁଙ୍କ ନାମରେ ଏକ ଚେୟାର ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରୁ ବୋଲି ବହୁ ଦିନରୁ ଲୋକସେବକ ମଣ୍ଡଳର ସ୍ପପ୍ନ ଥିଲା ଏବଂ ଏହାକୁ ଶେଷରେ କିସ୍‌ ସାକାର କରିଥିବାରୁ ସେ କିସ୍‌ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସାଧୁବାଦ ଜଣାଇଥିଲେ।
ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ କହିଥିଲେ ଯେ ଗୋପବନ୍ଧୁ ଜଣେ ଯୁଗସ୍ରଷ୍ଟା ଥିଲେ। ସେ କରିଯାଇଥିବା କାର୍ଯ୍ୟ ଓ ତାଙ୍କର ଜୀବନଦର୍ଶନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଗୋପବନ୍ଧୁଙ୍କ ଜୀବନର ଅନେକ ଲୁକ୍‌କାୟିତ ତଥ୍ୟ ଏବେ ବି ଲୋକଲୋଚନକୁ ଆସିପାରିନାହିଁ। ଗୋପବନ୍ଧୁ ଚେୟାର ଓ ଗବେଷଣା କେନ୍ଦ୍ର ଜରିଆରେ ଏହା ଉପରେ ଅଧିକ ଗବେଷଣା କରାଗଲେ ଗୋପବନ୍ଧୁଙ୍କ ସମ୍ପର୍କିତ ଅନେକ ତଥ୍ୟ ଲୋକମାନେ ଜାଣିପାରିବେ। ଏହି ଗବେଷଣା କେନ୍ଦ୍ର ଜରିଆରେ ଛାତ୍ରଛାତ୍ରୀମାନେ ଗୋପବନ୍ଧୁଙ୍କ ଜୀବନ ଦର୍ଶନରୁ ପ୍ରେରଣା ପାଇ ଭବିଷ୍ୟତରେ ତାଙ୍କ ପରି ହୋଇପାରିଲେ ଏହା ଗୋପବନ୍ଧୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଉତ୍କଳମଣି ଗୋପବନ୍ଧୁଙ୍କ ଜୀବନ ଦର୍ଶନ କିସ୍‌ରେ ପ୍ରତିଫଳିତ ହୋଇଛି। କିସ୍‌ ମାଧ୍ୟମରେ ତାଙ୍କର ସ୍ୱପ୍ନ କିଛି ମାତ୍ରାରେ ସାକାର ହୋଇପାରିଛି। ଗୋପବନ୍ଧୁ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ଏହି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ଗୋପବନ୍ଧୁଙ୍କ ବହୁମୁଖୀ ଜୀବନର ଅନେକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଶ୍ରୀ ସାମନ୍ତ କହିଥିଲେ।
ସମ୍ମାନିତ ଅତିଥି ଭାବେ ସମାଜର ସମ୍ପାଦକ ବାମାପଦ ତ୍ରିପାଠୀ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଛାତ୍ରାବସ୍ଥାରୁ ଗୋପବନ୍ଧୁ ଲୋକଙ୍କ ସେବା କରି ଆସୁଥିଲେ। ଗୋପବନ୍ଧୁ ଯେଉଁସବୁ ସଂସ୍କାରମୂଳକ କାମ ଆରମ୍ଭ କରିଥିଲେ ମହାତ୍ମା ଗାନ୍ଧୀ ସେହି କାର୍ଯ୍ୟଧାରାକୁ ଅନୁସରଣ କରିଥିଲେ। ଭାଷାଭିତ୍ତିକ ରାଜ୍ୟ ଗଠନକୁ ଗୁରୁତ୍ୱ ଦେଇ ଏହାକୁ ସାକାର କରିବାରେ ଗୋପବନ୍ଧୁଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ। ଏହାର ଫଳ ସ୍ୱରୂପ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ସମ୍ଭବ ହୋଇପାରିଛି। ଗୋପବନ୍ଧୁ ଆଜି ବି ଆମ ଭିତରେ ସୂକ୍ଷ୍ମ ରୂପରେ ବିରାଜମାନ ଅଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ବିମଳେନ୍ଦୁ ମହାନ୍ତି, ବିଦ୍ୱାନ ପଣ୍ଡିତ ପ୍ରବୋଧ ମିଶ୍ର, ସମାଜର ବାର୍ତ୍ତା ସମ୍ପାଦକ ସୁଶାନ୍ତ ମହାନ୍ତି, ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ଅବସରପ୍ରାପ୍ତ କୂଟନୀତିଜ୍ଞ ଅବସର ବେଉରିଆ, ବିଶିଷ୍ଟ ସାହିତି୍ୟକ ହରପ୍ରସାଦ ଦାସ, କିଟ୍‌ ଓ କିସ୍‌ର ସଭାପତି ଶାଶ୍ୱତୀ ବଳ, କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି, କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ, କିସ୍‌ ବିଶ୍ୱବିଦ୍ୟାଳୟ କୁଳସଚିବ ଜୁଲିଅସ୍‌ ଲାକ୍ରା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ ରାଉତରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ କିଟ୍‌ ଓ କିସ୍‌ର ସମ୍ପାଦକ ଆର.ଏନ. ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply