ପୁଣି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

0

ଖଡିଆଳ : ସରକାର ଅପହଞ୍ଚ ଇଲାକା ମାନଙ୍କୁ ରାସ୍ତା ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବହୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବିଭିନ୍ନ ଜନ କଲ୍ୟାଣ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରାଜନେତା ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ଏହିସବୁ ଯୋଜନାର ସଫଳ ରୂପାୟନ ହୋଇ ପାରୁନାହିଁ। ଯାହା ଫଳରେ ଏହି ସବୁ ଅପହଞ୍ଚ ଇଲାକା ମାନଙ୍କର ସ୍ଥିତି ଯଥାପୂର୍ବଂ ତଥା ପରଂ ରହିଯାଉଛି। ଏହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲା ଖଡିଆଳ ବ୍ଲକ୍‍ କିରିକିଟା ପଞ୍ଚାୟତ ଅନ୍ତର୍ଗତ ଅପହଞ୍ଚ ଇଲାକା କପରପଡା ଗାଁ ରେ। ଗୁରୁବାର ସକାଳୁ ଏହି ଗ୍ରାମର ପରମାନନ୍ଦ ମାଝୀଙ୍କ ସ୍ତ୍ରୀ ଯୋଗିନୀ ମାଝୀଙ୍କୁ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଗର୍ଭବତୀଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ୍‍ କଲା ପରେ ରାସ୍ତାର ଦୂରାବସ୍ଥା ଯୋଗୁଁ ଆମ୍ବୁଲାନ୍‍ସ କପରପଡା ଗାଁକୁ ଆସିନପାରି ଗାଁ ଠାରୁ ୫ କିଲୋମିଟର ଦୂରରେ ରହିଯାଇଥିଲା। ଯାହାଫଳରେ ଗର୍ଭବତୀଙ୍କୁ ଏକ ଷ୍ଟ୍ରେଚର୍‍ ସାହାଯ୍ୟରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇ ପରେ ଖଡିଆଳ ଉପଖଣ୍ଡ ଚିକିତ୍ସାଳୟ ଗୋଷ୍ଠୀକୁ ନିଆଯାଇଥିଲା। କପରାପଡା ଗାଁ ଏକ ଅପହଞ୍ଚ ଇଲାକା ହୋଇଥିବା ବେଳେ ଏଠିକାର ଅଧିବାସୀ ସାଧାରଣ ମୌଳିକ ସୁବିଧା ସୁଯୋଗ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏହାର କୌଣସି ସୁଫଳ ପାଇପାରୁନାହାଁନ୍ତି। ଯାହାଫଳରେ ଏହି ଗାଁରେ ବାରମ୍ବାର ଏହି ଭଳି ଉଦାହରଣ ଦେଖିବାକୁ ମିଳୁଛି। ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଗ୍ରାମକୁ ପ୍ରଥମେ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ ଜଣାଇଛନ୍ତି।

Leave A Reply