ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ; ଅଭିଯୁକ୍ତ ସ୍ୱାମୀ ଗିରଫ

0

ଖମାର : ପାଳଲହଡ଼ା ବ୍ଲକ କ୍ଷେମଳା ପଞ୍ଚାୟତ ବାରକୋଟିଆ ମୂଳାଡ଼ିହ ସାହିରେ ଘଟିଛି ଅଘଟଣ। ଜ୍ୱାଇଁ ଘରେ ଶ୍ୱଶୁର ଟାଙ୍ଗିଆରେ ହାଣି ଶାଶୂକୁ ହତ୍ୟା କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଘଟଣାରୁ ପ୍ରକାଶ ଯେ ଦେବଗଡ଼ ଜିଲା ରିଆମାଳ ଥାନା କାଦପଡ଼ା ଗ୍ରାମର ବଳଦେବ ବେହେରା (୭୨) ସ୍ତ୍ରୀ ଭଗବତୀ (୪୩) ମୁଳାଡିହ ସାହିରେ ରହୁଥିବା ଝିଅଜ୍ୱାଇଁଙ୍କ ଘରକୁ ବୁଲିବାକୁ ଆସିଥିଲେ। ୨୩ ତାରିଖ ସକାଳେ ଶାଶୂ ଶ୍ୱଶୁରଙ୍କ ଚିତ୍କାର ଶୁଣି ଝିଅଜ୍ୱାଇଁ ଦୌଡ଼ି ଆସି ଦେଖିଥିଲେ ଯେ ବଳଦେବ ଏକ ଟାଙ୍ଗିଆରେ ଭଗବତୀକୁ ହାଣିଦେଇଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଭଗବତୀର ପ୍ରାଣବାୟୁ ଉଡ଼ିଯାଇଥିଲା।
ଜ୍ୱାଇଁ ଯାଦବ ପେଣ୍ଠାଇ ପୁଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ। ଖମାର ଥାନା ଅଧିକାରୀ ଯୁଗଳକିଶୋର ଦାସ, ଏସ୍‍ଆଇ ଗୌରାଙ୍ଗ ବେହେରା ପହଞ୍ଚି ଅଭିଯୁକ୍ତ ହତ୍ୟାକାରୀ ବଳଦେବ ବେହେରାକୁ ଗିରଫ କରିବା ସହିତ ମୃତ ଭଗବତୀ ବେହେରାର ଶବକୁ ଜବତ କରିଥିଲେ। ଭଗବତୀର ଚରିତ୍ରକୁ ସନ୍ଦେହ କରି ସେ ତାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ବଳଦେବ ପୁଲିସ ସମ୍ମୁଖରେ ସ୍ୱୀକାର କରିଛି। ଖମାର ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଶବ ବ୍ୟବଚ୍ଛେଦ ପରେ ମୃତକର ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଖମାର ଥାନା ଅଧିକାରୀ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ ଭଗବତୀ ହେଉଛନ୍ତି ବଳଦେବଙ୍କ ଚତୁର୍ଥ ସ୍ତ୍ରୀ। ବଳଦେବର ବ୍ୟବହାରରେ ଅତିଷ୍ଠ ହୋଇ ପୂର୍ବରୁ ୩ଟି ସ୍ତ୍ରୀ ତାଙ୍କୁ ଛାଡ଼ି ପଳାଇଛନ୍ତି। ବଳଦେବଙ୍କର ୨ଟି ଝିଅ ମଧ୍ୟରୁ ଗୋଟିଏ ଝିଅକୁ ବାର୍‍କୋଟିଆ ଗ୍ରାମରେ ବିବାହ କରିଥିବା ବେଳେ ଗୋଟିଏ ଝିଅ ଗାଁରେ ଅଛି। ୨ଟି ପୁଅ ମଧ୍ୟରୁ ଗୋଟିଏ ପୁଅ ଟ୍ରକ ଚାଳକ ଓ ଅନ୍ୟ ପୁଅଟି ନବମ ଶ୍ରେଣୀରେ ପାଠ ପଢ଼ୁଛି।

Leave A Reply