କେରଳରେ ଜଳ ପ୍ରଳୟ: ୩୨୪ ମୃତ

0

ତିରୁଅନନ୍ତପୁରମ୍‍ : ଗତ ୮ତାରିଖଠାରୁ ଲାଗି ରହିଥିବା ବର୍ଷା ଓ ବନ୍ୟା ବିତ୍ପାତରେ କେରଳ ଛାରଖାର ହୋଇଯାଇଛି। କେରଳର ୧୨ଟି ଜିଲାରେ ବନ୍ୟା ପରିସ୍ଥିତି ଉଦ୍‍ବେଗଜନକ ରହିଛି। ୧୦୦ ବର୍ଷ ମଧ୍ୟର ଏହା ସବୁଠୁ ପ୍ରଳୟଙ୍କରୀ ବନ୍ୟା ବୋଲି କୁହାଯାଉଛି। ଲୋକଙ୍କ କହିବା ଅନୁସାରେ ବିଗତ ୧୦୦ ବର୍ଷ ମଧ୍ୟରେ ଏଭଳି ବନ୍ୟା ଦେଖିବାକୁ ମିଳିନଥିଲା। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ୮୦ଟି ଡ୍ୟାମ୍‍ ଗେଟ୍‍ ଖୋଲି ଦିଆଯାଇଛି। ମାତ୍ର ୯ ଦିନରେ ବର୍ଷା ଓ ବନ୍ୟାରେ ୩୨୪ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ପାଣିପାଗ ବିଭାଗ ଆଗକୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ଫଳରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‍ ବନ୍ୟା ପ୍ରଭାବିତ ଜିଲାଗୁଡ଼ିକରେ ରେର୍ଡ ଆଲର୍ଟ ଜାରି କରିଛନ୍ତି। ବନ୍ୟା ଯୋଗୁଁ ୨୨୩୧୩୯ ଲୋକ ବାସ ହରାଇ ୧୫୦୦ରୁ ଊର୍ଦ୍ଧ୍ବ ରିଲିଫ୍‍ ଶିବିରରେ ଆଶ୍ରୟ ନେଇଛନ୍ତି। ବନ୍ୟା ସାଙ୍ଗକୁ ପ୍ରବଳ ବର୍ଷା ଓ ଭୂସ୍ଖଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ହସ୍ପିଟାଲଗୁଡ଼ିକରେ ଔଷଧ, ଅମ୍ଳଜାନ ସିଲିଣ୍ଡର ଅଭାବ ଦେଖାଦେଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‍ ଫୋନ୍‍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।
ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ଦିଲ୍ଲୀ ଓ ଗୁଜରାଟରୁ ୧୨ଟି ଏନ୍‍ଡିଆରଏଫ୍‍ ଟିମ୍‍ ଓ ସେନା ଯବାନଙ୍କୁ ପଠାଯାଇଛି। ମାଡ୍ରାସ ରେଜିମେଣ୍ଟର ଗୋଟିଏ ୟୁନିଟ, ନୌସେନା, ବାୟୁସେନା, ଏନଡିଆରଏଫ ଯବାନ ଓ ସେନା ଯବାନ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ବାୟୁସେନାର ଆଉ ୧୧ଟି ହେଲିକପ୍ଟର ପଠାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ ସୂଚନା ଦେଇଛନ୍ତି। କୋଚି ବିମାନ ବନ୍ଦରକୁ ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ବହୁ ଟ୍ରେନ୍‍କୁ ବାତିଲ କରାଯାଇଥିବାବେଳେ କେତେଗୁଡ଼ିଏ ବିଳମ୍ବରେ ଚାଲୁଛି। ବର୍ଷା ଲାଗି ରହିଥିବାରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମୁନ୍ନାର ପାହାଡ଼ିଆ ଅଞ୍ଚଳ ପୋନମୁଡ଼ି ପର୍ଯ୍ୟଟନସ୍ଥଳକୁ ନ ଯିବା ପାଇଁ ପର୍ଯ୍ୟଟକଙ୍କୁ ସତର୍କ କରାଇ ଦିଆଯାଇଛି। ୱାୟାନାଡ଼, କୋଝିକୋଡ଼, କନ୍ନୁର, କାସାରାଗୋଡ଼, ମଲପୁରମ, ପଲକଜ, ଇଡୁକ୍କି ଏବଂ ଏର୍ଣ୍ଣାକୁଲମ ସମେତ ୧୨ଟି ଜିଲାରେ ‘ରେଡ୍‍ ଆଲର୍ଟ’ ଜାରି କରାଯାଇଛି। ପେରିୟାର ନଦୀରେ ବନ୍ୟା ଯୋଗୁଁ ମୁଲ୍ଲାପେରିୟାର, ଚେରୁଥେନି, ଇଡୁକ୍କି, ଇଦାମାଲାୟାର ଭଳି ଏକାଧିକ ଜଳଭଣ୍ଡାରର ଫାଟକ ଖୋଲି ଦିଆଯାଇଛି।

Leave A Reply