ୟେଦୁରପ୍ପାଙ୍କୁ ଧକ୍କା: ଶନିବାର ଦେବେ ଶକ୍ତିପରୀକ୍ଷା

0

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ସରକାର ଗଠନ ପାଇଁ ଚାଲିଥିବା ନାଟକର ଦୃଶ୍ୟ ପ୍ରତିଦିନ ବଦଳିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଭାବେ ୟେଦୁରପ୍ପା ଶପଥ ନେବାର ୨୪ ଘଣ୍ଟା ପରେ ଶନିବାର ବିଧାନସଭାରେ ଶକ୍ତିପରୀକ୍ଷା ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।
ବିଚାରପତି ଏ କେ ସିକ୍ରି, ଏସ ଏ ବୋବ୍‍ଡେ ଓ ଅଶୋକ ଭୁଷଣଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠଙ୍କ ନିର୍ଦେଶାନୁଯାୟୀ ଶନିବାର ଅପରାହ୍ଣ ୪ଟାରେ ୟେଦୁରପ୍ପା ତାଙ୍କ ଦଳ ବିଜେପି ପ୍ରତି ସର୍ବାଧିକ ବିଧାୟକଙ୍କ ସମର୍ଥନ ଥିବା ପ୍ରମାଣିତ କରିବେ। ପୂର୍ବରୁ ବହୁମତ ସାବ୍ୟସ୍ତ ପାଇଁ ୟେଦୁରପ୍ପା ୭ ଦିନ ସମୟ ମାଗିଥିବା ବେଳେ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲା ତାଙ୍କୁ ୧୫ ଦିନ ସମୟ ଦେଇଥିଲେ। ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କଂଗ୍ରେସ ଓ ଜେଡିଏସ୍‍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୂଚନାଯୋଗ୍ୟ, ୨୨୨ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳିନାହିଁ। ସରକାର ଗଠନ ପାଇଁ ୧୧୨ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ୧୦୪ଟି ଆସନ ସହ ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ପାଇଥିବା ବିଜେପି ଆଉ ୮ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଛି। ଅପରପକ୍ଷରେ ନିର୍ବାଚନ ପରବର୍ତ୍ତୀ କଂଗ୍ରେସ-ଜେଡିଏସ୍‍ ମେଣ୍ଟ ପାଖରେ ୧୧୬ଟି ଆସନ ରହିଛି। ଉଭୟ ପକ୍ଷ ସରକାର ଗଠନ ପାଇଁ ଦାବି ଜଣାଇଥିବା ବେଳେ ରାଜ୍ୟପାଳ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ବି ଏସ୍‍ ୟେଦୁରପ୍ପାଙ୍କ ନେତୃତ୍ୱାଧୀନ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ଇତିମଧ୍ୟରେ ସରକାର ଗଠନ ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଥିବା ଉଲ୍ଳେଖ କରି ୟେଦୁରପ୍ପା ଦୁଇଟି ଚିଠି ରାଜ୍ୟପାଳଙ୍କ ନିକଟକୁ ଲେଖିଥିଲେ।
ଏଥିପୂର୍ବରୁ ୟେଦୁରପ୍ପାଙ୍କ ଶପଥ ଗ୍ରହଣକୁ ଉପରେ ସ୍ଥଗିତାଦେଶ ପାଇଁ କଂଗ୍ରେସ ଓ ଜେଡିଏସ୍‍ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ରାତିତମାମ୍‍ ଶୁଣାଣି ପରେ ଉଭୟ ଦଳର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ରାୟ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ। କିନ୍ତୁ ଗୋଆ, ମଣିପୁରର ଉଦାହରଣ ଦେଇ କଂଗ୍ରେସ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଆବେଦନକୁ ଗ୍ରହଣ କରି ଆଜି ପୂର୍ବାହ୍ନ ୧୦ଟା.୩୦ରୁ ଶୁଣାଣି ଆରମ୍ଭ ହୋଇଥିଲା। ୟେଦୁରପ୍ପା କର୍ଣ୍ଣାଟକ ରାଜ୍ୟପାଳଙ୍କୁ ଲେଖିଥିବା ଦୁଇଟି ଯାକ ଚିଠି ଉପସ୍ଥାପନ କରିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଥିଲେ। ୟେଦୁରପ୍ପାଙ୍କ ପକ୍ଷରୁ ସରକାରୀ ଓକିଲ ମୁକୁଲ ରୋହତଗୀ ମାମଲା ପରିଚାଳନା କରୁଥିବା ବେଳେ ଅଭିଷେକ ମନୁ ସିଂଘ୍‍ଭି କଂଗ୍ରେସ ଓ ଜେଡିଏସ୍‍ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି।
ଶନିବାର ଦିନ ଶକ୍ତି ପରୀକ୍ଷା ପାଇଁ ଖଣ୍ଡପୀଠ ଦେଇଥିବା ରାୟକୁ ରୋହତଗୀ ବିରୋଧ କରି ଆଉ ଅଧିକ ସମୟ ମାଗିଥିଲେ ହେଁ ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଅପରପକ୍ଷରେ ଶକ୍ତି ପରୀକ୍ଷାର ଭିଡିଓ ରେକର୍ଡିଂ ପାଇଁ ସିଂଘ୍‍ଭି ଆବେଦନ କରିଥିଲେ। ଏହି ଆବେଦନକୁ ଗ୍ରହଣ କରି ଭୋଟ ଗ୍ରହଣ ବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟିଦେବାକୁ କର୍ଣ୍ଣାଟକ ପୁଲିସ ମହାନିର୍ଦେଶକଙ୍କୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ଶକ୍ତିପରୀକ୍ଷା ନ ସରିବା ପର୍ଯ୍ୟନ୍ତ କୌଣସି ନୀତିଗତ ନିଷ୍ପତ୍ତି ନେବା ଓ ଲୋହିତ ଭାରତୀୟଙ୍କୁ ବିଧାୟକ ଭାବେ ମନୋନୀତ କରିବା ଉପରେ ୟେଦୁରପ୍ପାଙ୍କ ଉପରେ ଖଣ୍ଡପୀଠ କଟକଣା ଜାରି କରିଛନ୍ତି। ଶକ୍ତିପରୀକ୍ଷା ପୂର୍ବରୁ ଜଣେ ଅସ୍ଥାୟୀ ବାଚସ୍ପତିଙ୍କୁ ନିଯୁକ୍ତି ଦିଆଯିବ।
କର୍ଣ୍ଣାଟକ ରାଜ୍ୟପାଳ କେଉଁ ପରିସ୍ଥିତିରେ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ ସେ ସମ୍ପର୍କିତ ମାମଲାର ଶୁଣାଣି ଆସନ୍ତା ୧୦ ସପ୍ତାହ ମଧ୍ୟରେ କରିବାକୁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି।

Leave A Reply