କହ୍ନେୟାଙ୍କ ବିରୋଧରେ ଅଭିଯୋଗଫର୍ଦ ଦାଖଲ ପ୍ରସଙ୍ଗ ; ଦିଲ୍ଲୀ ପୁଲିସକୁ କୋର୍ଟଙ୍କ ଭର୍ତ୍ସନା

0

ନୂଆଦିଲ୍ଲୀ : ରାଜଦ୍ରୋହ ମାମଲାରେ ଜବାହାରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ) ଛାତ୍ର ସଂଘର ପୂର୍ବତନ ସଭାପତି କହ୍ନେୟା କୁମାର ତଥା ଅନ୍ୟମାନଙ୍କ ବିରୋଧରେ ଅଭିଯୋଗଫର୍ଦ ଦାଖଲ ନେଇ ଦିଲ୍ଲୀର ଏକ କୋର୍ଟ ଶନିବାର ଦିଲ୍ଲୀ ପୁଲିସକୁ କଡ଼ା ଭର୍ତ୍ସନା କରିଛନ୍ତି। ଆଇନ ବିଭାଗର ସ୍ବୀକୃତି ନ ନେଇ କିଭଳି ଏହି ଅଭିଯୋଗଫର୍ଦ ଦାଖଲ କରାଗଲା ବୋଲି କୋର୍ଟ ପୁଲିସକୁ ପ୍ରଶ୍ନ କରିଛନ୍ତି। ଏଥିସହ ଆଗାମୀ ୧୦ ଦିନ ମଧ୍ୟରେ ଆଇନ ବିଭାଗର ମଞ୍ଜୁରୀ ନେବା ନିମନ୍ତେ ବିଚାରପତି ପୁଲିସକୁ ନିର୍ଦେଶ ଦେଇଛନ୍ତି। ଉଲ୍ଲେଖ ଯେ ଦିଲ୍ଲୀ ପୁଲିସ ଦିଲ୍ଲୀ ସରକାରଙ୍କ ଅଧୀନସ୍ଥ ନୁହେଁ। କିନ୍ତୁ ରାଜଦ୍ରୋହ ମାମଲାରେ ସିଆରପିସି ଧାରା ୧୯୬ ଅନୁସାରେ ସରକାରଙ୍କ ଅନୁମତି ନ ମିଳିବା ପର୍ଯ୍ୟନ୍ତ ଅଭିଯୋଗଫର୍ଦକୁ ବିଚାରକୁ ନିଆଯାଇପାରିବ ନାହିଁ। ଏଣୁ ଫେବୃଆରୀ ୬ରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମତି ଲାଭ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଜାନୁଆରୀ ୧୪ରେ କହ୍ନେୟା, ଉମର ଖାଲିଦ ଏବଂ ଅନିର୍ବାଣ ଭଟ୍ଟାଚାର୍ଯ୍ୟଙ୍କ ସମେତ ଅନ୍ୟ କେତେକଙ୍କ ବିରୋଧରେ ପୁଲିସ ୧୨୦୦ ପୃଷ୍ଠା ସମ୍ବଳିତ ଅଭିଯୋଗଫର୍ଦ ଦାଖଲ କରିଥିଲା। ପାର୍ଲାମେଣ୍ଟ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ପ୍ରମୁଖ ଆତଙ୍କବାଦୀ ଅଫଜଲ ଗୁରୁକୁ ଫାଶୀ ପ୍ରତିବାଦରେ ୨୦୧୬ ଫେବୃଆରୀ ୯ରେ ଜେଏନ୍‌ୟୁ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତ ବିରୋଧୀ ସ୍ଲୋଗାନ ଦେବା ନେଇ ଏହି ରାଜଦ୍ରୋହ ମାମଲା ରୁଜୁ ହୋଇଥିଲା। କହ୍ନେୟା, ଭଟ୍ଟାଚାର୍ଯ୍ୟ, ଖାଲିଦଙ୍କ ସମେତ ଅନ୍ୟମାନଙ୍କ ନାମରେ ବସନ୍ତକୁଞ୍ଜ ଥାନାରେ ଆଇପିସି ଧାରା ୧୨୪ ଏ(ଦେଶଦ୍ରୋହ),୩୨୩(ସ୍ବେଚ୍ଛାକୃତ ଭାବେ ହାନୀ କରିବା), ୪୬୫(ଠକେଇ), ୪୭୧(ଜାଲ ଦସ୍ତାବିଜକୁ ସତ୍ୟ ଦର୍ଶାଇବା), ୧୪୩(ବେଆଇନ ସମାବେଶ), ୧୪୭(ଦଙ୍ଗା), ୧୪୯ ଏବଂ ୧୨୦ବି ଅନୁଯାୟୀ ଅଭିଯୋଗ ଅଣାଯାଇଛି। ମାତ୍ର ମାମଲାର ୩ ବର୍ଷ ପରେ ହଠାତ ଦିଲ୍ଲୀ ପୁଲିସ ଅଭିଯୋଗଫର୍ଦ ଦାଖଲ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହ୍ନେୟା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Leave A Reply