ବୃହସ୍ପତିର ୧୨ଟି ନୂତନ ଉପଗ୍ରହ ଠାବ

0

ୱାଶିଂଟନ୍‍ : ସୌରମଣ୍ଡଳର ସର୍ବବୃହତ୍‍ ଗ୍ରହ ବୃହସ୍ପତିର ୧୨ଟି ନୂତନ ଉପଗ୍ରହ ଠାବ କରାଯାଇଛି। ଏହି ଗ୍ରହର ମୋଟ ଉପଗ୍ରହ ସଂଖ୍ୟା ଏବେ ୭୯ରେ ପହଞ୍ଚିଛି। ଆମେରିକାର କାର୍ନେଜ୍‍ ଇନଷ୍ଟିଚ୍ୟୁସନର ବୈଜ୍ଞାନିକ ସ୍କଟ୍‍ ଏସ୍‍. ଶେଫେଡ୍‍ଙ୍କ ନେତୃତ୍ୱରେ ଏକ ଗବେଷକ ଦଳ ସୌରମଣ୍ଡଳ ବାହାରେ ଆଉ ଏକ ବୃହତ୍‍ ଗ୍ରହର ସନ୍ଧାନ କରିବା ବେଳେ ୨୦୧୭ରେ ଏହି ଉପଗ୍ରହଗୁଡିକୁ ପ୍ରଥମଥର ଦେଖିବାକୁ ପାଇଥିଲେ। ଏଗୁଡିକ ମଧ୍ୟରୁ ୧୧ଟି ଉପଗ୍ରହ ବୃହସ୍ପତିର ଅନ୍ୟ ଉପଗ୍ରହ ଭଳି ସାଧାରଣ। ଆଉ ଏକ ଉପଗ୍ରହଟିକୁ ବୈଜ୍ଞାନିକମାନେ ‘ଅଡ୍‍ବଲ୍‍’ ବୋଲି ନାମିତ କରିଛନ୍ତି। ଏହି ଉପଗ୍ରହଗୁଡିକର ବ୍ୟାସାର୍ଦ୍ଧ ୧ରୁ ୩ କିଲୋମିଟର ବିଶିଷ୍ଟ। ଶେଫେଡ୍‍ ଏବଂ ତାଙ୍କ ସାଥି ବୈଜ୍ଞାନିକମାନେ ଉପଗ୍ରହଗୁଡିକୁ କେରୋ ଟୋଲୋଲୋ ଆନ୍ତଃ-ଆମେରିକୀୟ ମହାକାଶ ଅବଲୋକନଗାରଠାରେ ଟେଲିସ୍କୋପ୍‍ ଦ୍ୱାରା ଠାବ କରିଥିଲେ। ଆବିଷ୍କୃତ ୯ଟି ଉପଗ୍ରହ ବୃହସ୍ପତିକୁ ଏହାର ଗତିପଥର ବିପରୀତ ଦିଗରେ ପରିକ୍ରମଣ କରୁଛନ୍ତି। ପ୍ରତି ୨ ବର୍ଷରେ ଥରେ ଏଗୁଡିକ ବୃହସ୍ପତିକୁ ପରିକ୍ରମା କରୁଛନ୍ତି। ଅନ୍ୟ ୨ଟି ଉପଗ୍ରହ ବୃହସ୍ପତିର ନିକଟତର ହୋଇଥିବାରୁ ପ୍ରତି ଏକ ବର୍ଷରେ ଥରେ ଏହାର ପରିକ୍ରମା ଶେଷ କରିଥାଆନ୍ତି ବୋଲି ଶେଫେଡ୍‍ ପ୍ରକାଶ କରିଛନ୍ତି।

Leave A Reply