ଗୁଳିକାଣ୍ଡ ଘଟଣାରେ ୨ ଗିରଫ, ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

0

ଗତସିଂହପୁର : ଜଗତସିଂହପୁର ଥାନା ଅଧୀନ ବାଇଜଙ୍ଗାଠାରେ ଗତ ୧୫ତାରିଖ ଅପରାହ୍ଣରେ ଦିବ୍ୟସ୍ୱରୂପ ସାହୁ ଓରଫ ଜିତଙ୍କୁ ହୋଇଥିବା ଗୁଳିମାଡ ଘଟଣାରେ ପୁଲିସ ରାକା ଓ ବାବି ନାମକ ୨ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ରାଉଣ୍ଡ ଗୁଳି ଓ ୨ଟି ମୋବାଇଲ ଫୋନ ଜବତ କରାଯାଇଛି। ଉଭୟଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି।
୧୫ତାରିଖ ଅପରାହ୍ଣରେ ବଳରାମପୁର ପଞ୍ଚାୟତ ଦେନ୍ଦୁଅ ଗ୍ରାମର ଦିଲୀପ ସାହୁଙ୍କ ପୁଅ ଦିବ୍ୟସ୍ୱରୂପ ସାହୁ ଓରଫ ଜିତୁକୁ ବାଇଜଙ୍ଗା ନାରାୟଣ କୁକୁଡା ଫାର୍ମ ନିକଟରେ ସିଙ୍ଗିପୁର ଗ୍ରାମର ଜାନକୀ ମହାରଣା, ବବୁଲ ସ୍ୱାଇଁ, ବାବି, କାଦୁଅପଡା ଗ୍ରାମର ରାକା ଓରଫ ରାକେଶ ଓ ବାଲିକୁଦାର ଜଣେ ଯୁବକ ଗୁଳିମାଡ କରିଥିବା ଅଭିଯୋଗ ହୋଇଥିଲା। ଜିତୁଙ୍କ ୨ଗୋଡରେ ୩ଟି ଗୁଳି ବାଜିଥିଲା। ପୁଲିସ ଘଟଣାସ୍ଥଳରୁ ୩ଟି ଖୋକା, ଗୋଟିଏ ଜୀବନ୍ତ ଗୁଳି ଓ ଏକ ମୋବାଇଲ ଜବତ କରିଥିଲା। ଏସଂକ୍ରାନ୍ତରେ ଜିତୁଙ୍କ ଖୁଡି କବିତା ସାହୁଙ୍କ ଏତଲା ଅନୁସାରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ପୁଲିସ କାକଟପୁର ଅଞ୍ଚଳରୁ ସ୍ଥାନୀୟ କାଦୁଅପଡା ଗ୍ରାମର ବୈଷ୍ଣବ ଚରଣ ମଲ୍ଲିକଙ୍କ ପୁଅ ରାକେଶ କୁମାର ମଲ୍ଲିକ ଓରଫ ରାକା(୨୭) ଓ କଲ୍ୟାଣପୁରର ସୁଦର୍ଶନ ପରିଡାଙ୍କ ପୁଅ ମହିମା ଶକ୍ତି ପରିଡା ଓରଫ ବାବି(୩୦)କୁ ଗିରଫ କରିଛି। ରାକେଶ ନାଉଗାଁ ଥାନା ଅଧୀନ ବାଲିଘାଟରେ ଓ ବାବି ଶିଖରଘାଟରେ ଥିବା ବାଲିଘାଟରେ କାମ କରନ୍ତି। ବାବି ପ୍ରାୟ ୬ମାସ ହେଲାଣି ରାତିରେ ଶୁଏ ନାହିଁ ବୋଲି ପୁଲିସ କହିଛି। ଘଟଣାଦିନ ଜିତୁକୁ ବାବି ପଛ ପଟରୁ ମାଡି ବସିଥିଲା ଓ ରାକା ତାକୁ ଗୁଳିମାଡ କରିଥିଲା ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଜାନକୀ ନିଜେ ଗୁଳିମାଡ ସମୟରେ ରାଜ୍ୟ ବାହାରେ ଥିଲା କିନ୍ତୁ ସେ ଗୁଳିମାଡ ପୂର୍ବରୁ ଓ ଗୁଳିମାଡ ପରେ ବାବି ସହ ବହୁଥର କଥା ହୋଇଛି ତେଣୁ ଗୁଳିକାଣ୍ଡରେ ତାର ସମ୍ପୃକ୍ତି ରହିଛି। ଗୁଳିକାଣ୍ଡରେ ସାମିଲ ଥିବା ସିଙ୍ଗିପୁରର ବାପି ସ୍ୱାଇଁ ଓ ବାଲିକୁଦାର ଜଣେ ଯୁବକ (ଯାହାର ଏପର୍ଯ୍ୟନ୍ତ ସଠିକ ପରିଚୟ ମିଳିନାହିଁ) ଓ ଜାନକୀକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସ.ପି ପ୍ରକାଶ ଆର ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଠିକାକାମ ପାଇଁ ଟଙ୍କା ଦେଣନେଣକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ପୁଲିସ ସ୍ପଷ୍ଟ କରିଛି।

Leave A Reply