ପରଲୋକରେ ଜନନେତା ଯଦୁନାଥ

0

ଭୁବନେଶ୍ୱର/ସୋର : ପୂର୍ବତନ ଶିକ୍ଷାମନ୍ତ୍ରୀ, ସାରସ୍ୱତ ସାଧକ ଯଦୁନାଥ ଦାଶମହାପାତ୍ର ଆଉ ନାହାନ୍ତି। ଏଠାରେ ଏକ ଘରୋଇ ଡାକ୍ତରଖାନାରେ ମଙ୍ଗଳବାର ଅପରାହ୍ଣ ୫.୩୦ରେ ତାଙ୍କର ପରଲୋକ ଘଟିଛି। ଅସୁସ୍ଥତା ଯୋଗୁଁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କୁ ୯୦ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ଗତ କିଛି ଦିନ ହେଲା ସେ ଚିକିତ୍ସାଧୀନ ଥିଲେ। ଉଭୟ ରାଜନୀତି ଓ ସାରସ୍ୱତ ସାଧନା କ୍ଷେତ୍ରରେ ସଫଳତାର ପଦଚିହ୍ନ ରଖିଥିବା ଏହି ପ୍ରବୀଣ ଜନନେତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ବାଲେଶ୍ୱର ଜିଲା ସୋର ବ୍ଲକର କୁଡ଼େଇ ଗ୍ରାମରେ ଏକ ଜମିଦାର ପରିବାରରେ ୧୯୨୯ ମାର୍ଚ୍ଚ ୧ ତାରିଖରେ ଶ୍ରୀ ଦାଶମହାପାତ୍ରଙ୍କ ଜନ୍ମ। ବାପା ରାଜନାରାୟଣ ଦାଶମହାପାତ୍ର ଓ ମା’ ରାସମଣି ଦେବୀ। ରେଭେନ୍ସା ଓ କଲକାତା ବିଶ୍ୱବିଦ୍ୟାଳୟରୁ ଶିକ୍ଷାପ୍ରାପ୍ତ ଶ୍ରୀ ଦାଶମହାପାତ୍ର ଜଣେ ଛାତ୍ରନେତା ଭାବେ ପରିଚିତ ଥିଲେ। ସେ କଲକାତା ଉତ୍କଳ ଛାତ୍ର ସଂଘର ସଭାପତି ଥିଲେ। ୧୯୬୨ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ସୋର ନିର୍ବାଚନମଣ୍ଡଳୀରୁ ୧୯୭୧, ୧୯୭୪ ଓ ୧୯୮୫ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୧୯୭୧ରେ ଅର୍ଥ ଓ ସଂସ୍କୃତି ମନ୍ତ୍ରୀ, ୧୯୭୪ରେ ଶିକ୍ଷା ଓ ୧୯୮୫ରେ ଶିକ୍ଷା-କ୍ରୀଡ଼ା ମନ୍ତ୍ରୀଭାବେ ସେ କାର୍ଯ୍ୟ କରିଥିଲେ। ରାଜନୀତି ସହ ସାରସ୍ୱତ ସାଧନାରେ ନିମଗ୍ନ ଥିଲେ ଶ୍ରୀ ଦାଶମହାପାତ୍ର। ୨୦ଟି ଉପନ୍ୟାସ, ୧୬ଟି ନାଟକ, ୧୦ଟି କବିତା ସଂକଳନ, ୮ଟି କ୍ଷୁଦ୍ରଗଳ୍ପ ସଂକଳନ, ୧୨ଟି ଶିଶୁ ସାହିତ୍ୟ ସଂକଳନ ଓ ଅନ୍ୟ ୬ଟି ପୁସ୍ତକର ସ୍ରଷ୍ଟାଭାବେ ସେ ସୁପରିଚିତ। ଆତ୍ମଜୀବନୀ ‘ଜୀବନ ସ୍ମୃତି’ ସହ ତାଙ୍କର କେତେକ ଶ୍ରେଷ୍ଠ କବିତା ହେଲା- ଯନ୍ତ୍ରଣାର ଅନ୍ୟ ନାମ, କବିତା ଓ ଗଳ୍ପ, ମେଘବର୍ଣ୍ଣା, ନିଜ ଚିତାଗ୍ନିରେ ନିଜେ, ମନକଥା ଓ ସମୁଦ୍ର। ସେହିପରି ତାଙ୍କ ରଚିତ ନାଟକ ମଧ୍ୟରେ- ଅଥବା ଅନ୍ଧାର, ବନ୍ଦୀ ବେଗମ ବାଦଶାହା, କଂସ, ୱେଟିଂରୁମ୍‍, କାରୁବାକୀ, ଆହତ ଅଶ୍ୱାରୋହୀ ଅନ୍ୟତମ। ନାଟକ ‘ଅଥବା ଅନ୍ଧକାର’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିଲେ। ତାଙ୍କ ରଚିତ ଅନନ୍ୟ ସୃଷ୍ଟି ‘ଭୁଲିହୁଏନା’କୁ ନେଇ ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ହେବା ଉଲ୍ଲେଖନୀୟ। ଏଥିରେ ପ୍ରଥମକରି ଅଭିନେତା ବିଜୟ ମହାନ୍ତି ନିର୍ଦେଶନା ଦେଇଥିଲେ। ନିଜର ସାରସ୍ୱତ କୃତି ପାଇଁ ଶ୍ରୀ ଦାଶମହାପାତ୍ର ଏକାଧିକ ଅନୁଷ୍ଠାନରୁ ପୁରସ୍କୃତ। ତାଙ୍କ ପତ୍ନୀଙ୍କ ନାମ ଲକ୍ଷ୍ମୀପ୍ରିୟା ହୋଇଥିବା ବେଳେ ୪ ପୁତ୍ର ଅଜିତ, ବିଶ୍ୱଜିତ, ସୁରଜିତ ଓ ସତ୍ୟଜିତ। ତିନି କନ୍ୟା ହେଲେ ସଂଘମିତ୍ରା, ପୁଷ୍ପମିତ୍ରା ଓ ସୁଚିତ୍ରା। ଶ୍ରୀ ଦାଶମହାପାତ୍ର ୧୯୯୫ ନିର୍ବାଚନରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ ବି ପରାଜିତ ହୋଇଥିଲେ। ଏହା ପରେ ସେ ଏନ୍‍ସିପି, ବିଜେପି ଓ ଶେଷରେ ବିଜେଡିରେ ଯୋଗଦେଇଥିଲେ। ଜୀବନର ଶେଷ କାଳ ଯାଏ ସେ ବିଜେଡିରେ ଥିଲେ। ତେବେ ପରିଣତ ବୟସରେ ସେ ରାଜନୀତିରେ ଏତେଟା ସକ୍ରିୟ ନଥିଲେ। ଯଦୁନାଥ ଦାଶ ମହାପାତ୍ର ଫାଉଣ୍ଡେସନ ମାଧ୍ୟମରେ ସେ ସାରସ୍ୱତ ପ୍ରତିଭାଙ୍କୁ ଉତ୍ସାହିତ କରୁଥିଲେ। ତାଙ୍କ ଉଦ୍ୟମରେ କାଂଶବାଂଶ ସାଂସ୍କୃତିକ ପରିଷଦ ଗଠନ ହୋଇଥିଲା। ପ୍ରଥମେ ଭୁବନେଶ୍ୱର ଓ ପରେ ଏହା ସୋରରେ କାର୍ଯ୍ୟ କରୁଛି।
ଶ୍ରୀ ଦାଶମହାପାତ୍ରଙ୍କ ମୃତଦେହ ସନ୍ଧ୍ୟାରେ ଆଇଆର୍‍ସି ଭିଲେଜ ଭିଆଇପି କଲୋନୀସ୍ଥିତ ବାସଭବନକୁ ଅଣାଯିବା ପରେ ବହୁ ରାଜନୈତିକ ବ୍ୟକ୍ତିତ୍ୱ, ସାହିତ୍ୟ ସାଧକ ଶେଷ ଦର୍ଶନ କରିଥିଲେ। ବୁଧବାର ଜନ୍ମମାଟିକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ। ଶ୍ରୀ ଦାଶମହାପାତ୍ରଙ୍କ ବିୟୋଗରେ ଉଭୟ ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

Leave A Reply