ଆଇପିଏଲ୍ ଏକାଦଶ ଘୋଷିତ

0

ମୁମ୍ବଇ  : ଚଳିତ ଆଇପିଏଲର ଲିଗ୍‍ ପର୍ଯ୍ୟାୟର ପ୍ରଦର୍ଶନକୁ ଆଧାର କରି କ୍ରୀଡା ୱେବସାଇଟ୍‍ ଇଏସପିଏନ କ୍ରିକ୍‍ଇନ୍‍ଫୋ ପକ୍ଷରୁ ଚୂଡାନ୍ତ ଆଇପିଏଲ ଏକାଦଶ ଘୋଷଣା କରାଯାଇଛି। ଦଳରେ ୭ ଜଣ ଭାରତୀୟ ଓ ୪ ଜଣ ବିଦେଶୀ ଖେଳାଳି ସ୍ଥାନ ପାଇଛନ୍ତି। ଓପନିଂ ବ୍ୟାଟସମ୍ୟାନଭାବେ ଲୋକେଶ ରାହୁଲ ଓ ସୁନିଲ ନାରାୟଣ ଦଳରେ ସ୍ଥାନ ପକ୍କା କରିଛନ୍ତି। କିଙ୍ଗ୍‍ସ ଏକାଦଶ ପଞ୍ଜାବକୁ ପ୍ରତିନିଧିତ୍ୱ କରିଥିବା ରାହୁଲ ଚଳିତ ଟୁର୍ଣ୍ଣାମେଣ୍ଟରେ ୧୪ଟି ମ୍ୟାଚରୁ ୫୪.୯୧ ହାରରେ ୬୫୯ ରନ ସ୍କୋର କରିଛନ୍ତି। ରାହୁଲ ୩ୟ ସର୍ବାଧିକ ରନ ସ୍କୋରର ହେବାର ସୌଭାଗ୍ୟଲାଭ କରିଛନ୍ତି।
କଲକାତା ନାଇଟ ରାଇଡର୍ସକୁ (କେକେଆର) ପ୍ରତିନିଧିତ୍ୱ କରୁଥିବା ସୁନିଲ ନାରାୟଣ ଜଣେ ସ୍ପେଶାଲିଷ୍ଟ ସ୍ପିନର ହୋଇଥିବା ସତ୍ତ୍ବେ ତାଙ୍କୁ ଅନ୍ୟତମ ଓପନର ଭାବେ ଦଳରେ ସାମିଲ କରାଯାଇଛି। ପାୱାର ପ୍ଲେ’ରେ ଧୂଆଁଧାର ବ୍ୟାଟିଂ କରିବାରେ ସୁନିଲ ବେଶ ସୁନାମ ଅର୍ଜନ କରିଛନ୍ତି। ସୁନିଲ ଚଳିତ ଟୁର୍ଣ୍ଣାମେଣ୍ଟରେ ୩୨୭ ରନ କରିଥିବାବେଳେ ୧୬ଟି ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି। ମଧ୍ୟକ୍ରମ ବ୍ୟାଟିଂ ଲାଇନଅପ୍‍ରେ ରହିଛନ୍ତି ସନରାଇଜର୍ସ ଅଧିନାୟକ କେନ୍‍ ୱିଲିୟମସନ, ଅମ୍ବତି ରାୟୁଡୁ, ଋଷଭ ପନ୍ତ୍‍ ଓ କେକେଆର ଅଧିନାୟକ ଦିନେଶ କାର୍ତ୍ତିକ। ୱିଲିୟମସନ ୬୦ ହାରରେ ୬୬୧, ରାୟୁଡୁ ୪୫ ହାରରେ ୫୮୬, ପନ୍ତ୍‍ ୫୨.୬୧ ହାରରେ ୬୮୪ ଓ କାର୍ତ୍ତିକ ୫୪.୭୫ ହାରରେ ୪୩୮ ରନ ସ୍କୋର କରିସାରିଛନ୍ତି। ୱିକେଟରକ୍ଷକଭାବେ ଚେନ୍ନଇ ସୁପର କିଙ୍ଗ୍‍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ସାମିଲ କରାଯାଇଛି। ଧୋନି ୮୯.୨୦ ହାରରେ ୪୪୬ ରନ ସ୍କୋର କରିଥିବାବେଳେ ଚମତ୍କାର ୱିକେଟରକ୍ଷଣ ଯୋଗୁଁ ନଅଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିବାରେ ସହାୟକ ହୋଇଛନ୍ତି। ଦ୍ୱିତୀୟ ସ୍ପିନରଭାବେ ରସିଦ ଖାନ୍‍ ଦଳରେ ସ୍ଥାନ ପାଇଛନ୍ତି। ସନରାଇଜର୍ସକୁ ପ୍ରତିନିଧିତ୍ୱ କରୁଥିବା ଏହି ଯୁବ ଲେଗ୍‍ସ୍ପିନର ଚଳିତ ଟୁର୍ଣ୍ଣାମେଣ୍ଟରେ ୧୬ଟି ୱିକେଟ ଅକ୍ତିଆର କରିଛନ୍ତି। ତିନିଜଣ ଫାଷ୍ଟ ବୋଲର ଭାବେ ଆଣ୍ଡ୍ରୃ ଟାଇ, ଉମେଶ ଯାଦବ ଓ ଯଶପ୍ରୀତ ବୁମ୍‍ରା ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। କିଙ୍ଗ୍‍ସ ଏକାଦଶ ପକ୍ଷରୁ ଟାଇ ୨୪ଟି ୱିକେଟ ନେଇଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଉମେଶ ୨୦ଟି ଓ ମୁମ୍ବଇ ଇଣ୍ଡିଆନ୍ସର ବୁମ୍‍ରା ୧୭ଟି ୱିକେଟ ହାସଲ କରିଛନ୍ତି। ଘୋଷିତ ଦଳ: ଲୋକେଶ ରାହୁଲ, ସୁନୀଲ ନାରାୟଣ, କେନ୍‍ ୱିଲିୟମସନ (ଅଧିନାୟକ), ଅମ୍ବତି ରାୟୁଡୁ, ଋଷଭ ପନ୍ତ୍‍, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନି (ୱିକେଟରକ୍ଷକ), ରସିଦ ଖାନ୍‍, ଆଣ୍ଡଽୁ ଟାଇ, ଉମେଶ ଯାଦବ ଓ ଯଶପ୍ରୀତ ବୁମ୍‍ରା।

Leave A Reply