କେକେଆର୍‍କୁ ରୋକିବା ଲକ୍ଷ୍ୟରେ ରାଜସ୍ଥାନ

0

କଲକାତା : ଭଲ ପ୍ରଦର୍ଶନ କହନ୍ତୁ ବା ଅକସ୍ମାତ୍‍; ରାଜସ୍ଥାନ ରୟାଲ୍‍ସ ଆଇପିଏଲ୍‍-୧୧ର ପ୍ଲେଅଫ୍‍ରେ ସ୍ଥାନ ସୁରକ୍ଷିତ କରିପାରିଛି। ଏବେ ଏହାର ମୁକାବିଲା ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଫେଭରିଟ୍‍ ଦଳ କଲକାତା ନାଇଟ ରାଇଡର୍ସ (କେକେଆର୍‍) ବିରୋଧରେ। ବୁଧବାର ଏଲିମିନେଟରରେ ଇଡେନ୍‍ ଗାର୍ଡେନ୍‍ସରେ ଘରୋଇ କଲକାତାର ମୁକାବିଲା କରିବ ରାଜସ୍ଥାନ। ଦିନେଶ କାର୍ତ୍ତିକଙ୍କ ଦଳ ଆଶା ରଖିଛି ଯେ ରାଜସ୍ଥାନର ରାସ୍ତା ରୋକି ଏହି ଗ୍ରାଉଣ୍ଡରେ ହିଁ କ୍ୱାଲିଫାୟର-୨ ଖେଳିବ। ବୁଧବାରର ମ୍ୟାଚ୍‍ରେ କଲକାତା ହିଁ ଫେଭରିଟ୍‍। କାରଣ ଉଭୟ ଲିଗ୍‍ ମ୍ୟାଚ୍‍ରେ ରାଜସ୍ଥାନକୁ କଲକାତା ସହଜରେ ପରାସ୍ତ କରିଥିଲା। ଉଭୟ ମ୍ୟାଚ୍‍ରେ କଲକାତା ହିଁ ରନ୍‍ର ପିଛା କରିଥିଲା ଏବଂ ଉଭୟ ମ୍ୟାଚ୍‍ରେ ଅଧିନାୟକ ଦିନେଶ କାର୍ତ୍ତିକ ଭଲ ଇନିଂସ ଖେଳିବା ସହ କେକେଆର୍‍ ସ୍ପିନର ଭଲ ବୋଲିଂ କରିଥିଲେ।
ଚମତ୍କାର ପ୍ରଦର୍ଶନ ଜରିଆରେ ୧୪ରୁ ୮ଟି ମ୍ୟାଚ୍‍ ଜିତି କେକେଆର୍‍ ପ୍ଲେଅଫ୍‍ରେ ପହଞ୍ଚିଥିବା ବେଳେ ଲିଗ୍‍ ପର୍ଯ୍ୟାୟର ଅନ୍ତିମ ଦିନ ମୁମ୍ବଇ ଇଣ୍ଡିଆନ୍‍ସ ଓ କିଙ୍ଗ୍‍ସ ଏକାଦଶ ପଞ୍ଜାବର ପରାଜୟ ଯୋଗୁଁ ହିଁ ରାଜସ୍ଥାନ ପ୍ଲେଅଫ୍‍ରେ ସ୍ଥାନ ପାଇ ପାରିଥିଲା। ରାଜସ୍ଥାନ ତା’ର ସର୍ବାଧିକ ରନ୍‍ ସ୍କୋରର ଜୋସ୍‍ ବଟ୍‍ଲର ଓ ଆଇପିଏଲ୍‍-୧୧ର ସବୁଠାରୁ ଦାମୀ ଖେଳାଳି ବେନ୍‍ ଷ୍ଟୋକ୍‍ସଙ୍କ ଅନୁପସ୍ଥିତି ସତ୍ତ୍ବେ ଶକ୍ତିଶାଳୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତକରି ଏହାକୁ ବିଦାୟଦେବା ସହ ପ୍ଲେଅଫ୍‍ରେ ପହଞ୍ଚିଛି ରାଜସ୍ଥାନ। ଦଳର ଏପରି ପ୍ରଦର୍ଶନ ଅଜିଙ୍କ୍ୟ ରାହାଣେଙ୍କ ଦଳକୁ ଉତ୍ସାହିତ କରିଛି। ତେଣୁ ଆଉ ଏକ ବିପର୍ଯ୍ୟୟ ଆଶାରେ ରାଜସ୍ଥାନ ରହିଛି। ଦଳର ଦୁଇ ସ୍ପିନର ଶ୍ରେୟାସ ଗୋପାଳ ଓ କୃଷ୍ଣପ୍ପା ଗୌତମ ଚମତ୍କାର ବୋଲିଂ କରିଛନ୍ତି। ପୁଣି ୱେଷ୍ଟଇଣ୍ଡିଜ୍‍ର ପେସ୍‍ ବୋଲର ଜୋଫ୍ରା ଆର୍ଚର ବିଗ୍‍ ବାସ୍‍ ଲିଗ୍‍ର ସଫଳତା ଏଠାରେ ଦୋହରାଇଛନ୍ତି। ଆଇପିଏଲ୍‍-୧୧ର ଦାମୀ ଭାରତୀୟ ଖେଳାଳି ବାମହାତି ପେସ୍‍ ବୋଲର ଜୟଦେବ ଉନାଦ୍‍କତ ମିଶ୍ରିତ ସଫଳତା ହାସଲ କରିଛନ୍ତି। ମୋଟଉପରେ ବଟ୍‍ଲର ଗଲା ପରେ ରାଜସ୍ଥାନର ବ୍ୟାଟିଂ ଏହାର ବୋଲିଂ ତୁଳନାରେ ଦୁର୍ବଳ ଲାଗୁଛି। ବଟ୍‍ଲରଙ୍କ ସ୍ଥାନରେ ଖେଳି ଦକ୍ଷିଣ ଆଫ୍ରିକାର ହେନ୍‍ରିଚ୍‍ କ୍ଲାସେନ୍‍ ଏକ ଉପଯୋଗୀ ଇନିଂସ ଖେଳିଥିଲେ। ତେଣୁ ସେ ଦଳରେ ସ୍ଥାନ ବଜାୟ ରଖିପାରନ୍ତି। ଦଳର ବ୍ୟାଟିଂ ୩ ଭାରତୀୟ- ରାହାଣେ, ରାହୁଲ ତ୍ରିପାଠୀ ଓ ସଞ୍ଜୁ ସାମ୍‍ସନଙ୍କ ଉପରେ ନିର୍ଭର କରିବ। ଏହି ଜଣଙ୍କ ମଧ୍ୟରୁ ଜଣଙ୍କୁ ଲମ୍ବା ଇନିଂସ ଖେଳିବାକୁ ପଡ଼ିବ। ଅନ୍ୟପକ୍ଷରେ କେକେଆର୍‍ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଫେଭରିଟ୍‍ ଥିବା ବେଳେ ଅଦ୍ୟାବଧି ଏପରି ପ୍ରଦର୍ଶନ କରିଛି। ଦଳର ୩ ସ୍ପିନର- କୁଲଦୀପ ଯାଦବ, ପୀୟୂଷ ଚାୱଲା ଓ ସୁନୀଲ ନାରାୟଣ ଅଦ୍ୟାବଧି ଭଲ ପ୍ରଦର୍ଶନ କରିଛନ୍ତି। ବ୍ୟାଟିଂରେ କ୍ରିସ୍‍ ଲିନ୍‍ ଭଲ ପ୍ରଦର୍ଶନ କରିଥିବା ବେଳେ ଦିନେଶ କାର୍ତ୍ତିକ ଓ ଆନ୍ଦ୍ରେ ରସେଲ ଫିନିସର ଭାବେ ସଫଳ ହୋଇଛନ୍ତି। ୧୩ଟି ଇନିଂସରେ ୫ କିମ୍ବା ଏହାଠାରୁ ତଳ ଅର୍ଡରରେ ବ୍ୟାଟିଂକରି ଦିନେଶ କାର୍ତ୍ତିକ ମୋଟ ୪୩୮ରୁ ୪୧୨ ରନ୍‍ କରି ପାରିଛନ୍ତି। ମଧ୍ୟକ୍ରମରେ ରବିନ୍‍ ଉଥପ୍ପା ଓ ନୀତୀଶ ରାଣା ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ପୁଣି ଚଳିତ ସିଜିନ୍‍ରେ ଏକମାତ୍ର ଖେଳାଳି ଭାବେ ସୁନୀଲ ନାରାୟଣ ୩ ଶହରୁ ଅଧିକ ରନ୍‍ କରିବା ସହ ୧୫ରୁ ଅଧିକ ୱିକେଟ ନେଇଛନ୍ତି। ଘରୋଇ କଲକାତା ଦଳକୁ ସୁହାଇବା ପରି ପିଚ୍‍ ପ୍ରସ୍ତୁତ ହୋଇଛି। ଶେଷରେ ଏତିକି କହିହେବ ଯେ ଏହି ମ୍ୟାଚ୍‍ରେ କେକେଆର୍‍ ନିଶ୍ଚୟ ଫେଭରିଟ୍‍। ହେଲେ ଏହାକୁ ଚକ୍‍ମା ଦେବାର ଦକ୍ଷତା ରାଜସ୍ଥାନର ରହିଛି।

Leave A Reply