୫.୭୭%କୁ ବଢ଼ିଲା ମୁଦ୍ରାସ୍ଫୀତି

0

ନୂଆଦିଲ୍ଲୀ: ଜୁନ୍‍ ମାସରେ ପାଇକାରୀ ମୁଦ୍ରାସ୍ପୀତି ୫.୭୭ପ୍ରତିଶତକୁ ବୃଦ୍ଧି ପାଇଛି। ପନିପରିବା ଓ ତୈଳ ଦର ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି। ଗତ ମେ’ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୪.୪୩ ପ୍ରତିଶତ ଥିବା ବେଳେ ୨୦୧୭ ଜୁନ୍‍ ମାସରେ ୦.୦୯% ଥିଲା।
ପନିପରିବା ମୂଲ୍ୟ ଗତ ମେ’ ମାସରେ ୨.୫୧ ପ୍ରତିଶତ ତୁଳନାରେ ଜୁନ୍‍ ମାସରେ ୮.୧୨%କୁ ବୃଦ୍ଧି ପାଇଥିଲା। ସୋମବାର ପ୍ରକାଶିତ ସରକାରୀ ତଥ୍ୟାନୁଯାୟୀ ଗତ ମାସରେ ଖାଦ୍ୟ ମୂଲ୍ୟସ୍ଫୀତି ୧.୬୦% ଥିବା ବେଳେ ଜୁନ୍‍ ମାସରେ ୧.୮୦%କୁ ବୃଦ୍ଧି ପାଇଛି। ସେହିପରି ଗତ ମେ’ ମାସରେ ତୈଳ ମୁଦ୍ରସ୍ଫୀତି ୧୧.୨୨% ଥିବା ବେଳେ ଜୁନ୍‍ ମାସରେ ୧୬.୧୮%କୁ ବୃଦ୍ଧି ପାଇଛି। ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ଜୁନ୍‍ ମାସରେ ଆଳୁରେ ପାଖାପାଖି ୭% ଓ ପିଆଜରେ ୫% ବୃଦ୍ଧି ଘଟିଛି। ଅପରପକ୍ଷରେ ଡାଲି ଜାତୀୟ ଖାଦ୍ୟ ସାମଗ୍ରୀରେ ମୂଲ୍ୟ ହ୍ରାସର ଧାରା ଜାରି ରହିଛି। ଜୁନ୍‍ ମାସରେ ଡାଲି ଜାତୀୟ ସାମଗ୍ରୀ ୨୦.୨୩% ଶସ୍ତା ହୋଇଛି।
ଗତ ସପ୍ତାହରେ ପ୍ରକାଶ ପାଇଥିବା ଖାଉଟି ମୁଦ୍ରାସ୍ଫୀତି ମଧ୍ୟ ୫%କୁ ବୃଦ୍ଧି ପାଇଛି। କ୍ରମବର୍ଦ୍ଧିଷ୍ଣୁ ମୁଦ୍ରାସ୍ଫୀତି ହାରକୁ ଦୃଷ୍ଟିରେ ରଖି ଆରବିଆଇ ଗତ ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧ ହାର ୦.୨୫%କୁ ବୃଦ୍ଧି କରିଥିଲା।

Leave A Reply