ସିଡନୀରେ ପ୍ରଥମ ଦିନିକିଆ ; ବିଜୟ ଆଶାରେ ଭାରତ

0

ସିଡ୍‌ନୀ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଏକଦିବସୀୟ ସରିଜର ପ୍ରଥମ ମ୍ୟାଚ ଶନିବାର(ଆସନ୍ତାକାଲି) ସିଡନୀରେ ଖେଳାଯିବ। ୨-୧ରେ ଟେଷ୍ଟ ସିରିଜ୍‍ ଜିତିବା ପରେ ଭାରତୀୟ ଦଳ ବେଶ ଉତ୍ସାହିତ ଅଛନ୍ତି। ତେଣୁ ଦିନିକିଆରେ ବେଶ ଭଲ ପ୍ରଦର୍ଶନ କରିବା ଆଶା କରାଯାଏ ।

ଉଭୟ ଦଳଙ୍କ ମଧ୍ୟରେ ଟ୍ବେଣ୍ଟି-୨୦ ସିରିଜ୍ ଡ୍ର ରହିଥିବା ବେଳେ ଟେଷ୍ଟ ସିରିଜ୍‌ରେ ଐତିହାସିକ ବିଜୟ ହାସଲ କରିଛି ଭାରତ। ଏହି ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଜିତି ଭାରତ ଅଷ୍ଟ୍ରେଲିଆ ମାଟିରେ ସର୍ବପ୍ରଥମ ଟେଷ୍ଟ ସିରିଜ୍ ବିଜୟର ମୂଳଦୁଆ ପକାଇଥିଲା। ଏହି ଗ୍ରାଉଣ୍ଡରୁ ଦିନିକିଆ ସିରିଜ୍‌ ବିଜୟ ଅଭିଯାନ ଆରମ୍ଭ କରିବାର ଲକ୍ଷ୍ୟ ରଖିଛି ଭାରତୀୟ ଦଳ। ଅଷ୍ଟ୍ରେଲିଆରେ ଦିନିକିଆ ସିରିଜ୍ ଜିତିବା ପୂର୍ବରୁ ଭାରତ ପାଇଁ ସେତେ ସହଜ ହୋଇନାହିଁ। ତେବେ ଆତ୍ମବିଶ୍ବାସ ହରାଇଥିବା ଅଷ୍ଟ୍ରେଲିଆକୁ ଧଳା ବଲ୍ କ୍ରିକେଟ୍‌ରେ ହରାଇବାର ଏହା ଶ୍ରେଷ୍ଠ ସୁଯୋଗ ବୋଲି ଭାରତ ମନେକରୁଛି। ବଲ୍ ଟାମ୍ପରିଂ ବିବାଦ ପରେ ଅଷ୍ଟ୍ରେଲିଆ କୌଣସି ସିରିଜ ଜିତିନାହିଁ। ଆତ୍ମବିଶ୍ବାସରେ ଭରପୂର ଭାରତ ଏହି ସିରିଜ୍‌ରୁ ହିଁ ତା’ର ବିଶ୍ବକପ୍ ପ୍ରସ୍ତୁତି ଅାରମ୍ଭ କରିବ। ତେଣୁ ସିରିଜ ବିଜୟ ସହ ସଠିକ୍ ଦଳ ଗଠନ ଭାରତୀୟ ଦଳର ମୁଖ୍ୟ ଲକ୍ଷ୍ୟ ରହିବ।
ଟେଷ୍ଟ ସିରିଜ୍ ବିଜୟରେ ଭାରତର ବିନ୍ଧାଣୀ ସାଜିଥିବା ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ଦିନିକିଆରୁ ବିଶ୍ରାମ ଦିଆଯାଇଛି। ତେଣୁ ଦିନିକିଆ ଦଳରେ ୩ୟ ଫାଷ୍ଟବୋଲର ସ୍ଥାନ ନିଶ୍ଚିତ କରିବାକୁ ଖଲିଲ ଅହମ୍ମଦ, ମହମ୍ମଦ ସାମି ଓ ମହମ୍ମଦ ସିରାଜ୍‌ଙ୍କ ପାଖରେ ସୁଯୋଗ ରହିଛି। ପୁଣି ମହେନ୍ଦ୍ର ସିଂହ ଧୋନି ଆଗଭଳି ବିସ୍ଫୋରକ ବ୍ୟାଟିଂ କରିବା​​‌ରେ ‌ସଫଳ ହେଉନଥିବାରୁ ତାଙ୍କର ବିକଳ୍ପ ଖୋଜିବାକୁ ଭାରତ ପ୍ରୟାସ କରିବ। ଭାରତ ଚାହିଁବ ଯେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ତାଙ୍କର ଚମତ୍କାର ଦିନିକିଆ ପ୍ରଦର୍ଶନ ଜାରିରଖନ୍ତୁ। ଏହି ଓପ୍‌ନର ୨୦୧୧ ପରଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଶତକ ସହ ୭୯.୧୩ ଆଭ୍‌ରେଜରେ ସ୍କୋର୍ କରିଛନ୍ତି। ଶିଖର ଧାୱନ ମଧ୍ୟ ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବାକୁ ପ୍ରୟାସ କରିବେ। ଟେଷ୍ଟ ସିରିଜ୍‌ରେ ବିଫଳ ହୋଇଥିଲେ ମଧ୍ୟ ଦିନିକିଆରେ ଭାରତ ବିପକ୍ଷରେ ପ୍ରତିପକ୍ଷ ଅଧିନାୟକ ଆରୋନ୍ ଫିଞ୍ଚ୍‌ଙ୍କ ପ୍ରଦର୍ଶନ ବହୁତ ଭଲ। ଭାରତ ବିପକ୍ଷରେ ଓପ୍‌ନର ଫିଞ୍ଚ୍ ୧୬ଟି ଇନିଂସରୁ ୫୧.୮୮ ଆଭ୍‌ରେଜରେ ସ୍କୋର୍ କରିଛନ୍ତି। ଗ୍ଲେନ୍ ମ୍ୟାକ୍ସୱେଲ ସର୍ବଦା ପ୍ରତିପକ୍ଷ ଦଳଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏହି ସିରିଜ୍‌ରେ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିବାକୁ ପ୍ରୟାସ କରିବେ। ଟେଷ୍ଟ ସିରିଜ୍‌ରେ ସେପରି ଭଲ ପ୍ରଦର୍ଶନ କରି ପାରିନଥିବା ଉସ୍‌ମାନ ଖାୱାଜ, ସନ୍ ମାର୍ଶ ଓ ପିଟର ହ୍ୟାଣ୍ଡସକମ୍ବ୍ ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ମଧ୍ୟକ୍ରମ ସମ୍ଭାଳିବେ। ଆଲେକ୍ସ କ୍ୟାରେ ଜୀବନରେ ପ୍ରଥମଥର ପାଇଁ ଇନିଂସ ଓପନ୍ କରିବାକୁ ଥିବା ବେଳେ ୮ ବର୍ଷ ପରେ ଦିନିକିଆ ମ୍ୟାଚ୍ ଖେଳିବେ ଫାଷ୍ଟବୋଲର ପିଟର ସିଡ୍‌ଲ। ନାଥାନ୍ ଲାୟନ୍ ଏକମାତ୍ର ସ୍ପିନର ଭାବେ ଖେଳିବେ।
ଭାରତୀୟ ଏକାଦଶରୁ ହାର୍ଦିକ ପାଣ୍ଡ୍ୟା ଓ କେ.ଏଲ୍. ରାହୁଲ ବାଦ୍ ପଡ଼ିଥିବାରୁ ରବୀନ୍ଦ୍ର ଜାଡ଼େଜା ୨ୟ ସ୍ପିନର ଭାବେ ଖେଳିବେ। ଫଳରେ ଲେଗ୍‌ସ୍ପିନର ଯୁଜବେନ୍ଦ୍ର ଚହଲ ବାହାରେ ବସିବେ। ଭୁବନେଶ୍ବର କୁମାର ଓ ଖଲିଲ ଅହମ୍ମଦଙ୍କ ସହ ମହମ୍ମଦ ସାମି ୩ୟ ପେସ୍ ବୋଲର ଭାବେ ଖେଳିବେ। ସିଡ୍‌ନୀର ପିଚ୍ ବ୍ୟାଟିଂ ପାଇଁ ସହାୟକ ହେବ। ପିଚ୍‌ରେ କିଛି ଘାସ ଆବରଣ ଥିବାରୁ ସ୍ପିନର ସେପରି ଫାଇଦା ପାଇବେନାହିଁ। ଏହି ଗ୍ରାଉଣ୍ଡରେ ଉଭୟ ଦଳ ୧୬ଟି ଦିନିକିଆରେ ମୁହାଁମୁହିଁ ହୋଇଛନ୍ତି। ସେଥିରୁ ଅଷ୍ଟ୍ରେଲିଆ ୧୩ଟି ଓ ଭାରତ ୨ଟି ମ୍ୟାଚ୍ ଜିତିଛି। ୨୦୧୬ରେ ଶେଷଥର ପାଇଁ ଏଠାରେ ଉଭୟ ଦଳ ମୁହାଁମୁହିଁ ହୋଇଥିବା ବେଳେ ଡେଭିଡ୍ ୱାର୍ଣ୍ଣର ଓ ସନ୍ ମାର୍ଶ ଶତକ ମାରିଥିଲେ। ମନୀଷ ପାଣ୍ଡେଙ୍କ ଦ୍ରୁତ ଅପରାଜିତ ଶତକ ବଳରେ ଭାରତ ୩୩୧ ରନ୍‌ର ପିଛାକରି ଜିତିଥିଲା। ଆଉ ୬୫ ରନ୍ କଲେ ଶିଖର ଧାୱନ ୫ ହଜାର ଦିନିକିଆ ରନ୍ ପୂରଣ କରିବେ। ଆଉ ୧୮ ରନ୍ କଲେ ରବୀନ୍ଦ୍ର ଜାଡ଼େଜା ୨ ହଜାର ରନ୍ ପୂରଣ କରିବେ। ଗୋଟିଏ ୱିକେଟ ନେଲେ ଭୁବନେଶ୍ବର କୁମାରଙ୍କ ୧୦୦ ଦିନିକିଆ ୱିକେଟ ପୂରଣ ହେବ। ଶେଷରେ ଏତିକି କୁହା ଯାଇପାରେ ଯେ ଭାରତ ଏହି ମ୍ୟାଚ୍‌ରେ ଫେଭରିଟ୍। ତେବେ ଭାରତକୁ ଚକ୍‌ମାଦେବାର ଦକ୍ଷତା ଅଷ୍ଟ୍ରେଲିଆର ଅଛି।

ଅଷ୍ଟ୍ରେଲିଆ ଚୁଡାନ୍ତ ଏକାଦଶ : ଏରୋନ ଫିଞ୍ଚ(ଅଧିନାୟକ), ଏଲେକ୍ସ କେରି, ଉସମାନ ଖ୍ୱାଜା, ଶନ ମାର୍ଶ, ପିଟର ହେଡସକମ୍ବ, ଗ୍ଲେନମ୍ୟାକ୍ସୱେଲ, ନାଥନ ଳାୟନ, ପିଟର ସିଡଲ, ଜୟ ରିଚାର୍ଡସନ,ଜେସନ ବ୍ରେହନଡାର୍ଫ
ଏକଦିବସୀୟ ସିରିଜ ପାଇଁ ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ) ରୋହିତ ଶର୍ମା, କେଏଲ ରାହୁଲ, ଶିଖର ଧାୱନ, ଅମ୍ବାତି ରାଇଡୁ, ଦିନେଶ କାର୍ତ୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନୀ(ୱକେଟ ରକ୍ଷକ) ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜୁବେନ୍ଦ୍ର ଚହଲ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ, ଖଲିଲ ଅହମ୍ମଦଏବଂ ମହମ୍ମଦ ସାମି।

ଅନ୍ୟପକ୍ଷରେ ବିବାଦୀୟ ମନ୍ତବ୍ୟ ପାଇଁ କେଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚ ଖେଳି ପାରିବେ ନାହିଁ। ଦଳରୁ ସେମାନଙ୍କୁ ବାସନ୍ଦ କରାଯାଇଛି।

ଏକଦିବସୀୟ ସିରିଜ ଖେଳ ସୂଚୀ :
ପ୍ରଥମ ଦିନିକିଆ ୧୨ ଜାନୁଆରୀ ସିଡନୀ
୨ୟ ଦିନିକିଆ ୧୫ ଜାନୁଆରୀ  ଏଡିଲେଡ
୩ୟ ଦିନିକିଆ ୧୮ ଜାନୁଆରୀ  ମେଲବୋର୍ଣ୍ଣ

Leave A Reply