ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ବେଣ୍ଟି-୨୦ ଆଜି

0

ଧର୍ମଶାଳା: ଗତ ୫୦ ଓଭର ବିଶ୍ବକପ୍‌ର ସେମିଫାଇନାଲରେ ପରାସ୍ତହେବା ପରେ ଆସନ୍ତାବର୍ଷ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍ ଲାଗି ଭାରତର ପ୍ରସ୍ତୁତି ରବିବାରଠାରୁ ଆରମ୍ଭହେବ। ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ରବିବାର ଖେଳାଯିବ। ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ ବୋଲି ପୂର୍ବାନୁମାନ କରା ଯାଇଥିଲେ ହେଁ ଏହା କ୍ରିକେଟପ୍ରେମୀଙ୍କୁ ପ୍ରଭାବିତ କରି ପାରିନାହିଁ କି ଭାରତୀୟ ଦଳରେ ନିୟମିତ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଥିବା ଯୁବ କ୍ରିକେଟରଙ୍କୁ ଲକ୍ଷ୍ୟଚ୍ୟୁତ କରି ପାରିନାହିଁ। ଭାରତୀୟ ଦଳ ବେଶ୍‌ ମଜ୍‌ଭୁତ ରହିଛି। ଭାରତୀୟ ଟ୍ବେଣ୍ଟି୨୦ ଦଳର ନିୟମିତ ଖେଳାଳିଙ୍କ ସହ କିଛି ଯୁବ ବୋଲର ଏହି ମ୍ୟାଚ୍‌ରେ ଖେଳିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ କ୍ବିଣ୍ଟନ ଡି କକ୍‌ଙ୍କ ନେତୃତ୍ବରେ ଏକ ଅନଭିଜ୍ଞ ଦଳ ଭାରତ ଆସିଛି। ଦଳରେ ଫାଫ୍‌ ଡୁ ପ୍ଲେସି କିମ୍ବା ଅବସର ନେଇଥିବା ହାସିମ୍ ଆମ୍‌ଲା ନାହାନ୍ତି। ବୋଲିଂ ବିଭାଗରେ କାଗିସୋ ରାବାଡ଼ାଙ୍କୁ ଛାଡ଼ି ଅଭିଜ୍ଞ ବୋଲର ନାହାନ୍ତି। ତେଣୁ ଭାରତ ଏହି ମ୍ୟାଚ୍ ସହ ପୂରା ସିରିଜ୍‌ରେ ଫେଭରିଟ୍‌ର ମାନ୍ୟତା ପାଇଛି।
ପ୍ରଥମେ ଦକ୍ଷିଣ ଆଫ୍ରିକା ଏବଂ ପରେ ଭାରତୀୟ ଦଳ ଧର୍ମଶାଳାରେ ପହଞ୍ଚି ଅଭ୍ୟାସ କରିଛନ୍ତି। ବିଶ୍ବକପ୍ ପରେ ଭାରତୀୟ ଦଳ ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟ୍ବେଣ୍ଟି୨୦ ସିରିଜ୍‌କୁ ୩-୦ରେ ପୋଛିନେଇଛି। ଦକ୍ଷିଣ ଆଫ୍ରିକା ଦଳରେ କିଛି ଭଲ କ୍ରିକେଟର ଅଛନ୍ତି। ନୂଆବଲ୍‌ରେ ଏକ ଭଲ ସ୍ପେଲ୍‌ ପକାଇଲେ କାଗିସୋ ରାବାଡ଼ା ଭାରତୀୟ ଦଳକୁ ଅସୁବିଧାରେ ପକାଇ ପାରନ୍ତି। ପୁଣି ଜୁନିୟର ଡାଲା ମଧ୍ୟ ଭଲ ବୋଲର। ଟ୍ବେଣ୍ଟି୨୦ କ୍ରିକେଟରେ ଡାଲା ୭ଟି ବଲ୍‌ରେ ରୋହିତ ଶର୍ମାଙ୍କୁ ୩ ଥର ଆଉଟ କରିଛନ୍ତି। ପୁଣି ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ଭାବେ ଅଧିନାୟକ କ୍ବିଣ୍ଟନ୍ ଡି କକ୍‌ ସର୍ବଦା ଯେକୌଣସି ଦଳକୁ ଚିନ୍ତାରେ ପକାଇ ପାରନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଡି କକ୍ ପ୍ରସିଦ୍ଧ। ତେବେ ପ୍ରଥମଥର ଦଳର ନେତୃତ୍ବ ନେବା ଚାପକୁ ଡି କକ୍ କିପରି ପ୍ରତିହତ କରି ପାରୁଛନ୍ତି; ତାହା ମଧ୍ୟ ଦେଖିବାର କଥା। ରିଜା ହେଣ୍ଡ୍ରିକ୍‌ସଙ୍କର ଆନ୍ତର୍ଜାତିକ କ୍ରିକେଟ୍‌ରେ ବେଶ୍ ଅଭିଜ୍ଞତା ରହିଛି। ମଧ୍ୟକ୍ରମ ସମ୍ଭାଳିବେ ଟେଷ୍ଟମ୍ୟାଚ୍ ବିଶେଷଜ୍ଞ ତେମ୍ବା ବାଭୁମା ଏବଂ ଗତ ବର୍ଷେ ହେଲା ସୀମିତ ଓଭର କ୍ରିକେଟ ଖେଳୁଥିବା ରାସି ଭାନ୍ ଡ୍ୟୁସେନ୍। ସାରାବିଶ୍ବର ପେସାଦାର ଟ୍ବେଣ୍ଟି୨୦ ଲିଗ୍ ଖେଳିବାର ଅଭିଜ୍ଞତା ଭାନ୍ ଡ୍ୟୁସେନ୍‌ଙ୍କ ରହିଛି ଏବଂ ସେ ସ୍ପିନ୍ ବିପକ୍ଷରେ ଭଲ ବ୍ୟାଟ୍‌ସମ୍ୟାନ୍। ତେବେ ଦକ୍ଷିଣ ଆଫ୍ରିକା ମଧ୍ୟକ୍ରମରେ ଅଭିଜ୍ଞ ଡେଭିଡ୍‌ ମିଲରଙ୍କ ଉପରେ ବହୁତ ନିର୍ଭର କରିବ। ଏକାଧିକ ଥର ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦ୍ବାରା ବାମହାତି ମିଲର ଦଳକୁ ଜିତାଇଛନ୍ତି। ଆନ୍ଦିଲେ ଫେଲୁକ୍ବାୟୋ ଓ ଆନ୍‌ରିଜ୍ ନୋର୍ଜେ ଅଲ୍‌ରାଉଣ୍ଡର ଭୂମିକା ନିର୍ବାହ କରିବେ। ଶେଷଥର ପାଇଁ ୨୦୧୫ରେ ଏହି ଗ୍ରାଉଣ୍ଡରେ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳା ଯାଇଥିଲା। ରୋହିତ ଶର୍ମାଙ୍କ ଶତକ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ୨୦୦ ରନ୍‌ର ପିଛାକରି ବିଜୟୀ ହୋଇଥିଲା।
ଭାରତୀୟ ଏକାଦଶରେ ୨ଟି ସ୍ଥାନକୁ ନେଇ ଦଳ ମ୍ୟାନେଜମେଣ୍ଟକୁ ମାନସ ମନ୍ଥନ କରିବାକୁ ପଡ଼ିପାରେ। ରୋହିତ ଶର୍ମା ଓପ୍‌ନର ଭାବେ ଖେଳିବା ନିଶ୍ଚିତ ହୋଇଥିବା ବେଳେ ୨ୟ ଓପ୍‌ନର ଭାବେ ଶିଖର ଧାୱନ୍ ଓ କେ.ଏଲ୍‌. ରାହୁଲଙ୍କ ମଧ୍ୟରୁ ଭାରତକୁ ଜଣଙ୍କୁ ବାଛିବାକୁ ପଡ଼ିପାରେ। ପୁଣି ସ୍ପିନର ଭାବେ ରବୀନ୍ଦ୍ର ଜାଡ଼େଜା ଓ ଯୁବ ଲେଗ୍‌ସ୍ପିନର ରାହୁଲ ଚହରଙ୍କ ମଧ୍ୟରୁ ଭାରତ ଜଣଙ୍କୁ ବାଛିବ। ଦୀପକ ଚହର ଓ ନବଦୀପ ସୈନି ପେସ୍ ବୋଲର ଭାବେ ଖେଳିବା ନିଶ୍ଚିତ। ଅଲ୍‌ରାଉଣ୍ଡର ଭାବେ ଦୁଇ ଭାଇ ହାର୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟା ଖେଳିବେ। ଦକ୍ଷିଣ ଆଫ୍ରିକା ପାଇଁ ସବୁଠାରୁ ବଡ଼ ଆହ୍ବାନ ହେବ ଅଧିନାୟକ ବିରାଟ କୋହଲିଙ୍କୁ ରୋକିବା। ସମସ୍ତ ଫର୍ମାଟରେ ନିକଟରେ ଭଲ ଫର୍ମ ଦେଖାଇଛନ୍ତି କୋହଲି। ୪ନଂ ସ୍ଥାନରେ ମନୀଷ ପାଣ୍ଡେ କିମ୍ବା ଶ୍ରେୟାସ ଆୟର ଖେଳିପାରନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆୟର ଭଲ ବ୍ୟାଟିଂ କରିଥିଲେ। ପେସ୍ ବୋଲିଂ ସ୍ଥାନ ପାଇଁ ବାମହାତି ଖଲିଲ ଅହମ୍ମଦ ମଧ୍ୟ ବଡ଼ ଦାବିଦାର। ନୂଆବଲ୍‌ରେ ବୋଲିଂ କରିବାର ସୁଯୋଗ ଅଫ୍‌ସ୍ପିନର ୱାଶିଂଟନ ସୁନ୍ଦରଙ୍କୁ ମିଳିପାରେ। ଯଦି ଦକ୍ଷିଣ ଆଫ୍ରିକାର ପେସ୍ ବୋଲର ଜଲ୍‌ଦି ଭାରତର ପ୍ରଥମ ୩ ବ୍ୟାଟ୍‌ସମ୍ୟାନଙ୍କୁ ଆଉଟ କରିଦିଅନ୍ତି; ତେବେ ଘରୋଇ ଦଳ ଚାପରେ ପଡ଼ିଯିବ।
ଆଜି (ରବିବାର)ର ମ୍ୟାଚ୍
ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ବେଣ୍ଟି-୨୦
ସିଧା ପ୍ରସାରଣ: ଷ୍ଟାର୍‌ସ୍ପୋର୍ଟସ-୧ ଓ ୩; ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ।

Leave A Reply