ମାଟ୍ରିକ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ : କେନ୍ଦ୍ର ଅଧୀକ୍ଷକ, ଠିକା ଶିକ୍ଷୟିତ୍ରୀ ଗିରଫ ହୋଇ ଜାମିନରେ ଗଲେ

0

ଢେଙ୍କାନାଳ ସଦର : ମାଟ୍ରିକ୍‍ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଗଁଦିଆ ବ୍ଲକ୍‍ ଚିରୁଳେଇ ସୁଦର୍ଶନ ବିଦ୍ୟାଭବନ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ସନ୍ତୋଷ କୁମାର ସାହୁ, ଠିକା ଶିକ୍ଷୟିତ୍ରୀ ବୈଜୟନ୍ତି ଶତପଥୀଙ୍କୁ ପୁଲିସ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି। ଅଦାଲତ ଉଭୟଙ୍କ ଜାମିନ ମଞ୍ଜୁର କରିଛନ୍ତି। ଏହି ଘଟଣାରେ ଉପଅଧୀକ୍ଷକ ଏବଂ ଭାଇରାଲ କରିଥିବା ଯୁବକଙ୍କୁ ପୁଲିସ ଖୋଜୁଛି। ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ୍‍ ଚିରୁଳେଇ ସୁଦର୍ଶନ ବିଦ୍ୟାଭବନରୁ ପ୍ରଥମ ଦିନ ମାତୃଭାଷା (ସାହିତ୍ୟ) ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହି ଘଟଣାରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ସନ୍ତୋଷ କୁମାର ସାହୁ, ଠିକା ଶିକ୍ଷୟିତ୍ରୀ ବୈଜୟନ୍ତୀ ଶତପଥୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ନିଲମ୍ବିତ କରିଥିଲେ। ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ନିର୍ଦ୍ଦେଶ ମୁତାବକ ପ୍ରଶ୍ନପତ୍ର ଲିକ୍‍ ଘଟଣାରେ ଏମାନଙ୍କ ନାମରେ ଗଁଦିଆ ଥାନାରେ ଏତଲା ଦେଇଥିଲେ। ରାଜ୍ୟ ସରକାର ଏହିଘଟଣାକୁ ଗୁରୁତ୍ୱର ସହ ନେଇ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ ମହାପାତ୍ର ଗୃହ ବିଭାଗକୁ ଚିଠି ଲେଖିଥିଲେ। ଜିଲାପାଳ ଏବଂ ଏସପି ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଗଁଦିଆ ପୁଲିସ ନିର୍ଦ୍ଦେଶ ଦେଇଥିଲେ। ଗଁଦିଆ ଥାନା ଅଧିକାରୀ ନିରୁପମା ଜେନା ଶୁକ୍ରବାର ଭୋରରୁ କେନ୍ଦ୍ର ଅଧୀକ୍ଷକ ଶ୍ରୀ ସାହୁ ଏବଂ ଠିକା ଶିକ୍ଷୟିତ୍ରୀ ଶ୍ରୀମତୀ ଶତପଥୀଙ୍କୁ ନିଜ ବାସଭବନ ରୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଅଦାଲତ ସନ୍ଧ୍ୟାରେ ଉଭୟଙ୍କ ଜାମିନ ମଞ୍ଜୁର କରିଛନ୍ତି। ଏହି ଘଟଣାରେ ପୂର୍ବରୁ ଜିଲା ଶିକ୍ଷା ଅଧିକାରୀ ସୁଦର୍ଶନ ବିଦ୍ୟାଭବନ ର ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ସନ୍ତୋଷ କୁମାର ସାହୁଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିବା ବେଳେ ସେଠାରେ ଡ୍ୟୁଟି କରୁଥିବା କାବରା -ମାଧପୁରର ବଡଜେନା ବିଦ୍ୟାପୀଠର ଠିକା ଶିକ୍ଷୟିତ୍ରୀ ବୈଜୟନ୍ତୀ ଶତପଥୀଙ୍କୁ କାରଣଦର୍ଶାଅ ନୋଟିସ୍‍ ଜାରି କରି ନିଳମ୍ବିତ ଥିଲେ। ସୁଦର୍ଶନ ବିଦ୍ୟାପୀଠର ଉପ ଅଧୀକ୍ଷକ କ୍ଷେତ୍ରବାସୀ ଲେଙ୍କାଙ୍କ ସମେତ ସବୁ ନିରୀକ୍ଷକମାନଙ୍କୁ ଦାୟିତ୍ୱରୁ ଅନ୍ତର କରିଥିଲେ। ସୁଦର୍ଶନ ବିଦ୍ୟାଭବନ ଉପର ମହଲାକୁ ଯାଇ ପ୍ରଶ୍ନପତ୍ର ପ୍ରଘଟ କରିଥିବା ଯୁବକ ଜଣକ କିଏ ଏବଂ ସେ କିପରି ଉପର ମହଲା ପର୍ଯ୍ୟନ୍ତ ଗଲା ତଦନ୍ତ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

Leave A Reply