ମହିଳା ହକି : ଭାରତ ସେମିରେ ପରାସ୍ତ

0

ଗୋଲଡ କୋଷ୍ଟ୍‍: ଭାରତ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ମହିଳା ହକି ଇଭେଣ୍ଟ ସେମିଫାଇନାଲରେ ପରାଜୟ ବରଣ କରିଛି। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ୧-୦ ଗୋଲରେ ଭାରତକୁ ପରାସ୍ତ କରିଛି। ଆସନ୍ତା ଶନିବାର ବ୍ରୋଞ୍ଜପଦକ ମୁକାବିଲାରେ ଭାରତ ଇଂଲଣ୍ଡକୁ ଭେଟିବ। ସୂଚନାଯୋଗ୍ୟ ଇଂଲଣ୍ଡ ମହିଳା ହକି ଦଳ ଅଲିମ୍ପିକ ଚମ୍ପିଆନ ହୋଇଥିବାବେଳେ ଚଳିତ ଟୁର୍ଣ୍ଣାମେଣ୍ଟର ଲିଗ୍‍ ପର୍ଯ୍ୟାୟ ମୁକାବିଲାରେ ଏହା ଭାରତ ନିକଟରୁ ହାରିଯାଇଥିଲା।
ପ୍ରତିପକ୍ଷ ଅଷ୍ଟ୍ରେଲିଆ ଦଳ ଅପେକ୍ଷାକୃତ ଶକ୍ତିଶାଳୀ ହୋଇଥିଲେ ସୁଦ୍ଧା ଭାରତ ଏହି ସେମିଫାଇନାଲ ମୁକାବିଲାରେ ଉନ୍ନତ ପ୍ରଦର୍ଶନ ଜାରି ରଖିଥିଲା। ପ୍ରଥମ ଦୁଇଟି କ୍ୱାର୍ଟରରେ ଅଷ୍ଟ୍ରେଲିଆ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରି ଅଧିକାଂଶ ସମୟ ଭାରତୀୟ ଇଲାକାରେ ଆଧିପତ୍ୟ ବିସ୍ତାର କରିଥିଲା। ପ୍ରଥମ କ୍ୱାର୍ଟରରେ ଅଷ୍ଟ୍ରେଲିଆ ଦୁଇଟି ପେନାଲଟି କର୍ଣ୍ଣର ପାଇଥିଲେ ସୁଦ୍ଧା ଭାରତୀୟ ରକ୍ଷଣଭାଗ ଖେଳାଳିଙ୍କ ତତ୍ପରତା ଯୋଗୁଁ ଗୋଲ ଦେବାରେ ଅସମର୍ଥ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ଅଷ୍ଟ୍ରେଲୀୟ ଫରୱାର୍ଡ ଗ୍ରେସ ଷ୍ଟିୱାର୍ଟଙ୍କ ଶକ୍ତିଶାଳୀ ସଟ୍‍କୁ ଭାରତୀୟ ଗୋଲରକ୍ଷକ ସବିତା ଅଟକାଇଥିଲେ। ଏହି କ୍ୱାର୍ଟରେରେ ନବନୀତ ହଳଦିଆ କାର୍ଡ ପାଇବାପରେ ଭାରତୀୟ ଦଳ ପାଞ୍ଚ ମିନିଟ ପାଇଁ ଦଶ ଜଣ ଖେଳାଳିରେ ସୀମିତ ରହିଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିବାବେଳେ ତୃତୀୟ କ୍ୱାର୍ଟରରେ ଅଷ୍ଟ୍ରେଲିଆ ପୁଣି ଏକ ପେନାଲଟି କର୍ଣ୍ଣର ପାଇଥିଲା। ତେବେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ଚତୁରତାର ସହ ପ୍ରତିପକ୍ଷ ଖେଳାଳିଙ୍କ ସଟ୍‍କୁ ଅଟକାଇ ଦଳକୁ ନିଶ୍ଚିତ ଗୋଲରୁ ରକ୍ଷା କରିଥିଲେ। ତୃତୀୟ କ୍ୱାର୍ଟରରେ ଗ୍ରେସ ଷ୍ଟିୱାର୍ଟ ଚମତ୍କାର ଫିଲ୍ଡ ଗୋଲ ଦେବାଫଳରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଥିଲା। ଚତୁର୍ଥ କ୍ୱାର୍ଟରରେ ଭାରତକୁ ଲାଗ୍‍ ଲାଗ୍‍ ଦୁଇଟି ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଭାରତୀୟ ଖେଳାଳି ଏହାର ସଦୁପଯୋଗ କରିପାରିନଥିଲେ। ମୋନିକାଙ୍କଠାରୁ ମିଳିଥିବା କ୍ରସ୍‍ ପାସ୍‍କୁ ନବନୀତ ଫାଙ୍କା ଗୋଲପୋଷ୍ଟ ମଧ୍ୟକୁ ପଠାଇବାରେ ବିଫଳ ହୋଇଥିବାବେଳେ ପ୍ରତିପକ୍ଷ ଗୋଲପୋଷ୍ଟ ସମ୍ମୁଖରେ ବନ୍ଦନା କଟାରିୟାଙ୍କ ପାସ୍‍କୁ ଅଧିନାୟିକା ରାଣୀ ରାମପାଲ ଷ୍ଟିକ୍‍ ସଂଯୋଗ କରିବାରେ ଅସମର୍ଥ ହୋଇଥିଲେ। ଫଳରେ ଅଷ୍ଟ୍ରେଲିଆ ୧-୦ରେ ବିଜୟୀ ହୋଇ ଫାଇନାଲରେ ସ୍ଥାନ ପକ୍କା କରିପାରିଛି।

Leave A Reply