ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

0

କଟକ : ଉତ୍କଳ ବିଶ୍ୱବିଦ୍ୟାଳୟର ୪୦ ଏକର ଜମି ଆତ୍ମସାତ୍‍ ଘଟଣାର ତଦନ୍ତ ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦେଶ ଦିଆଯାଉ ବୋଲି ପ୍ରାର୍ଥନା କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ପ୍ରାୟ ୬ଶହ କୋଟିରୁ ଊଦ୍ଧ୍ୱର୍ ମୂଲ୍ୟର ଏହି ଜମିକୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଜବର ଦଖଲ ଜମି ଉପରେ ଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯାଇ ଏହାକୁ ବାଣୀବିହାର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ସହ ଜବର ଦଖଲକାରୀ ଓ ଏପରି ଜମି ଆତ୍ମସାତ୍‍ ଘଟଣାରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସମାଜସେବୀ ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ରୁୁଜୁ ମାମଲାରେ ଦର୍ଶାଯାଇଛି। ଏହି ମାମଲାରେ ଆଇନ ସଚିବ, ରାଜସ୍ୱ ସଚିବ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି, ରେଜିଷ୍ଟ୍ରାର, ଖୋର୍ଦ୍ଧା ଜିଲାପାଳ, ଭୁବନେଶ୍ୱର ତହସିଲଦାର, କେନ୍ଦ୍ରାଞ୍ଚଳ ଆରଡିସି, ବିଏମସି କମିସନର, ବିଡିଏ, ପୁଲିସ କମିସନର ଓ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯାମୀ ସ୍ୱାଇଁ ଏହି ମାମଲା ରୁଜୁ କରିଛନ୍ତି। ଆବେଦନକାରୀ ଦର୍ଶାଇଛନ୍ତି ଯେ ଉତ୍କଳ ବିଶ୍ୱବିଦ୍ୟାଳୟର ୩୯୮.୯୮ ଏକର ଜମି ଥିବା ରେକର୍ଡ କହୁଛି। ମାତ୍ର ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗର ଭୂ-ଲେଖରେ ଥିବା ତଥ୍ୟ କିନ୍ତୁ କହୁଛି ବିଶ୍ୱବିଦ୍ୟାଳୟ ୩୫୯ ଏକର ଜମିରେ ରହିଛି। ତେବେ ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ଜମିରୁ ୪୦ ଏକର ଜମି ଆତ୍ମସାତ୍‍ ହୋଇଥିବା ସ୍ପଷ୍ଟ ହୋଇଛି। ଏହି ୪୦ ଏକର ଜମି ମୂଲ୍ୟ ୬ଶହ କୋଟି ଟଙ୍କା ହେବ। ଏହି ଜମି ଜବର ଦଖଲରେ ରହିଛି ନାଁ କେହି ଚଞ୍ଚକତା କରି ନିଜ ନାଁରେ ରେକର୍ଡ କରି ଏହାକୁ ବିକ୍ରି କରିଛି ତାହା ସ୍ପଷ୍ଟ ହେଉ ନାହିଁ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ରାଜସ୍ୱ ବିଭାଗ ନିକଟରେ ଏହି ଜମିର କିଛି ସଠିକ ତଥ୍ୟ ନାହିଁ। କିଛି ମାସ ତଳେ ବାଣୀବିହାର ଜମି ଜବର ଦଖଲ ନେଇ ବିଧାନ ସଭାରେ ଉଠିଥିବା ପ୍ରଶ୍ନର ଉତ୍ତରରେ କୁହାଯାଇଥିଲା ଯେ ୩୦ ଏକର ଜମି ଜବର ଦଖଲରେ ରହିଛି। ବିଶ୍ୱବିଦ୍ୟାଳୟ ପୂର୍ବ ପାଶ୍ୱର୍ ତଥା ପଥର ବନ୍ଧ ବସ୍ତି ନିକଟରେ ୧୫ ଏକର, ଉତ୍ତର ପାଶ୍ୱର୍ ତଥା ଲକ୍ଷ୍ମୀବିହାର ଅଞ୍ଚଳରେ ୮ ଏକର ଓ ଦକ୍ଷିଣପାଶ୍ୱର୍ ତଥା ଏନଏଚ୍-୧୬ ନିକଟରେ ୭ ଏକର ଜମି ଜବରଦଖଲ ହୋଇଛି।
ବିଶ୍ୱବିଦ୍ୟାଳୟ ଜମିରୁ ଜବର ଦଖଲ ଉଚ୍ଛେଦ ପାଇଁ କିନ୍ତୁ ସରକାର କିଛି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଏହି ଘଟଣାରେ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ବହୁ ପ୍ରଭାବଶାଳୀ ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି।

Leave A Reply