ହାଫିଜ ସଇଦର ରାଜନୈତିକ ଦଳକୁ ପଞ୍ଜିକରଣ ଅନୁମତି

0

ଇସଲାମାବାଦ : ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହାଫିଜ ସଇଦ ଦ୍ୱାରା ପ୍ରତିଷ୍ଠିତ ମିଲ୍ଲି ମୁସଲିମ୍‌ ଲିଗ (ଏମ୍‌ଏମ୍‌ଏଲ)କୁ ରାଜନୈତିକ ଦଳ ଭାବେ ପଞ୍ଜିକୃତ କରିବାକୁ ଇସଲାମବାଦ ହାଇକୋର୍ଟ ଗୁରୁବାର ଅନୁମତି ପ୍ରଦାନ କରିଛନ୍ତି । ଏହାସହ ଏହି ଦଳର ପଞ୍ଜିକରଣ ପ୍ରକ୍ରିୟା ଶେଷ କରିବାକୁ ପାକିସ୍ତାନ ନିର୍ବାଚନ ଆୟୋଗଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି ।

କିଛି ଦିନ ପୂର୍ବରୁ ପାକିସ୍ତାନର ଏକ ଅଦାଲତ ଆତଙ୍କବାଦୀ ସଂଗଠନ ଜମାତ-ଉଦ୍‌-ଦାୱା (ଜେୟୁଡି) ମୁଖ୍ୟ ହାଫିଜଙ୍କ ‘ଆସନ୍ନ ଗିରଫଦାରୀ’ ଉପରେ ସ୍ଥଗିତାଦେଶ ୪ ଅପ୍ରେଲ ପର୍ଯ୍ୟନ୍ତ ବଢାଇ ଦେଇଥିଲେ । ଏମ୍‌ଏମ୍‌ଏଲ୍‌କୁ ଏକ ରାଜନୈତିକ ଦଳ ଭାବେ ପଞ୍ଜିକରଣ ଆବେଦନକୁ ଖାରଜ କରିବା ପାଇଁ ହାଇଥିବା ଆବେଦନକୁ ଇସଲାମାବାଦ ହାଇକୋର୍ଟ ଗୁରୁବାର ରଦ୍ଦ କରିଦେଇଥିଲେ । ଜଷ୍ଟିସ୍‌ ଅମିର ଫାରୁକ୍‌ ଏହି ଆବେଦନର ଶୁଣାଣି କରି ମାମଲାକୁ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇବା ସହ ପଞ୍ଜିକରଣ କରିବାକୁ ଗୁରୁବାର ନିର୍ଦେଶ ଦେଇଛନ୍ତି ।

ଫଳରେ ହାଫିଜ ସଇଦର ନିର୍ବାଚନ ଲଢିବା ରାସ୍ତା ସଫା ହୋଇଯାଇଛି । ଆସନ୍ତା ନିର୍ବାଚନରେ ହାଫିଜ ସଇଦର ଦଳ ମଇଦାନକୁ ଓହ୍ଲାଇବ ବୋଲି କୁହାଯାଉଛି ।

ଏପଟେ ଜମାତ-ଉଦ୍‌-ଦାୱା (ଜେୟୁଡି) ଓ ଫଲାହ-ଇ-ଇନସାନିୟତ ଫାଉଣ୍ଡେସନ (ଏଫଆଇଏଫ) କାର୍ଯ୍ୟାଳୟକୁ ହାଫିଜ ଓ ଜେୟୁଡିର ଅନ୍ୟ ନେତାମାନେ ନିୟମିତ ଯାଉଛନ୍ତି। ଫଳରେ ଏହି ଦୁଇ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଥିବାର ପାକିସ୍ତାନ ଦାବି ମିଛ ପ୍ରମାଣିତ ହୋଇଛି ।

Leave A Reply