୨୦୦୬ରୁ ଗାଁକୁ ଆସିନି

0

ଗରଦପୁର/ ପାଟକୁରା : ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ସକ୍ରିୟ ସଦସ୍ୟ ଥିବା ନେଇ କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ୍‍ର ତେଣ୍ଡାକୁଡା ଗ୍ରାମ ପଞ୍ଚାୟତର ମୀର୍‍ମହଲା ମୁସ୍‍ଲିମ୍‍ ବସ୍ତିର ଯୁବକ ହବିବୁର ରେହମାନ୍‍ ଓରଫ ହବିବ୍‍ ଗତକାଲି ଏନଆଇଏ ଦ୍ୱାରା ଗିରଫ ହେବାପରେ ଏହାକୁ ନେଇ ରାଜ୍ୟବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଛି। ୨୦୦୪ରେ ହବିବୁରକୁ ତା’ର ପିତା ଅୟନଉଦ୍ଦିନ୍‍ ହଜ୍‍ ଲାଗି ତୀର୍ଥ କରିବାକୁ ଯାଇଥିବାବେଳେ ମକ୍କାରେ ଭେଟିଥିଲେ। ୨୦୦୬ରେ ଶେଷଥର ଲାଗି ହବିବୁର ନିଜ ପତ୍ନୀ ଓ ପିଲାଙ୍କ ସହ ସାନଭାଇର ବିବାହରେ ଯୋଗଦେବା ଲାଗି ମୀର୍‍ମହଲା ଆସି ୬/୭ ଦିନ ରହିଥିଲା। ତା’ ପରଠାରୁ ହବିବୁର ସହ ପରିବାରର ସଂପର୍କ ନଥିବା ପିତା ଅୟନଉଦ୍ଦିନ କହିଛନ୍ତି। ତେବେ ୬ ମାସ ତଳେ ହବିବୁର ସଂପର୍କରେ ତଥ୍ୟ ସଂଗ୍ରହ ଲାଗି ଦିଲ୍ଲୀରୁ ଏନଆଇଏ ଟିମ୍‍ର ଜଣେ ଅଧିକାରୀ ଆସି ଘର ଲୋକଙ୍କୁ ପଚରା ଉଚରା କରିବା ସହ ସାନ ଭାଇକୁ ଦିଲ୍ଲୀ ଡକାଇ ୬ ଦିନ କାଳ ଜେରା କରିଥିବା କଥା ହବିବୁରର ଗିରଫଦାରୀ ପରେ ଏବେ ପିତା ଅୟନଉଦ୍ଦିନ୍‍ ଗଣମାଧ୍ୟମକୁ କହିଛନ୍ତି।
ସୋମବାର ରାତିରେ ପୋଲିସ୍‍ ଦ୍ୱାରା ଚଢଉ ହେବା ପରେ ଆତଙ୍କ ଖେଳିଯାଇଛି। ପାକିସ୍ତାନୀ ଆତଙ୍କବାଦୀ ଲସ୍କର-ଏ-ତୋଇବା ଉଗ୍ରବାଦୀ ସଂଗଠନର ସକ୍ରିୟ ସଦସ୍ୟ ହବିବୁର ରେହମନ୍‍କୁ ଦିଲ୍ଲୀ ବିମାନ ବନ୍ଦରରେ ଜାତୀୟ ତଦନ୍ତ ସଂସ୍ଥା (ଏନ୍‍ଆଇଏ) ଗିରଫ କରିବା ପରେ ଏନେଇ ଚର୍ଚ୍ଚା ବଢିଛି। ହବିବୁର ଓରଫ ହବିବ୍‍ର ମୂଳ ଘର ତେଣ୍ଡାକୁଡା ଗ୍ରାମର ମିରମହଲା ମୁସ୍‍ଲିମ୍‍ ବସ୍ତିରେ ଜଣାପଡିବା ପରେ କେନ୍ଦ୍ରାପଡା ଡିଏସ୍‍ପି ରଞ୍ଜନ ଦେ ଓ ପାଟକୁରା ଥାନାଧିକାରୀ ସୁଜିତ୍‍ କୁମାର ପ୍ରଧାନ ସଦଳବଳେ ଗାଁରେ ପହଞ୍ଚିି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଆଜି ହବିବୁର ରହେମାନର ଗିରଫଦାରୀ ସମ୍ପର୍କରେ ତା’ର ବାପା ଅୟନଉଦ୍ଦିନ (୭୭)ଙ୍କୁ ପଚାରିବାରୁ ସେ କହିଛନ୍ତି ପୁଅ ହବିବୁର ଯଦି ଦେଶଦ୍ରୋହ ଅଭିଯୋଗରେ ଗିରଫ ହୋଇଛି, ତେବେ ପୁଅ ଅପେକ୍ଷା ମୋ ସମ୍ମୁଖରେ ମୋର ଗାଁ ଓ ମୋ ଦେଶମାଟି ପ୍ରଥମ। ହବିବୁରକୁ ଆଇନ ଯାହା ଦଣ୍ଡ ଦେବ ସେଥିରେ ମୋର ତିଳେମାତ୍ର ଦୁଃଖ ନାହିଁ। ଅୟନଉଦ୍ଦିନଙ୍କର ତିନିପୁଅ ଓ ଛଅ ଝିଅ। ସେ ଟାଟା ଟେଲିକମ କମ୍ପାନୀରେ ଚାକିରୀ କରିଥିଲେ। ୩ ପୁଅରୁ ହବିବୁର ବଡ। ସେ ଗାଁରେ ତୃତୀୟ ପର୍ଯ୍ୟନ୍ତ ପାଠ ପଢିଛି। ୧୫ ବର୍ଷ ବୟସ ବେଳୁ ହବିବୁର ରାଉଲକେଲାର ଏକ ଗ୍ୟାରେଜରେ କାମ କରିବା ପାଇଁ ଯାଇଥିଲା। ସେଠାରେ ଦୁଇବର୍ଷ ରହିବା ପରେ ମୁମ୍ବଇ ଚାଲି ଯାଇଥିଲା। ମୁମ୍ବଇରେ ଗ୍ୟାରେଜରେ କାମ କରୁଥିବା ବେଳେ ପ୍ରଥମେ ଜଣେ ଖ୍ରୀଷ୍ଟିୟାନ ଝିଅକୁ ବିବାହ କରିଥିଲା ଓ ପରେ ପୁର୍ନବାର ଅନ୍ୟଜଣେ ମୁସଲିମ ଝିଅକୁ ବିବାହ କରିଥିଲା। ତା’ପରେ ସେ ସାଉଦିଆରବ ଚାଲିଯାଇଥିଲା। ୨୦୦୪ ମସିହାରେ ବାପା ଅୟନଉଦ୍ଦିନ ମକ୍କା ମଦିନାକୁ ହଜ୍‍ କରିବାକୁ ଯାଇଥିଲା ବେଳେ ପୁଅ ହବିବୁର ରହେମାନ ସେଠାରେ ସାକ୍ଷାତ କରିଥିଲା। ୨୦୦୬ରେ ମଝିଆ ପୁଅ ଅତାଭରର ବିବାହରେ ଯୋଗଦେବା ପାଇଁ ହବିବୁର ତାର ପ୍ରଥମ ସ୍ତ୍ରୀ ଓ ଦୁଇଟି ପିଲାକୁ ସାଥିରେ ଆଣି ଗାଁକୁ ଆସିଥିଲା। ସେହିଦିନଠାରୁ ବଡପୁଅ ହବିବୁର ଗାଁ କୁ ଫେରିନାହିଁ କି ଘର ସହିତ କୌଣସି ଯୋଗାଯୋଗ ନାହିଁ ବୋଲି ବାପା ଅୟନଉଦ୍ଦିନ ଗଣମାଧ୍ୟମକୁ କହିଛନ୍ତି। ତାଙ୍କର ସାନପୁଅ ଜିଆଉର ରହମନ ସାଉଦିରେ ଏକ ଗ୍ୟାରେଜରେ ଇଲେକ୍ଟ୍ରି କାମ କରୁଛି। ଗାଁରେ ଥିବା ମଝିଆ ପୁଅ ଅତାଉରଙ୍କୁ ପଚାରିବାରୁ ସେ କୁହନ୍ତି ଯେ ୬ ମାସ ପୁର୍ବରୁ ଏନଆଇଏ ଅଧିକାରୀ ପାଟକୁରା ପୁଲିସକୁ ଧରି ଭାଇ ହବିବୁର ସଂପର୍କରେ ପଚରାଉଚରା କରିବାକୁ ଘରକୁ ଆସିଥିଲେ। ୧୫ ଦିନ ପରେ ସେ ତାଙ୍କ ସାନଭାଇ ଜିଆଉରଙ୍କୁ ଦିଲ୍ଲୀ ଏନଆଇଏ ଅଫିସକୁ ଡକାଇ ୭/୮ ଦିନ କାଳ ପଚାରଉଚରା କରିଥିଲେ। ହବିବୁର ରହମନ ସାଉଦି ଆରବର କ’ଣ କାମ କରେ କାହା କାହା ସହିତ ସଂପର୍କ ରହିଛି ତାହା ଆମ ପରିବାର ଲୋକେ କିଛି ବି ଜାଣନ୍ତି ନାହିଁ ବୋଲି ଜିଆଉର କହିଛନ୍ତି।

Leave A Reply