‘ଗୋପବନ୍ଧୁ ଜ୍ୟୋତି ଯାତ୍ରା’ର ଶୁଭ ଉଦ୍‍ଘାଟନ

0

କଟକ : ବ୍ରହ୍ମପୁରଠାରେ ‘ଗୋପବନ୍ଧୁ ଭବନ’ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ତମ ପୂଣ୍ୟତିଥି ଅବସରରେ ରାଜ୍ୟବ୍ୟାପି ପରିଭ୍ରମଣ କରିବାକୁ ଥିବା ‘ଗୋପବନ୍ଧୁ ଜ୍ୟୋତି ଯାତ୍ରା’ର ଶୁଭ ଉଦ୍‍ଘାଟନ ଅବସରରେ ଆଜି ସନ୍ଧ୍ୟାରେ ଗୋପବନ୍ଧୁ ଭବନ ପରିସରରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ପଣ୍ଡିତ ଗୋପବନ୍ଧୁଙ୍କୁ ଉତ୍କଳମଣି ନୁହେଁ ବରଂ ଅମୂଲ୍ୟମଣି ଭାବେ ଅବିହିତ କରିଥିଲେ। ଉତ୍କଳମଣିଙ୍କଦ୍ୱାରା ପ୍ରତିଷ୍ଠିତ ‘ସମାଜ’ ଗରୀବଙ୍କ ସେବାରେ ସମର୍ପିତ ଥିଲା। ସାଧାରଣ ଜନତାଙ୍କ ସ୍ୱର ଭାବେ ସେ ‘ସମାଜ’ ପ୍ରତିଷ୍ଠିତ କରିଥିବା ବେଳେ ଏବେ ଏହା ଏକ ବିରାଟ ଅନୁଷ୍ଠାନରେ ପରିଣତ ହୋଇଛି। ଗୋପବନ୍ଧୁଙ୍କ ଆଦର୍ଶକୁ ବଜାୟ ରଖି ଦୀନଦୁଃଖିଙ୍କ ସେବାରେ ‘ସମାଜ’ ଅନୁଷ୍ଠାନ ତାର କାର୍ଯ୍ୟ ଜାରି ରଖିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଆଜିଠାରୁ ରାଜ୍ୟବ୍ୟାପି ପରିକ୍ରମା କରିବାକୁ ଥିବା ‘ଗୋପବନ୍ଧୁ ଜ୍ୟୋତି ଯାତ୍ରା’କୁ ମୁଖ୍ୟମନ୍ତ୍ରୀ ଉଦ୍‍ଘାଟନ କରିବା ସହ ଏହି ଯାତ୍ରା ଗୋପବନ୍ଧୁଙ୍କ ପ୍ରଦର୍ଶିତ ତ୍ୟାଗ, ସେବା ଓ ଦେଶଭକ୍ତିକୁ ସମଗ୍ର ରାଜ୍ୟରେ ପ୍ରଚାର କରିବାରେ ସଫଳ ହେବ ବୋଲି ଆଶାପ୍ରକଟ କରିଥିଲେ।
ଉତ୍ସବରେ ସମ୍ମାନିତ ଅତିଥି ଭାବେ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ, ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଯୋଗଦେଇ ଉତ୍କଳମଣିଙ୍କଦ୍ୱାରା ପ୍ରତିଷ୍ଠିତ ତିନୋଟି ପ୍ରମୁଖ କାର୍ଯ୍ୟ ଶିକ୍ଷା, ଖବରକାଗଜ ପ୍ରକାଶନ ଏବଂ ଖଦିର ପ୍ରଚାର ପ୍ରସାର ଦିଗରେ ଜାତିରଜନକ ମହାତ୍ମା ଗାନ୍ଧୀ କିଭଳି କବି ରବୀନ୍ଦ୍ରନାଥ ଟାଗୋରଙ୍କୁ ଦେଖାଇଥିଲେ ସେ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ସେଥିମଧ୍ୟରୁ ଗୋପବନ୍ଧୁଙ୍କ ଯୋଗ୍ୟ ଦାୟଦଙ୍କ କାରଣରୁ ‘ସମାଜ’ ଶହେ ବର୍ଷରେ ପଦାର୍ପଣ କରିଥିବା ସେ ପ୍ରକାଶ କରିଥିଲେ। ଗୋପବନ୍ଧୁ ଓ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିଲେ ଭାରତ ଅଖଣ୍ଡ ରହିବା ସହ ବିଶ୍ୱର ଆଦର୍ଶ ହୋଇପାରିବ ବୋଲି ସେ କହିଥିଲେ।
ଲୋକସେବକ ମଣ୍ଡଳର ଅଧ୍ୟକ୍ଷ ଦିପକ ମାଲବିୟ ତାଙ୍କ ଉଦ୍‍ବୋଧନରେ ‘ସମାଜ’କୁ ଓଡ଼ିଶାବାସୀଙ୍କ ଖବରକାଗଜ ବୋଲି ଅବିହିତ କରିବା ସହ ରାଜ୍ୟବାସୀଙ୍କ ଆଦର ଯୋଗୁଁ ଏକ କ୍ଷତ୍ରୀୟ ଭାଷାରେ ଗୋଟିଏ ଖବରକାଗଜ ତାର ଶହେ ବର୍ଷରେ ପଦାର୍ପଣ କରିଥିବା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ବ୍ରହ୍ମପୁରଠାରେ ଗୋପବନ୍ଧୁ ଭବନ ପ୍ରତିଷ୍ଠା ଘୋଷଣାକୁ ଶ୍ରୀ ମାଲବିୟ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ। ଆରମ୍ଭ ହୋଇଥିବା ଜ୍ୟୋତି ଯାତ୍ରା ରାଜ୍ୟବ୍ୟାପି ଜାତୀୟ ସଚେତନତାର ବାର୍ତ୍ତାବହନକାରୀ ହେବ ବୋଲି ସେ ଆଶାପ୍ରକଟ କରିଥିଲେ। ସମାଜ ପରିଚାଳନା ମଣ୍ଡଳୀ କାର୍ଯ୍ୟନିର୍ବାହୀ ସମ୍ପାଦକ ଭୀମସେନ ଯାଦବ ତାଙ୍କ ବକ୍ତବ୍ୟରେ ରାଜନୈତିକ ବାଛବିଚାରରୁ ଊର୍ଦ୍ଧ୍ବରେ ରହି ଆଜି ବକୁଳବନରେ ‘ଓଡ଼ିଶା ବିଶ୍ୱବିଦ୍ୟାଳୟ’ ପ୍ରତିଷ୍ଠାକୁ ସ୍ୱାଗତ କରିଥିଲେ। ଏହା ଅନ୍ୟ ଭାଷାଭାଷୀ ରାଜ୍ୟ ପାଇଁ ଏକ ଆଦର୍ଶ ବୋଲି ସେ କହିଥିଲେ। ଏହାଦ୍ୱାରା ଗୋପବନ୍ଧୁଙ୍କ ସ୍ୱପ୍ନ ସାକାର ହୋଇଥିବା ସେ ଦର୍ଶାଇଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ‘ସମାଜ’ର ପ୍ରକାଶକ, ମୁଦ୍ରାକର ନିରଞ୍ଜନ ରଥ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଲେ। ସମାଜର କାର୍ଯ୍ୟକାରୀ ମୁଖ୍ୟପରିଚାଳକ ପ୍ରିୟବ୍ରତ ମହାନ୍ତି ଏହି ଅବସରରେ ଜ୍ୟୋତି ଯାତ୍ରାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ।

ଚଳିତବର୍ଷର ପ୍ରସଙ୍ଗ ଭାବେ ସମାଜ ଗ୍ରହଣ କରିଥିବା ‘ଆଦର୍ଶ ଶିକ୍ଷା ତଥା ଶିକ୍ଷାନୁଷ୍ଠାନର ବିକାଶ’ ଜରିଆରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକର ସମସ୍ୟା ନେଇ ଖବର ପ୍ରକାଶନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ରହିଥିବା ଉଦେଶ୍ୟ ସଂକ୍ରାନ୍ତରେ ସେ ସୂଚନା ଦେଇଥିଲେ। ଜ୍ୟୋତିଯାତ୍ରାକ୍ରମରେ ଗୋପବନ୍ଧୁଙ୍କ ସୁଉଚ୍ଚ ଚିନ୍ତାଧାରା ଓ ତାଙ୍କର ଜୀବନାଦର୍ଶନକୁ ରାଜ୍ୟବ୍ୟାପି ପରିଚିତ କରିବାର ଉଦ୍ୟମ କରାଯାଇଥିବା ସେ କହିଥିଲେ। ସଭା ଆରମ୍ଭ ପୂର୍ବରୁ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ‘ବନ୍ଦେ ଉତ୍କଳ ଜନନୀ’ ଗାନ ସହ ସଭାର ଶୁଭାରମ୍ଭ କରାଯାଇଥିଲା। ସଭା ଅବସରରେ ଲୋକସେବକ ମଣ୍ଡଳ ସଭାପତି ଦିପକ ମାଲବିୟ ମୁଖ୍ୟଅତିଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସମ୍ମାନିତ ଅତିଥି ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କୁ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସମାଜ ସମ୍ପାଦକ ବାମାପଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଲୋକସେବକ ମଣ୍ଡଳର ଆଜୀବନକର୍ମୀ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଓ ରାଜେନ୍ଦ୍ର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ସଭା କାର୍ଯ୍ୟ ପରେ ସମାଜ କାର୍ଯ୍ୟାଳୟ ପରିସରରୁ ଆସନ୍ତା ଏକ ମାସବ୍ୟାପି ରାଜ୍ୟ ପରିଭ୍ରମଣ କରିବାକୁ ଥିବା ଗୋପବନ୍ଧୁ ଜ୍ୟୋତି ଯାତ୍ରାକୁ ମୁଖ୍ୟମନ୍ତ୍ରୀ ଉଦ୍‍ଘାଟନ କରିଥିଲେ।

Leave A Reply