ଜରି ଗୋଟାଳିଙ୍କର ସାଧୁତା, ୩୩ ହଜାର ଟଙ୍କାଥିବା ପର୍ସକୁ ପାଇ ଫେରାଇଲେ

0

ମୁମ୍ବାଇ:  ଆଜି କାଲିର ଦୁନିଆରେ ଭଲ ମଣିଷଟିଏ ପାଇବା ଭାରି କଷ୍ଟକର । ଦୁନିଆ ଭିତରେ ଭଲ କିଏ ଆଉ ଖରାପ ଜାଣିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଥିବାରୁ ଆମେ ଅନେକଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଥାଉ । ଆଉ  ଅଚିହ୍ନା ସ୍ଥାନରେ କି ଟ୍ରେନରେ ଯାତ୍ରା କରିବା ବେଳେ କାହାରିକୁ ସହଜରେ ବିଶ୍ୱାସ ନ କରିବା ପାଇଁ ତ ବାରମ୍ବାର ବିଜ୍ଞାପନ ଦିଆଯାଇଥାଏ । ଏଥିପାଇଁ ସନ୍ଦେହର ଦୃଷ୍ଟିଟା ଅଧିକ ହୋଇଯାଏ । ପାଖରେ ବସିଥିବା ଲୋକଠାରୁ ଆରମ୍ଭ କରି ଷ୍ଟେସନରେ ବୁଲୁଥିବା ବିକାଳୀ ସମସ୍ତଙ୍କ ଉପରେ ସନ୍ଦେହର ଦୃଷ୍ଟି ଥାଏ । ଆଉ ଟ୍ରେନ ଡବା ଭିତରେ ଯେତେ ବେଳେ ଜରି କି ବ୍ୟବହାର ହୋଇଥିବା ପ୍ଲାଷ୍ଟିକ ବୋତଲ ଗୋଟାଳୀ ଆସନ୍ତି ସନ୍ଦେହଟା ବଢି ଯାଏ । କାଳେ ଚପଲ ନେଇ ଯିବ କି କୌଣସି ଜିନିଷ ହରଣ ଚାଳ ହୋଇଯିବ ସେଥିପାଇଁ ମଣିଷର ସନ୍ଦେହୀ ଆଖି ବରାବର ତା ଉପରେ ନଜର ରଖିଥାଏ । ହେଲେ ଏ ଦୁନିଆ ଭିତରେ ଏବେ ବି ଭଲ ମଣିଷ ଅଛନ୍ତି । ଦାରିଦ୍ର୍ୟର କଷା ଘାତରେ ବି ତାଙ୍କର ମଣିଷ ପଣିଆଟା ହଜି ଯାଇନି । ଏପରି ଏକ ଘଟଣା ଘଟିଛି ମୁମ୍ବାଇ ନିକଟସ୍ଥ ଥାନେ ରେଳ ଷ୍ଟେସନରେ । ଜଣେ ଜରି ଗୋଟାଳୀ ୩୩ ହଜାର ଟଙ୍କା ଥିବା ଏକ ପର୍ସ ବା ମହିଳା ମାନଙ୍କର ହ୍ୟାଣ୍ଡ ବ୍ୟାଗ ପାଇ ଫେରାଇ ଦେଇଛନ୍ତି ।

ଘଟଣା ଥିଲା ଏହିପରି, ଅକ୍ଷରା ନାମକ ମହିଳା ଯାତ୍ରୀ ଅଟୋ ରିକ୍ସାରୁ ତର ତର ହୋଇ ଓହ୍ଲାଇ ମହିଳାମାନଙ୍କ ପାଇଁ ଉଦିଷ୍ଟ ବଗିରେ ଚଢିଥିଲେ । ସେ ହଠାତ୍‌ ତାଙ୍କ ପର୍ସଟି ହଜି ଯାଇଥିବା ଜାଣିବାକୁ ପାଇଥିଲେ । ସେହି ପର୍ସରେ ସେ ପୂରା ମାସର ଦରମା ଉଠାଇ ରଖିଥିଲେ । ଏଥିରେ ମୋଟ୍‌ ୩୩ ହଜାର ଟଙ୍କାର  ୨ ହଜାର ଓ ୫୦୦ ଟଙ୍କିଆ ନୋଟ୍‌ ଥିଲା ।  ଏହା ସହ ଡେବିଟ ଓ କ୍ରେଡିଟ କାର୍ଡଥିଲା । ଅକ୍ଷରା ଏହା ଜାଣିବାପରେ ହଡ ବଡେଇ ଯାଇଥିଲେ । ଷ୍ଟେସନରେ ତାଙ୍କ ପର୍ସ ହଜିଯାଇଥିବା ସେ ଆଶଙ୍କା କଲେ । ଟ୍ରେନରୁ ତରବର ହୋଇ ଓହ୍ଲାଇ ସେ ଷ୍ଟେସନରେ ଖୋଜା ଖୋଜି କରିଥିଲେ । ଏପରିକି ନିଜ ବନ୍ଧୁମାନଙ୍କୁ ବି ଖୋଜା ଖୋଜି କରିବାକୁ ଫୋନ୍‌ ଯୋଗେ ଡାକିଥିଲେ ।

ଦୀପ ଚାନ୍ଦ ଗୁପ୍ତା  ନାମକ ଜଣେ ଜରି ଗୋଟାଳି ରେଳ ଧାରଣା ନିକଟରେ ଜରି ଗୋଟାଉଥିବା ସମୟରେ ଏହାକୁ ପାଇଥିଲେ। ଏତେ ଟଙ୍କା ଦେଖି ସେ ତାକୁ ପାଖରେ ରଖି ପାରିଥାଆନ୍ତେ ।ଏ ବିଷୟରେ କାହାକୁ କେବେ ବି କିଛି କହି ନଥାନ୍ତେ । ମାତ୍ର ସେହି ଜରି ଗୋଟାଳୀ ଦୀପ ଚାନ୍ଦ ଗୁପ୍ତା ଷ୍ଟେସନ ମାଷ୍ଟରଙ୍କୁ ଆଣି ପର୍ସଟି ଦେଇଥିଲେ । କୌଣସି ଯାତ୍ରୀଙ୍କର ହୋଇଥିବ ଏବଂ ଏହାକୁ ସମ୍ଭାଳିକରି ରଖିବା ପାଇଁ କହିଥିଲେ । ଥାନେର ଷ୍ଟେସନ୍‌ ମାଷ୍ଟର ବିକେ ମହୀନଧର  ପର୍ସର ମାଲିକ କିଏ ବୋଲି ଖୋଜା ଖୋଜି କରିଥିଲେ । ସେ ହଜିଥିବା ବ୍ୟକ୍ତିଙ୍କ ବିଷୟରେ ପର୍ସରୁ ସୂଚନା ପାଇଥିଲେ । ଏହା ପରେ ସେ ଅକ୍ଷରାଙ୍କୁ ଫୋନ୍‌ କରିଥିଲେ । ଫୋନ୍‌ ପାଇ ଅକ୍ଷରା ଖୁସୀ ହୋଇଯାଇଥିଲେ । ସେ ଷ୍ଟେସନରେ ପହଞ୍ଚି ଷ୍ଟେସନ ମାଷ୍ଟରଙ୍କୁ ନିଜର ପରିଚୟ ଦେବା ସହ ପର୍ସରେ କଅଣ ଅଛି ସେ ବିଷୟରେ ସୂଚନା ଦେଇଥିଲେ । ଏହାପରେ ସେ  ସମ୍ପୃକ୍ତ ଜରି ଗୋଟାଳୀଙ୍କୁ ଖୋଜିଥିଲେ । ଦୀପଚାନ୍ଦଙ୍କୁ ପାଇବା ପରେ ଧନ୍ୟବାଦ ଦେବା ସହ ୨୫୦୦ ଟଙ୍କା ଦେଇଥିଲେ । ହେଲେ ସେ ଜରି ଗୋଟାଳୀ ଅକ୍ଷରାଙ୍କୁ ଭବିଷ୍ୟତରେ ସାବଧାନ ହୋଇ ରହିବାକୁ ପରାମର୍ଶ ଦେଇ ନିଜ ଦୈନିକ କାମରେ ଚାଲିଯାଇଥିଲେ ।

ତେବେ ଏବେବି ବଞ୍ଚିଛି ମାନବିକତା । କେବେ କାହା ଭିତରେ ଏପରି ସାଧୁତା ଓ ମାନବିକତା ବଞ୍ଚିଛି ତାହା କହିହେବ ନାହିଁ ।  ଏହି ଭଲ ଖବରଟି ଅନେକ ଜାତୀୟ ଗଣ ମାଧ୍ୟମରେ ପ୍ରକାଶିତ ହୋଇଛି ।

 

Leave A Reply