ଢେଙ୍କାନାଳରେ ସମଲିଙ୍ଗୀ ବିବାହ କଲେ ଦୁଇ ଝିଅ

0

ଢେଙ୍କାନାଳ: ଭାରତୀୟ ଦଣ୍ଡବିଧି ଆଇନ୍‍ର ୩୭୭ ଧାରାରେ ଉଲ୍ଲେଖିତ ସମଲିଙ୍ଗୀ ବିବାହକୁ ଅବୈଧ ଓ ଅପରାଧ ବୋଲି ବିବେଚନା କରିବାକୁ ଦେଶର ସର୍ବୋଚ୍ଚ ଅଦାଲତ ମନା କରିଦେବା ପରେ ଦେଶରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସମଲିଙ୍ଗୀ ବିବାହ ସମର୍ଥକମାନେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଥିବା ବେଳେ ବିରୋଧୀମାନେ ଏହାକୁ ସମାଜ ଓ ସଂସ୍କାର ବିରୋଧୀ ବୋଲି କହିଛନ୍ତି। ଏଭଳି ସମୟରେ ଓଡ଼ିଶା ପରି ଏକ ରକ୍ଷଣଶୀଳ ରାଜ୍ୟରେ ସମଲିଙ୍ଗୀ ବିବାହ ପରି ଏକ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲାର ଓଡ଼ପଡ଼ା ବ୍ଲକ୍‍ର ଦୁଇଜଣ ଝିଅ ପରସ୍ପର ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ପରି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ସମ୍ପୃକ୍ତ ଦୁଇ ପରିବାରର ଦୁଇ ଝିଅଙ୍କୁ ଗାଁରେ ପୁରାଇ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଦୁଇ ପରିବାରକୁ ବାସନ୍ଦ କରାଯାଇଛି।
ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କ ବୟସ ୨୦ ବର୍ଷ ଓ ଅନ୍ୟଜଣଙ୍କ ବୟସ ୧୭ ବର୍ଷ। ସ୍କୁଲ୍‍ରେ ପଢ଼ିବା ସମୟରୁ ଦୁଇ ଜଣ ଅନ୍ତରଙ୍ଗ ବନ୍ଧୁ ଥିଲେ। ବୟସ ବଢ଼ିବା ସହିତ ଦୁଇଜଣଙ୍କ ମଧ୍ୟରେ ନିବିଡ଼ତା ଆହୁରି ବଢ଼ିଥିଲା। ସେମାନେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ରହିପାରିବେ ନାହିଁ ବୋଲି ହୃଦ୍‍ବୋଧ କରିବା ପରେ ଶେଷରେ ସେମାନେ ବିବାହ କରିବାକୁ ପ୍ରତିଜ୍ଞା କରିଥିଲେ। ଏପରିକି ସାନ ଝିଅ ଏ ସମ୍ପର୍କରେ ତାଙ୍କ ପରିବାରକୁ ଜଣାଇଥିଲା। ଝିଅର ମାନସିକତା ଓ ଇଚ୍ଛା ପରିବାର ବର୍ଗକୁ ସ୍ତବ୍ଧ କରିଥିଲା। ପରିବାର ଲୋକେ ଝିଅର ବାହାଘର ପାଇଁ ବରପାତ୍ର ଯୋଗାଡ଼ କରିଥିଲେ। ଜୁନ୍‍ ଶେଷ ସପ୍ତାହରେ ବାହାଘର ପାଇଁ ଯୋଗ ଓ ତାରିଖ ମଧ୍ୟ ଠିକ୍‍ ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ଝିଅ ଘରୁ ଲୁଚି ଚାଲି ଯାଇଥିଲା। ଏହାପରେ ଦୁଇ ଝିଅ ଗତ ସପ୍ତାହରେ ତାଳଚେରର ଏକ ମନ୍ଦିରରେ ବିବାହ କରିଥିଲେ।
ଦୁଇ ଝିଅକୁ ତାଙ୍କ ପରିବାର ବର୍ଗ ଖୋଜାଖୋଜି କରି ନପାଇବା ପରେ ସାନ ଝିଅର ବାପା ଥାନାରେ ଏତଲା ଦେଇଥିଲେ। ପୁଲିସ ଦୁଇ ଜଣଙ୍କୁ ଖୋଜି ବାହାର କରିଥିଲା। କିନ୍ତୁ ସେତେବେଳକୁ ସେମାନେ ବିବାହ କରିସାରିଥିବା ଜଣାପଡ଼ିଥିଲା। ୧୭ବର୍ଷୀୟା ଝିଅଟି ହାତରେ ଚୁଡ଼ି, ମଙ୍ଗଳସୂତ୍ର ଓ ମଥାରେ ସିନ୍ଦୂର ପିନ୍ଧି ସାରିଥିଲା।
ମୋଟାଙ୍ଗ ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀଙ୍କ କହିବା ଅନୁଯାୟୀ, ପରିବାରର ଅଭିଯୋଗ ଆଧାରରେ ଏକ ନିରୁଦ୍ଦିଷ୍ଟ ମାମଲା ଦାଏର ହୋଇଛି। ଦୁଇ ଝିଅଙ୍କୁ ଥାନାକୁ ଆଣିବା ପରେ କାଉନ୍‍ସେଲିଂ କରାଯାଇଥିଲା। ବୟସ ସମ୍ପର୍କରେ ପୁଲିସ ନିଶ୍ଚିତ ନଥିବା ହେତୁ ଦୁଇ ଝିଅଙ୍କୁ ସ୍ୱଧାର ମୁକ୍ତାଶ୍ରମରେ ରଖାଯାଇଥିଲା। ଶିଶୁ କଲ୍ୟାଣ ସମିତି ଓ ମହିଳା ରୋଗ ବିଶେଷଜ୍ଞଙ୍କ ଦ୍ୱାରା ଦୁଇ ଝିଅଙ୍କୁ ତିନିଦିନ ପର୍ଯ୍ୟନ୍ତ କାଉନ୍‍ସେଲିଂ କରାଯିବା ପରେ ସେମାନଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଦୁଇ ଝିଅଙ୍କ ଜୀବନ ପ୍ରତି ଗ୍ରାମବାସୀଙ୍କ ତରଫରୁ ବିପଦ ଆଶଙ୍କା ଥିବାରୁ ସେମାନଙ୍କ ସମ୍ପର୍କୀୟଙ୍କ ଘରେ ସେମାନଙ୍କୁ ରଖାଯାଇଛି।

Leave A Reply