ଓଡ଼ିଶାର ନୂଆ ରାଜ୍ୟପାଳ ପ୍ରଧ୍ୟାପକ ଗଣେଶୀ ଲାଲ

0

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବିଜେପି ନେତା ତଥା ପ୍ରଫେସର ଗଣେଶୀ ଲାଲଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଏବେ ସତ୍ୟପାଳ ମଲ୍ଲିକ ଓଡ଼ିଶା ଏବଂ ବିହାର ରାଜ୍ୟପାଳ ଦାୟିତ୍ୱରେ ଅଛନ୍ତି। ଦାୟିତ୍ୱ ଗ୍ରହଣ ଦିନଠାରୁ ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ପ୍ରଫେସର ଗଣେଶୀ ଲାଲ ଏବେ ହରିୟାଣା ବିଜେପି ଶୃଙ୍ଖଳା କମିଟିର ସଭାପତି ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ଗଣେଶୀ ଲାଲଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସରକାର ଏବଂ ଦଳ ତାଙ୍କ ନାମ ଉପରେ ଏକମତ ହୋଇପାରିନଥିଲେ। ଏହାପରେ ହରିୟାଣାରେ ବଂଶୀଲାଲ ସରକାର ଭାଙ୍ଗିବା ସମୟରେ ବିଜେପି ନେତା ମନୋହର ଲାଲ ଏବଂ ଗଣେଶୀ ଲାଲଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହିସବୁ କାରଣରୁ ଗଗଣେଶୀ ଲାଲ ରାଜ୍ୟପାଳ ହେବାରୁ ବଞ୍ଚିତ ହୋଇଥିଲେ। ଶେଷରେ ତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ବିଜେପି ଗଣେଶୀ ଲାଲଙ୍କୁ ମିଶାଇ ହରିୟାଣାରୁ ଦୁଇ ଜଣଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛି। ବିଜେପି ଏହାପୂର୍ବରୁ ହରିୟାଣାର ଆଚାର୍ଯ୍ୟ ଦେବବ୍ରତଙ୍କୁ ହିମାଚଳପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରିଛି। ସେହିପରି ମିଜୋରମ ରାଜ୍ୟପାଳ ଭାବେ କୁମ୍ମାନାମ ରାଜଶେଖରନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ମିଜୋରମ ରାଜ୍ୟପାଳ ଲେଟୁନାଣ୍ଟ ଜେନେରାଲ ନିର୍ଭୟ ଶର୍ମାଙ୍କଠାରୁ ଦାୟିତ୍ୱ ନେବେ। ଉଲ୍ଲେଖ ଯେ ନିର୍ଭୟ ଶର୍ମାଙ୍କ କାର୍ଯ୍ୟକାଳ ମଇ ୨୮ରେ ଶେଷ ହେଉଛି। ରାଜଶେଖରନ ବର୍ତ୍ତମାନ କେରଳ ରାଜ୍ୟ ବିଜେପି ସଭାପତି ଅଛନ୍ତି।

Leave A Reply