ଗାନ୍ଧୀଙ୍କ ନାମରେ ସମସ୍ତେ ଶସ୍ତା ରାଜନୀତି କରୁଛନ୍ତି: ପ୍ରଶାନ୍ତ

0

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସମଗ୍ର ଦେଶରେ ଗାନ୍ଧୀଜୀଙ୍କ ଜନ୍ମର ୧୫୦ବର୍ଷ ପୂର୍ତ୍ତି ପାଳନ ହେଉଛି। ଓଡ଼ିଶାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମର ସମୀକ୍ଷା କରିବାକୁ ସେ ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏହି ଗସ୍ତ ଅବସରରେ ସେ ଗାନ୍ଧିଜୀଙ୍କ ଜୟନ୍ତୀ ପାଳନ, ତାଙ୍କ ବିଚାର ଓ ଦେଶର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଯାହା କହନ୍ତି…।

ପ୍ରଶ୍ନ – ସମଗ୍ର ଦେଶରେ ଗାନ୍ଧିଜୀଙ୍କ ଜନ୍ମର ୧୫୦ତମ ଜୟନ୍ତୀ ପାଳିତ ହେଉଛି। ଏଥିପାଇଁ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ କି କି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଉତ୍ତର – ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧିଜୀଙ୍କ ଜନ୍ମର ୧୫୦ତମ ପୂର୍ତ୍ତି ପାଳନ ଅବସରରେ ତାଙ୍କ ଚିନ୍ତା, ବିଚାର ଓ ଆଦର୍ଶର ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବାକୁ ଲକ୍ଷ୍ୟ ରହିଛି। ଏଥିପାଇଁ ଜାତୀୟ ସ୍ତରରେ ଏକ କମିଟି ଗଠନ କରାଯାଇଛି। ଏଥିସହିତ ପ୍ରତି ରାଜ୍ୟରେ ମଧ୍ୟ କମିଟି ଗଠିତ ହୋଇଛି। ପ୍ରତି ରାଜ୍ୟ କମିଟିକୁ ନିଜ ନିଜ ଢଙ୍ଗରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ୱାଧୀନତା ଦିଆଯାଇଛି। ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଗାନ୍ଧିଜୀଙ୍କ ଜୟନ୍ତୀ ପାଳନ ନେଇ ଶାନ୍ତି ପ୍ରତିଷ୍ଠାନ ସହିତ କୌଣସି ଆଲୋଚନା କରିନାହାନ୍ତି। ସରକାର ସହଯୋଗ ନ କଲେ ମଧ୍ୟ ପ୍ରତିଷ୍ଠାନ ତା’ର ନିଜସ୍ୱ ଶକ୍ତିବଳରେ ସମଗ୍ର ଦେଶରେ ଗାନ୍ଧିଜୀଙ୍କ ଜୟନ୍ତୀ ପାଳିିବ।
ପ୍ରଶ୍ନ – ଦେଶର ବିକାଶରେ ନିଶା ବଡ ପ୍ରତିବନ୍ଧକ ବୋଲି ଜାଣି ଗାନ୍ଧିଜୀ ଦେଶରେ ନିଶା ନିବାରଣ ପାଇଁ ଆହ୍ୱାନ ଦେଇଥିଲେ। ଏହା କେତେଦୂର ସଫଳ ହୋଇଛି?
ଉତ୍ତର – ସ୍ୱାଧୀନତା ପରବର୍ତ୍ତୀ ସମୟରେ କ୍ଷମତାସୀନ ସରକାର ଦେଶରୁ ନିଶା ହଟାଇବା ପାଇଁ ଆନ୍ତରିକତା ପ୍ରକାଶ କରୁନାହାନ୍ତି। ବରଂ ବିଭିନ୍ନ ଆଳରେ ନିଶା କାରବାରକୁ ପ୍ରୋତ୍ସାହିତ କରିଚାଲିଛନ୍ତି। ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ସମଗ୍ର ଦେଶ ଏବେ ନିଶା କବଳରେ। ସରକାରଙ୍କ ଆନ୍ତରିକତା ନଥିବାରୁ ଗାନ୍ଧୀଜୀଙ୍କ ନିଶା ନିବାରଣ ଆହ୍ୱାନ ଏ ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ।
ପ୍ରଶ୍ନ – ଏ ଦିଗରେ ଆପଣଙ୍କ ସଂଗଠନ କି ଭୂମିକା ଲିଭାଉଛି?
ଉତ୍ତର – ସଚେତନତା ଦ୍ୱାରା ନିଶା ନିବାରଣକୁ ରୋକାଯାଇପାରିବ। ସଂଗଠନ ପକ୍ଷରୁ ନିଶା ନିବାରଣ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ଏହା ଯେତିକି ସଫଳତା ପାଇବା କଥା ତାହା ପାଇପାରିନାହିଁ। ତେବେ ଆମେ ଆଶାବାଦୀ ଅଛୁ। ଦିନେ ଏଥିରେ ସଫଳ ହେବୁ।
ପ୍ରଶ୍ନ – ସମଗ୍ର ଦେଶରେ ଗାନ୍ଧିଜୀଙ୍କ ୧୫୦ଜୟନ୍ତୀ ପାଳନ କରାଯାଉଛି। ଦେଶ ସ୍ୱାଧୀନ ହେବାର ୭୨ବର୍ଷ ଅତିକ୍ରାନ୍ତ ହେଲାଣି। ତଥାପି କାହିଁକି ଗାନ୍ଧିଜୀଙ୍କ ସ୍ୱପ୍ନର ଦେଶ ଗଠନ ସମ୍ଭବ ହୋଇପାରିନାହିଁ?
ଉତ୍ତର – ବର୍ତ୍ତମାନ ଗାନ୍ଧିଜୀଙ୍କ ନାମରେ ସମସ୍ତେ ଶସ୍ତା ରାଜନୀତି କରୁଛନ୍ତି। କ୍ଷମତା ହାସଲ କରୁଛନ୍ତି। କ୍ଷମତାକୁ ଆସିବା ପରେ ଗାନ୍ଧିଜୀଙ୍କ ସ୍ୱପ୍ନର ସ୍ୱରାଜ୍ୟ ଗଠନକୁ ଭୁଲି ଯାଉଛନ୍ତି। ଗାନ୍ଧୀଙ୍କ ବିଚାରର ସଠିକ ପ୍ରଚାର ପାଇଁ ଦେଶରେ ଆଉ ଏକ ସଂଗ୍ରାମର ଆବଶ୍ୟକତା ରହିଛି।
ପ୍ରଶ୍ନ – ଏକଦା ଗାନ୍ଧୀ ସ୍ୱଦେଶୀ ଉପରେ ଗୁରୁତ୍ୱ ଦେଉଥିଲେ। ବର୍ତ୍ତମାନ ମୁକ୍ତ ଅର୍ଥନୀତି ଯୋଗୁଁ ସ୍ୱଦେଶୀ ସାମଗ୍ରୀକୁ ଲୋକେ ଆଗ୍ରହ କରୁନାହାନ୍ତି। ଦେଶରେ ଉତ୍ପାଦିତ ସାମଗ୍ରୀର ଚାହିଦା ରହୁନି। ଏପରି ପରିସ୍ଥିତିରେ ଦେଶର ଅସଲ ବିକାଶ ସମ୍ଭବ କି?
ଉତ୍ତର – ଗାନ୍ଧିଜୀଙ୍କ ସ୍ୱଦେଶୀ ଗ୍ରହଣ ବିଦେଶୀ ସାମଗ୍ରୀ ବର୍ଜନର ଏବେ ବି ପ୍ରାସଙ୍ଗିକତା ରହିଛି। ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଗାନ୍ଧିଜୀଙ୍କ ନୀତି ଆପଣାଇଲେଣି। ନିଜ ଦେଶରେ ଉତ୍ପାଦିତ ସାମଗ୍ରୀ ବ୍ୟବହାର କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେଣି। ବେଶୀଦିନ ନୁହେଁ, ଖୁବ କମ୍‍ ଦିନରେ ଆମ ଦେଶରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହେବ ବୋଲି ବିଶ୍ୱାସ ରହିଛି। ଗାନ୍ଧିଜୀଙ୍କ ବିଚାର ସବୁକାଳେ ଥିବ ଓ ରହିଥିବ।

Leave A Reply