ବମ୍ବେ, ମାଡ୍ରାସ ଓ କଲକାତା ହାଇକୋର୍ଟର ନାମ ପରିବର୍ତ୍ତନ ପାଇଁ ଆସିବ ବିଧେୟକ

0

ନୂଆଦିଲ୍ଲୀ : ଦେଶର ବିଭିନ୍ନ ସହରର ନାମ ପରିବର୍ତ୍ତନ ପ୍ରକ୍ରିୟା ଚାଲୁ ରହିଥିବାବେଳେ ସରକାର ଏବେ ତିନି ହାଇକୋର୍ଟର ନାମ ପରିବର୍ତ୍ତନ କରିବା ଲାଗି ପଦକ୍ଷେପ ନେଇଛନ୍ତି। ମାଡ୍ରାସ, ବମ୍ବେ ଓ କୋଲକାତା ହାଇକୋର୍ଟର ନାମ ପରିବର୍ତ୍ତନ ପାଇଁ ସରକାର ସଂସଦର ଆଗାମୀ ଶୀତ ଅଧିବେଶନରେ ବିଧେୟକ ଆଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମାଡ୍ରାସ, ବମ୍ବେ ଓ କୋଲକାତା ହାଇକୋର୍ଟର ନାମ ପରିବର୍ତ୍ତନ କରି ଏହାକୁ ହାଇକୋର୍ଟ ଅଫ ଚେନ୍ନଇ, ମୁମ୍ବଇ ଓ କଲକାତା ରଖିବା ଲାଗି ୨୦୧୬ ଜୁଲାଇରେ ଏକ ବିଧେୟକ ଆଗତ କରାଯାଇଥିଲା। ତେବେ ତାମିଲନାଡୁ ସରକାର ହାଇକୋର୍ଟ ଅଫ ମାଡ୍ରାସର ନାମ ପରିବର୍ତ୍ତନ କରି ହାଇକୋର୍ଟ ଅଫ ତାମିଲନାଡୁ ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ସେହିପରି ପଶ୍ଚିମବଙ୍ଗ ସରକାର କୋଲକାତା ହାଇକୋର୍ଟର ନାମ ପରିବର୍ତ୍ତନ କରି କଲକାତା ରଖିବା ପାଇଁ ସମ୍ମତି ପ୍ରକାଶ କରିଥିବାବେଳେ ହାଇକୋର୍ଟ ନିଜେ ଏହି ନାମ ପରିବର୍ତ୍ତନ କରିବାକୁ ମନା କରିଛନ୍ତି। ତେଣୁ ତାମିଲନାଡୁ ସରକାର ଓ କୋଲକାତା ହାଇକୋର୍ଟଙ୍କ ପ୍ରସ୍ତାବକୁ ବିଚାର ପୂର୍ବକ ହାଇକୋର୍ଟର ନାମ ପରିବର୍ତ୍ତନ ସମ୍ପର୍କିତ ବିଧେୟକକୁ କେନ୍ଦ୍ର ସରକାର ପୁନର୍ବାର ଆଗତ କରିବେ।
୨୦୧୬ ଡିସେମ୍ବରରେ ଆଇନ ରାଷ୍ଟ୍ରମନ୍ତ୍ରୀ ପିପି ଚୌଧୁରୀ ଲୋକସଭାରେ ଏକ ଲିଖିତ ଉତ୍ତର ଦେଇ କହିଥିଲେ ଯେ ପୁରୁଣା ବିଧେୟକକୁ ସଂଶୋଧନ କରାଯାଇ ନୂଆ ବିଧେୟକ ଆଗତ କରାଯିବ। ନୂଆ ବିଧେୟକ ଆଗତ ପୂର୍ବରୁ ସରକାର ସମ୍ପୃକ୍ତ ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ଠାରୁ ମତାମତ ଲୋଡା ଯାଇଥିଲା। ନୂଆ ବିଧେୟକକୁ କେବେ ଆଗତ କରାଯିବ ତାର କିଛି ସମୟ ଧାର୍ଯ୍ୟ କରାଯାଇ ନାହିଁ ବୋଲି ମନ୍ତ୍ରୀ କହିଥିଲେ। ତେବେ ଆଇନ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଡିସେମ୍ବର ୧୧ରୁ ଆରମ୍ଭ ହେଉଥିବା ଶୀତ ଅଧିବେଶନ କାଳରେ ନୂଆ ବିଧେୟକ ଆଗତ କରାଯିବ। ନାମ ପରିବର୍ତ୍ତନ ସମ୍ପର୍କିତ ପ୍ରସ୍ତାବ ଉପରେ ମତ ଦେଇ କୋଲକାତା ହାଇକୋର୍ଟ କହିଛନ୍ତି ଯେ ଏହା ଦେଶର ପ୍ରଥମ ହାଇକୋର୍ଟ। ୧୮୬୨ ଜୁଲାଇ ୧ରେ ଏହା ସ୍ଥାପନ ହୋଇଥିଲା। ଇଣ୍ଡିଆନ ହାଇକୋର୍ଟ ଆଇନ ୧୮୬୧ ଆଧାରରେ ବ୍ରିଟେନ ରାଣୀ ଏହି ହାଇକୋର୍ଟର ସ୍ଥାପନ ନିର୍ଦେଶ ଦେଇଥିଲେ। ଏହି ଆଇନ ଆଧାରରେ ବମ୍ବେ ଓ ମାଡ୍ରାସ ହାଇକୋର୍ଟ ସ୍ଥାପନ ହୋଇଛି। ୧୯୯୫ରେ ରାଜ୍ୟ ସରକାର ବମ୍ବେ ସହରର ନାମ ପରିବର୍ତ୍ତନ କରି ମୁମ୍ବଇ ରଖିଥିଲେ। ଏହି ଆଧାରରେ ରାଜ୍ୟର ସମସ୍ତ ଅନୁଷ୍ଠାନର ନାମ ପରିବର୍ତ୍ତନ କରାଯାଇଥିଲା।

Leave A Reply