ବାପାଙ୍କ ଇଚ୍ଛାକୁ ପୂରଣ କଲେ ଇନ୍ଦୋର ଝିଅ

0

ସନ୍ତାନର ଜନ୍ମ ପରେ ବାପା’ମା ସେମାନଙ୍କୁ ନେଇ ସଂଖ୍ୟାଧିକ ଅଭିଳାଷ ରଖନ୍ତି। ଏହା ଭିନ୍ନ କଥା ଯେ ପିଲା ବଡ଼ ହେବା ପରେ ନିଜ ଦାୟିତ୍ବକୁ ଭିନ୍ନ ଭାବେ ତୁଲାଇଥାଏ। ଏକବିଂଶ ଶତାବ୍ଦୀରେ ମଧ୍ୟ ଏଭଳି କର୍ତ୍ତବ୍ୟନିଷ୍ଠ ଓ ଆଜ୍ଞାଧୀନ ପିଲାଙ୍କ ଉଦାହରଣ ଦେଖିବାକୁ ମିଳିଥାଏ। ଇନ୍ଦୋର ଝିଅ ହେଉଛନ୍ତି ୨୭ ବର୍ଷୀୟା ନିମିଶା ସିଂ ରାଠୋର। ବାପା-ମା’ଙ୍କର ଏକମାତ୍ର ଗେହ୍ଲୀ ଝିଅ ହେଉଛନ୍ତି ନିମିଶା। ତାଙ୍କ ବାପା ଇନ୍ଦୋରର ଜଣେ ନାମକରା ହୃଦ୍‌ରୋଗ ବିଶେଷଜ୍ଞ ଥିଲେ। ଏଇ କିଛିଦିନ ତଳେ ଏକ ଦୁର୍ଘଟଣାରେ ନିମିଶାଙ୍କ ବାପା ପ୍ରାଣ ହରାଇଛନ୍ତି। ମା’ ତାଙ୍କର ଶିକ୍ଷୟିତ୍ରୀ। ଗେହ୍ଲୀ ଝିଅର ଲାଳନପାଳନରେ ଆଦୌ ହେଳା କରିନଥିଲେ ଏଇ ଦମ୍ପତି। ପିଲାବେଳୁ ପାଠପଢ଼ାରେ ଧୁରୀଣା ନିମିଶା ଏକ ନାମୀ ସଫ୍ଟୱେୟାର କମ୍ପାନୀରେ ଉଚ୍ଚ ପଦରେ କାର୍ଯ୍ୟରତ। ପୂର୍ବରୁ ବାପା ସ୍ଥିର କରିଥିବା ସ୍ଥାନରେ ହିଁ ନିମିଶା ବିବାହ କରିବାକୁ ସମ୍ମତି ଜଣାଇଥିଲେ। ବାପାଙ୍କ ସମସ୍ତ କଥାକୁ ଆଜ୍ଞା କରି ଅଗ୍ରଗତି କରୁଥିବା ନିମିଶା ଏବେ ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚାରେ। ଝିଅର ଜନ୍ମ ପରଠାରୁ ବାପା ତାଙ୍କୁ ନେଇ ବହୁ ଆଶା ରଖିଥିଲେ। ଈଶ୍ବରଙ୍କ ଆଶୀର୍ବାଦରୁ ସେସବୁ ପୂରଣ ମଧ୍ୟ ହେଉଥିଲା। ତେବେ ନିମିଶାଙ୍କ ବିବାହ ସ୍ଥିରୀକୃତ ହେବା ପରେ ତାଙ୍କ ବାପା ମନର କଥା ଝିଅକୁ କହିଥିଲେ। ବାପାଙ୍କର ଇଚ୍ଛା ଥିଲା, ବର ଯେପରି ଘୋଡ଼ାରେ ବସି କନ୍ୟା ଘରକୁ ଯାଏ, ତାଙ୍କ ଝିଅ ମଧ୍ୟ ସେହିପରି ବାଜାରୋଶଣି କରି ଘୋଡ଼ାରେ ଚଢ଼ି ବିବାହ ମଣ୍ଡପକୁ ଯିବ। ଦୁଃଖର କଥା ଯେ ନିମିଶାଙ୍କ ବାପା ଏହି ଇଚ୍ଛାପ୍ରକାଶ ପରେପରେ ହିଁ ପ୍ରାଣ ହରାଇଥିଲେ। ଝିଅ କିନ୍ତୁ ବାପାଙ୍କର ଏଇ ଇଚ୍ଛାକୁ ଭୁଲିନଥିଲା। ବରଂ ବିବାହ ଦିନ ପୂର୍ବରୁ ବର ଘରଲୋକଙ୍କ ସହ ନିଜ ବାପାଙ୍କର ଏଇ ଇଚ୍ଛା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତ୍ୟେକ ସଦସ୍ୟ ନିମିଶାଙ୍କ ବାପାଙ୍କ ଇଚ୍ଛାକୁ ସମ୍ମାନ ଜଣାଇବା ସହ କନ୍ୟାଙ୍କୁ ବିବାହ ପୂର୍ବରୁ ଘୋଡ଼ା ଚଢ଼ି ମଣ୍ଡପ ପର୍ଯ୍ୟନ୍ତ ଆସିବା ନିମନ୍ତେ ପ୍ରୋତ୍ସାହନ ଦେଇଥିଲେ। ନିମିଶା ପିତାଙ୍କ ଇଚ୍ଛା ପୂରଣ କରିବା ପରେ ହିଁ ବିବାହ ବେଦୀକୁ ଯାଇଥିଲେ।

 

Leave A Reply