+୨ ପରୀକ୍ଷା ସୁରକ୍ଷା ନେଇ ପ୍ରଶ୍ନବାଚୀ

0

କେନ୍ଦୁଝର: +୨ ପରୀକ୍ଷା ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ବିଭାଗ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା କୁହାଯାଇଛି। ସବୁ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଧରଣୀଧର(ଡିଡି) କଲେଜରେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି କଲେଜରେ ଏକ ଦଳୀୟ ବୈଠକ ପାଇଁ କଲେଜ ଚତୁଃପାର୍ଶ୍ବରେ ଥିବା ସୁରକ୍ଷା ପ୍ରାଚୀରକୁ ଜବରଦସ୍ତ ଭାଙ୍ଗି ଦିଆଯାଇଥିବାରୁ ସମ୍ପ୍ରତି ଏହି ପରୀକ୍ଷାର ସୁରକ୍ଷା ନେଇ ଆଶଙ୍କା ପ୍ରକାଶ ପାଇଛି। ସ୍ଥାନୀୟ ବିଭିନ୍ନ କଲେଜର ପରୀକ୍ଷା କେନ୍ଦ୍ର ହୋଇଛି ଏହି କଲେଜ। ପ୍ରଶ୍ନପତ୍ରଠାରୁ ଆରମ୍ଭ କରି କପି ରୋକିବା ଉପରେ କଲେଜର ଗୁରୁ ଦାୟିତ୍ୱ ରହିଛି। ମାତ୍ର କଲେଜର ଫାଟକ ବ୍ୟତୀତ ଅନ୍ୟସ୍ଥାନରେ ପ୍ରାଚୀର ଖୋଲା ରହିଛି। ପରୀକ୍ଷା ପୂର୍ବରୁ ଏହାକୁ ବନ୍ଦ କରାଯାଇନାହିଁ। ସୂଚନା ଅନୁଯାୟୀ କିଛିଦିନ ପୂର୍ବେ ଜନଜାତି ପରିଷଦ ବୈଠକ ଏହି କଲେଜରେ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ସଚିବାଳୟରୁ ଲୋକଙ୍କୁ ଉଦବୋଧନ ଦେଇଥିଲେ। ଲୋକଙ୍କ ସମାବେଶକୁ ଦେଖି ପ୍ରାଚୀର ଭଙ୍ଗା ଯାଇଥିଲା। ମାତ୍ର ତାହା ପରବର୍ତ୍ତୀ ସମୟରେ ତିଆରି ହେଲାନାହିଁ। ଏବେ ପରୀକ୍ଷା ସମୟ ଆସିଛି। ପରୀକ୍ଷା ସୁଚାରରୂପେ ତୁଲାଇବା ପାଇଁ କଲେଜ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମାତ୍ର ପ୍ରାଚୀର ଖୋଲା ପଡିଥିବାରୁ ଏହା ସୁରକ୍ଷା ପାଇଁ ସମସ୍ୟା ହୋଇପାରେ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ଏ ପ୍ରସଙ୍ଗରେ କଲେଜର ଅଧ୍ୟକ୍ଷା ଅର୍ଚ୍ଚନା ଦାସଙ୍କ ସହ ତାଙ୍କ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଅଧ୍ୟକ୍ଷା ଫୋନ ଉଠଇ ନଥିଲେ। ଏଭଳି ସ୍ଥିତିରେ ତୁରନ୍ତ ପଦକ୍ଷେପ ନିଆଯିବାକୁ ଦାବି ହୋଇଛି।

Leave A Reply