ତିବ୍‍ବତରେ ଇଲେକ୍ଟ୍ରୋମ୍ୟାଗନେଟିକ୍‍ ରକେଟ ମୁତୟନ କରିବ ଚୀନ!

0

ବେଜିଂ : ଚୀନ ତିବ୍‍ବତରେ ଇଲେକ୍ଟ୍ରୋମ୍ୟାଗନେଟିକ କ୍ୟାଟାପୁଲେଟ (ପ୍ରକ୍ଷେପକ) ଜ୍ଞାନକୌଶଳରେ ପ୍ରସ୍ତୁତ ରକେଟ୍‍ ମୁତୟନ କରିବାକୁ ଯୋଜନା କରୁଛି। ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁସାରେ ଇଲେକ୍ଟ୍ରୋମ୍ୟାଗନେଟିକ୍‍ ରକେଟ୍‍ ୨୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ। ଖାସ୍‍ ପାହାଡ଼ିଆ ଅଞ୍ଚଳ ପାଇଁ ଏହା ପ୍ରସ୍ତୁତ କରାଯାଇଛି। ଡୋକଲାମ ଏବଂ ଭାରତ ନାମ ନ ନେଇ ଚୀନର ଦକ୍ଷିଣ-ପଶ୍ଚିମ ସୀମାରେ ବିବାଦ ସମୟରେ ଏହି ରକେଟ୍‍ର ବ୍ୟବହାର କରାଯାଇଇ ହେବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ପିପୁଲ୍ସ ଲିବ୍ରେସନ୍‍ ଆର୍ମି (ପିଏଲଏ) ଅଧୀନରେ ଗବେଷକ ହାନ୍‍ ଜୁନଲି ଇଲେକ୍ଟ୍ରୋମ୍ୟାଗନେଟିକ୍‍ ରକେଟ୍‍ ବିକାଶ ଉପରେ କାମ କରୁଛନ୍ତି। ଚୀନ ସୀମାନ୍ତ ପାହାଡ଼ିଆ ଅଞ୍ଚଳରେ ଏହି ରକେଟ୍‍କୁ ବ୍ୟବହାର କରିବ। ଶହ ଶହ କିଲୋମିଟର ଦୂରରେ ଥିବା ଶତ୍ରୁଙ୍କୁ ଏହାଯୋଗେ ବିନାଶ କରିହେବ ଓ ଭୟଭୀତ କରି ନିଜ ଅଞ୍ଚଳରୁ ପଳାୟନ କରିବାକୁ ବାଧ୍ୟ କରିହେବ ବୋଲି ଏଥିରେ ଦର୍ଶାଯାଇଛି।
ପ୍ରକାଶଯୋଗ୍ୟ ଯେ ଡୋକଲାମରେ ଭାରତ ଏବଂ ଚୀନ ସେନା ମଧ୍ୟରେ ୭୩ ଦିନ ଧରି ଜାରି ବିବାଦର କୂଟନୈତିଜ୍ଞ କଥାବାର୍ତ୍ତା ଜରିଆରେ ସମାଧାନ ହୋଇଥିଲା। ଡୋକଲାମରେ ସଡ଼କ ନିର୍ମାଣକୁ ନେଇ ଚୀନ ଏବଂ ଭାରତ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଡୋକଲାମ ବିବାଦ ପରେ ଚୀନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ ଭାରତକୁ ଭୌଗଳିକ ଅବସ୍ଥିତିର ଫାଇଦା ମିଳିଥିଲା। କାରଣ ଭାରତୀୟ ସେନା ଉଚ୍ଚସ୍ତାନରେ ଥିଲା। ଫଳରେ ଚୀନ ସେନାକୁ ପଛଘୁଞ୍ଚା ଦେବାକୁ ପଡ଼ିଥିଲା।

Leave A Reply