ଦାୟିତ୍ବବାନ ଭାବେ ମତଦାନ କରିବାକୁ ଆହ୍ବାନ

0

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରିୟଙ୍କା ଭଦ୍ରା ମଙ୍ଗଳବାର ପ୍ରଥମ ନିର୍ବାଚନ ଶୋଭାଯାତ୍ରା କରିଛନ୍ତି। ଶୋଭାଯାତ୍ରାରେ ପ୍ରିୟଙ୍କା ଭୋଟରମାନଙ୍କୁ ଆଗାମୀ ନିର୍ବାଚନରେ ଜଣେ ଦାୟିତ୍ବବାନ ନାଗରିକ ଭାବେ ମତଦାନ କରିବାକୁ ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘରୋଇ ରାଜ୍ୟ ଗୁଜରାଟର ଗାନ୍ଧିନଗରରେ ଆୟୋଜିତ ନିର୍ବାଚନ ରାଲିକୁ ସମ୍ବୋଧନ କରି ପ୍ରିୟଙ୍କା କହିଛନ୍ତି ଯେ ଗତ ନିର୍ବାଚନରେ ଯେଉଁମାନେ ବଡବଡ ପ୍ରତିଶ୍ରୁତି ଦେଇଥିଲେ ସେମାନଙ୍କୁ ଲୋକେ ପ୍ରଶ୍ନ କରିବା ଦରକାର। ଦୁଇକୋଟି ନିଯୁକ୍ତି, ପ୍ରତ୍ୟେକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ଲକ୍ଷ ଟଙ୍କା ଜମା ଭଳି ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି। ଦେଶରେ ଏବେ ଘୃଣା ଓ ହିଂସାର ବାତାବରଣ ଖେଳିଯାଇଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସରକାରକୁ ସମାଲୋଚନା କରି ପ୍ରିୟଙ୍କା କହିଛନ୍ତି ଯେ ଭୋଟରମାନେ କୌଣସି ପ୍ରକାର ପ୍ରତିଶ୍ରୁତିରେ ପ୍ରଭାବିତ ହେବା ଉଚିତ ନୁହେଁ। ଆମେ ଚିନ୍ତା କରିବା ଦରକାର ଯେ ମହିଳାଙ୍କ ସୁରକ୍ଷା, ଯୁବକଙ୍କୁ ନିଯୁକ୍ତି ଓ କୃଷକଙ୍କ ସମସ୍ୟା ସମାଧାନ ଲାଗି କଣ ସବୁ କରାଯାଇପାରିବ। ଭୋଟରମାନେ ଜାଣିବା ଦରକାର ଯେ ସେମାନଙ୍କ ଭୋଟ ହେଉଛି ଏକ ଅସ୍ତ୍ର। ଏହି ଅସ୍ତ୍ର କାହାକୁ ଆଘାତ ଦେଇ ପାରିବ ନାହିଁ ମାତ୍ର ଏହା ତୁମକୁ ଶକ୍ତ କରିପାରିବ। ତେଣୁ ଭୋଟରମାନେ ଗଭୀର ଚିନ୍ତା କରି ଦାୟିତ୍ବବାନ ଭାବେ ମତଦାନ କରିବା ଦରକାର।

ପ୍ରିୟଙ୍କା କହିଛନ୍ତି ଯେ ଏହି ଦେଶ କୃଷକମାନଙ୍କ ଦ୍ବାରା ବିକାଶ ହୋଇଛି। ଦେଶର ବିକାଶ ପାଇଁ ଅନ୍ୟ କେହି ଦାବିଦାର ନୁହନ୍ତି। ସମସ୍ତେ ଏହାକୁ ବୁଝିବା ଦରକାର ଓ ନିଜର ଦାୟିତ୍ବ ନିର୍ବାହ କରିବା ଦରକାର। ଆଗାମୀ ନିର୍ବାଚନ ହେଉଛି ଦେଶର ଦ୍ବିତୀୟ ସ୍ବାଧୀନତା ସଂଗ୍ରାମ ଓ ଆମର ଭୋଟ ଏହି ସଂଗ୍ରାମରେ ସବୁଠାରୁ ବଡ ଅବଦାନ ହେବ। ରାଲିକୁ ସମ୍ବୋଧନ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଥିଲେ ଯେ ଦେଶର ଯୁବକମାନେ ନିଯୁକ୍ତି ପାଇଁ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଦୌଡୁଛନ୍ତି। ରାହୁଲ ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ୧୫ଜଣ ଶିଳ୍ପପତିଙ୍କ ୩.୫୦ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିଦେଇଛନ୍ତି। ଆମର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହୁଛନ୍ତି କୃଷକଙ୍କ ଋଣ ଛାଡ କରାଯିବା ତାଙ୍କର ନୀତି ନୁହେଁ। ରାଫେଲ ବୁଝାମଣାକୁ ନେଇ ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଦେଶପ୍ରେମ କଥା କହୁଛନ୍ତି ଅଥଚ ବାୟୁସେନା ପାଇଁ ଯୁଦ୍ଧ ବିମାନ କିଣିବାରେ ବ୍ୟାପକ ଅନିୟମିତତା କରିଛନ୍ତି। ଅନିଲ ଅମ୍ବାନୀଙ୍କ କମ୍ପାନୀକୁ ଅନୁକମ୍ପା ଦେବାକୁ ଯାଇ ମୋଦୀ ବାୟୁସେନାର ସ୍ବାର୍ଥରେ ସାଲିସ କରିଛନ୍ତି।

Leave A Reply