ଉପନିର୍ବାଚନର ଅକୁହା କଥା

0

ବାମାପଦ ତ୍ରିପାଠୀ

ସାଧାରଣ ଲୋକଙ୍କ ସହ ମିଶୁଥିବା ଅନେକ ବ୍ୟକ୍ତି ବିଜେପୁର ଉପନିର୍ବାଚନ ଫଳାଫଳ ଦେଖି ବିସ୍ମିତ ନୁହନ୍ତି। ସେମାନଙ୍କ ମତରେ ବଡ଼ ଧରଣର ବିଜୟ ବ୍ୟବଧାନ ମତଦାନ ପୂର୍ବରୁ ବାରି ହେଉଥିଲା। ନେତା, ଅଭିନେତା ଓ ସାମ୍ବାଦିକମାନେ ନିର୍ବାଚନମଣ୍ଡଳୀର ନାଡ଼ି ପରଖି ନପାରି ମନଇଚ୍ଛା ଭବିଷ୍ୟବାଣୀ କରି ଚାଲିଥିଲେ। ଏପରିକି ନିର୍ବାଚନ ଚାମ୍ପିଆନ୍‌ ବିଜୁ ଜନତା ଦଳର ନେତୃବୃନ୍ଦ ଏତେ ବଡ଼ ବିଜୟର ଆକଳନ କରିପାରି ନଥିଲେ। ଏହି ସାଧାରଣ ଲୋକଙ୍କ ଆକଳନ କିନ୍ତୁ କୌଣସି ସ୍ତରରେ ପ୍ରତିଫଳିତ ହୋଇନଥିଲା।
ଏହି ସାଧାରଣ ଲୋକେ ବଡ଼ ପର୍ଯ୍ୟବେକ୍ଷକ ବା ନେତାମାନଙ୍କ ପରି ବଡ଼ବଡ଼ ଅଙ୍କ କଷୁ ନଥିଲେ। ସେମାନଙ୍କ ଯୁକ୍ତି ଥିଲା ୨୦୧୭ ପଞ୍ଚାୟତ ନିର୍ବାଚନର ଫଳାଫଳର ପୁନରାବୃତ୍ତି ହୋଇପାରେ କିନ୍ତୁ ଏକ ଭିନ୍ନ ଢଙ୍ଗରେ। ପଞ୍ଚାୟତ ନିର୍ବାଚନ ବେଳେ ରୋଗାକ୍ରାନ୍ତ ସୁବଳ ସାହୁଙ୍କ ନେତୃତ୍ୱାଧୀନ କଂଗ୍ରେସ ଦଳ ଉପଯୁକ୍ତ ପ୍ରଚାର କରି ପାରିନଥିଲା। ପ୍ରସନ୍ନ ଆଚାର୍ଯ୍ୟଙ୍କ ବିଧାନସଭା ପରାଜୟ ପରେ ସେ ରାଜ୍ୟସଭାକୁ ନିର୍ବାଚିତ ହେଲେ। ବିଜୁ ଜନତା ଦଳ ଏହି ଅଞ୍ଚଳରେ ଉପଯୁକ୍ତ ଅଭିଭାବକ ପାଇ ନଥିଲା। ଜିଲ୍ଲା ପରିଷଦ ନିର୍ବାଚନ ବେଳେ ବରପାଲି ପୌରାଞ୍ଚଳକୁ ବାଦ୍‌ ଦେଇ ମଧ୍ୟ ବିଜେପି ଗ୍ରାମାଞ୍ଚଳରୁ ୮୭,୩୨୨ ଭୋଟ ସଂଗ୍ରହ କରି ବାଜିମାତ୍‌ କରିଥିଲା। ତା’ ପରକୁ ବିଜେଡିର ୪୭ ହଜାରରୁ ଅଧିକ ଏବଂ କଂଗ୍ରେସର ୨୭ ହଜାରରୁ ଅଧିକ ଭୋଟ ରହିଥିଲା। ରାଜନୀତିରେ ରୁଚି ରଖୁଥିବା ଏହି ସାଧାରଣ ଲୋକମାନେ କରି ଆସୁଥିଲେ ଯେ ପ୍ରଚାର ଏବଂ ନୂଆ ସମୀକରଣର ପ୍ରଭାବ ହେତୁ ଏକତରଫା ବିଜୟ, ବିଜେଡି ହିଁ ହାସଲ କରିପାରେ। ଶେଷ ସାତ ଦିନର ପ୍ରଚାରରେ ବିଜେପି ନେତାମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ବିଜେପୁର ଅକ୍ତିଆର କରିବାର ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ସଫଳ ହେଲେ ନାହିଁ।
ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଯେତେକ ନିର୍ବାଚନ ହୋଇଛି, ସମ୍ଭବତଃ ବିଜେପୁରର ଏହି ନିର୍ବାଚନ ସର୍ବାଧିକ କୋଳାହଳ ସୃଷ୍ଟି କରିଥିଲା। ସେହି
ନିର୍ବାଚନ ମଣ୍ଡଳୀରେ ଏ ପର୍ଯ୍ୟନ୍ତ ଯେତେ ଥର ଲଢ଼େଇ ହୋଇଛି, ସବୁଠୁ ଅଧିକ ଭୋଟ ବ୍ୟବଧାନରେ ଏଥର ଶ୍ରୀମତୀ ରୀତା ସାହୁ ବିଜୟୀ ହୋଇଛନ୍ତି। ଭୋଟ ଶତାଂଶ ଅନୁସାରେ ପୂର୍ବବର୍ତ୍ତୀ କେତେକ ନିର୍ବାଚନରେ ବିଜୟୀ ପ୍ରାର୍ଥୀମାନେ ଅଧିକ ସଫଳତା ହାସଲ କରିଥିଲେ। ଅଭିଯୋଗ, ପ୍ରତିଅଭିଯୋଗ ଯାହା ହେଉ ନା କାହିଁକି, ଆଗାମୀ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଜନତାର ଏହି ରାୟ ସବୁ ରାଜନୈତିକ ଦଳଙ୍କୁ ଗ୍ରହଣ କରିବାକୁ ପଡ଼ିବ। ମୁଖ୍ୟ ପ୍ରତିପକ୍ଷ ବିଜେପି ପାଇଁ ଏକମାତ୍ର ଆଶ୍ୱାସନାର ବିଷୟ ଏହି ଯେ ଏହି ଦଳ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ୬୦ ହଜାରରୁ ଊର୍ଦ୍ଧ୍ବ ଭୋଟ ସଂଗ୍ରହ କରିବାକୁ ସମର୍ଥ ହୋଇଛି। ଗତ ବିଧାନସଭା ନିର୍ବାଚନରେ ବିଜେପି ପ୍ରାୟ ୩୦ ହଜାର ଭୋଟ୍‌ ପାଇଥିଲା। ବିଜେଡି ଯେମିତି ସମସ୍ତ କଳ ବଳ କୌଶଳ ଖଟାଇଥିଲା, ବିଜେପି ପ୍ରଚାର ଦୃଷ୍ଟିରୁ କମ୍‌ ଶକ୍ତିଶାଳୀ ନ ଥିଲା। ଏହି ଫଳାଫଳ ନିଜ ସପକ୍ଷରେ ଯାଇଥିଲେ ମିଶନ୍‌-୧୨୦ର ବିଜେପି କର୍ମୀମାନଙ୍କୁ ବହୁ ମାତ୍ରାରେ ପ୍ରୋତ୍ସାହନ ମିଳିଥାନ୍ତା। ଏଥରର ଫଳାଫଳ ପରେ ଆତ୍ମମନ୍ଥନ ଓ ଆଗାମୀ ରଣନୀତି ପ୍ରସ୍ତୁତିର ବାଟ ଦେଖାଇବ।
କଂଗ୍ରେସ ଦଳର କେତେକ ଅକୁହା କଥା ଏ ପର୍ଯ୍ୟନ୍ତ ଅନାଲୋଚିତ ହୋଇ ରହିଛି। ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ କଂଗ୍ରେସର ସର୍ବୋଚ୍ଚ ନେତାମାନେ କିଛି ଶିକ୍ଷା ଲାଭ କରିବାର ଲକ୍ଷଣ ଦେଖାଯାଉ ନାହିଁ।
ଏ ପର୍ଯ୍ୟନ୍ତ ଅତି ସାଧାରଣ କଥା ଭଳି ସବୁ ଖବରକାଗଜରେ ପ୍ରକାଶ ପାଇ ଆସୁଛି ଯେ କଂଗ୍ରେସ ବିଧାୟକ ସ୍ୱର୍ଗତ ସୁବଳଙ୍କ ସହଧର୍ମିଣୀ ଶ୍ରୀମତୀ ରୀତା ସାହୁ ବିଜୁ ଜନତା ଦଳର ପ୍ରାର୍ଥôନୀ ହେଲେ। ତାଙ୍କ ପ୍ରତି କେତେ ଅନୁକମ୍ପା ରହିଲା ତା’ର ସମୀକ୍ଷା ଚାଲିଛି। କିନ୍ତୁ ବିଜେପୁରରେ କଂଗ୍ରେସର ଏହି ଦୁରବସ୍ଥା ପାଇଁ ଦାୟୀ କିଏ ? ଏକଥା ଆଗ କଂଗ୍ରେସିଆମାନେ ବୁଝିଲେ ଯାଇ ଦଳର ମଙ୍ଗଳ ହେବ।
ଶ୍ରୀମତୀ ରୀତା ସାହୁ ବିଜେଡିକୁ ବାଛିଲେ କାହିଁକି ? ଏ ପର୍ଯ୍ୟନ୍ତ ରହସ୍ୟାବୃତ୍ତ ଗୋଟିଏ ଫର୍ଦ୍ଦ ଏହିପରି। ମହାପ୍ରୟାଣର କିଛିଦିନ ପୂର୍ବରେୁ ଖୋଦ୍‌ ସୁବଳ ବାବୁ ନିଜ ଚିକିତ୍ସା ସମ୍ପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଅତ୍ୟଧିକ ଦୁର୍ବଳତା ହେତୁ ଚାଲି ନପାରି ଟଳମଳ ହେଉଥିବା ସୁବଳଙ୍କୁ ଧରି ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଜ ସୁରକ୍ଷା କର୍ମୀମାନଙ୍କୁ ନିର୍ଦେଶ ଦେଇଥିଲେ। ପ୍ରସ୍ତାବ ଦେଇଥିଲେ ବିଦେଶରେ ଅତି ଉନ୍ନତ ଚିକିତ୍ସା କରାଇବାକୁ। ଶେଷ ଅବସ୍ଥାରେ ବିଦେଶରେ ସୁବଳଙ୍କ ଚିକିତ୍ସା ସମ୍ଭବ ହେଲାନାହିଁ। ଏହାସହିତ ପୂର୍ବବର୍ତ୍ତୀ ତିନଟି ନିର୍ବାଚନରେ ବିଜେପୁରରେ ଟଳମଳ ହେଉଥିବା ବିଜୁ ଜନତା ଦଳକୁ ସମ୍ଭାଳିବାର ମୂୂଳଦୁଆ ପକାଇଥିଲେ।
ଅପରପକ୍ଷରେ ଦାରୁଣ ଯନ୍ତ୍ରଣାରେ ଦିନ କାଟୁଥିବା ନିଜ ଦଳର ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ କେତେଜଣ ତୁଙ୍ଗ କଂଗ୍ରେସ ନେତାଙ୍କ ପାଖରେ ସମୟ ନଥିଲା।
ସୁବଳଙ୍କ ଦେହାବସାନ ଦିନରୁ ହିଁ ମୁଖ୍ୟମନ୍ତ୍ରୀ, ଜଣେ ମନ୍ତ୍ରୀଙ୍କୁ ନିର୍ଦେଶ ଦେଇ ଶୋକସନ୍ତପ୍ତ ପରିବାରର ଦୈନନ୍ଦିନ ସମ୍ପର୍କ ରକ୍ଷା କରିବା ପାଇଁ କହିଥିଲେ।
ଏହା ପରେ ଯାହା କିଛି ଘଟିଛି, ତହିଁରୁ ଅନେକ ବିଷୟ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇସାରିଛି। କିନ୍ତୁ ଏ ନିର୍ବାଚନରେ ସାଂଘାତିକ ପରାଜୟବରଣ କରିଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ହଜାର ହଜାର ହୃଦୟ ଜିଣିଛନ୍ତି। ଉପଯୁକ୍ତ ସଂଖ୍ୟାରେ ଭୋଟ ପାଇ ନାହାନ୍ତି ସତ; କିନ୍ତୁ ଜଣେ ପ୍ରାର୍ଥୀ ଭାବେ ନିଜେ କୌଣସି ଦୁର୍ବଳତାର ଛାପ ଛାଡ଼ି ନାହାନ୍ତି। ହାଇ ଭୋଲଟେଜ୍‌ ପ୍ରଚାର ଯୁଦ୍ଧରେ ବିଜେଡି ସହ ବିଜେପି ଟକ୍କର ଦେଉଥିଲା। କିନ୍ତୁ ପ୍ରଣୟଙ୍କ ପ୍ରଚାରଧାରା ପ୍ରାଥମିକ ବ୍ୟବସ୍ଥାରେ ଅନେକଙ୍କ ମନ ଛୁଇଁଥିଲା। ମତଦାନ ବେଳକୁ ଦୁଇ ପ୍ରମୁଖ ଦଳ ମଧ୍ୟରେ ଭୋଟର ଧ୍ରୁବୀକରଣ ହୋଇଥିଲା। ପ୍ରତିଦ୍ୱନ୍ଦ୍ୱିତା ଦ୍ୱିମୁଖୀ ହୋଇ ସାରିଥିଲା। ସମ୍ଭବତଃ କଂଗ୍ରେସ ସମର୍ଥକମାନେ ନିର୍ବାଚନରେ ବିଜୟ ସମ୍ଭାବନା ଥିବା ବିଜୁ ଜନତା ଦଳକୁ ଅଧିକ ପସନ୍ଦ କରିଥିଲେ।
ଏହି ନିର୍ବାଚନରେ ଅନ୍ୟ ଏକ ପ୍ରସଙ୍ଗର ଆଲୋଚନା ଚାଲିଥିଲା। ‘କୁଇଲ୍‌ତା ଭୋଟ’। ଜାତିଆଣ ରାଜନୀତିର କାର୍ଡ ବିଜେପୁରରେ କାମ କଲା ନାହିଁ। ସେହିପରି ଚାଷୀମାନଙ୍କ ପାଇଁ ଧାନର ସର୍ବ ନିମ୍ନ ମୂଲ୍ୟ ଧାର୍ଯ୍ୟ କରିବା ଏବଂ ବୁଣାକାରମାନେ ଉଠାଇଥିବା ଜିଏସ୍‌ଟି ପ୍ରସଙ୍ଗ ବିଜେପି ସପକ୍ଷରେ ଗଲା ନାହିଁ। ନିର୍ବାଚନୀ ହିଂସା ମଧ୍ୟ ଏଥର ବିଜେପୁରରେ ସୀମା ଟପିଗଲା।
ସବୁଠୁ ବଡ଼ କଥା ହେଲା ଏହି ଅଞ୍ଚଳବାସୀ ଏକାଠି ଏତେ ସଂଖ୍ୟାରେ ବଡ଼ ବଡ଼ ନେତା, ଅଭିନେତାଙ୍କୁ ପୂର୍ବରୁ କେବେ ଦେଖି ନଥିଲେ। ସେମାନଙ୍କ ସହ ବଡ଼ବଡ଼ ନେତାମାନେ ହାତ ମିଳାଉଥିଲେ। ଗାଁ ଗାଁରେ ଡେରା ପକାଉଥିଲେ। କେହି କେହି ପଚାରୁଥିଲେ, ମତଦାନ ପରେ ଡେରା ଉଠିଯିବ। ଏହି ନେତାମାନେ ଭୁବନେଶ୍ୱର ଗଲେ ଲୋକଙ୍କୁ ଚିହ୍ନିବେ କି ନାହିଁ।
ବଡ଼ ନେତା, ବଡ଼ ପ୍ରଚାର ଦେଖି ଅଞ୍ଚଳବାସୀ ଅତି ବଡ଼ ଆଶା ବାନ୍ଧି ବସିଛନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ପ୍ରାର୍ଥିନୀ ଶ୍ରୀମତୀ ସାହୁ ଲୋକଙ୍କ କଥା ତାଙ୍କୁ ଜଣାଇବେ ଏବଂ ନବୀନ ନିଜେ ବିଜେପୁର ନିର୍ବାଚନମଣ୍ଡଳୀ ବିଷୟ ବୁଝିବେ। ଏହା ଆଗରୁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭ ଦିଆଯାଇଛି। କେନ୍ଦ୍ର ସରକାର ମଧ୍ୟ ବହୁ ପ୍ରତିଶ୍ରୁତି ଦେଇଛନ୍ତି। ଲୋକେ ବହୁତ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କୁ ନେଇ। ଏହା ମଧ୍ୟରୁ କେତେକାଂଶ ପୂରଣ ହେଲେ ବି ବିଜେପୁର ନିର୍ବାଚନ ମଣ୍ଡଳୀବାସୀ ଉପକୃତ ହେବେ।
ଏହାର ସମ୍ଭାବନା କେତେ ? ଏ କଥା ସିଧାସଳଖ ଭାବେ କିଛି ସାଧାରଣ ଲୋକଙ୍କୁ ପଚରା ଯାଇଥିଲା। ସେମାନଙ୍କ ସଂକ୍ଷିପ୍ତ ଅଥଚ ମର୍ମଭେଦୀ ଉତ୍ତର ଥିଲା- ନଚେତ୍‌, ବର୍ଷେ ପରେ ୨୦୧୯ ନିର୍ବାଚନ ଆସୁଛି!!!

Leave A Reply