କିମ୍‌ କ’ଣ ଟ୍ରମ୍ପଙ୍କୁ ଡରିଗଲେ?

0
ଅରୁଣ କୁମାର ପଣ୍ଡା

ଆଣବିକ ଆକ୍ରମଣ ଧମକ ଦେଇ ବିଶ୍ବପାଇଁ ଆତଙ୍କ ସୃଷ୍ଟି କରି ବିନାଶର ମାର୍ଗ ଧରିଥିବା ଉତ୍ତରକୋରିଆର ଏକଚ୍ଛତ୍ରବାଦୀ ଶାସକ ଶାନ୍ତିର ପୂଜାରୀ ସାଜିଥିବା ନିଶ୍ଚିତ ଭାବରେ ଚମକପ୍ରଦ ଖବର। ସିଙ୍ଗାପୁରରେ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କସହ କିମ୍‌ଙ୍କ ଐତିହାସିକ ସାକ୍ଷାତ ଆଲୋଚନା ପରେ ଉତ୍ତରକୋରିଆ ପରମାଣୁ ପରୀକ୍ଷଣ ନିଷ୍ପତ୍ତିରୁ ଓହରିଯିବା ଘଟଣା କିମ୍‌ଙ୍କ ଚରିତ୍ରରେ ଏହି ଅଦ୍ଭୁତ ପରିବର୍ତ୍ତନର ସୂଚନା ଦିଏ ଏବଂ ଏହା ମଧ୍ୟ ସମଗ୍ର ବିଶ୍ବକୁ ବିସ୍ମିତ କରିଛି ବୋଲି କୁହାଯାଇପାରେ। ଏବେ ରାଜନୈତିକ ସମୀକ୍ଷକମାନେ କିମ୍‌ ଜୋଙ୍ଗ-ଉନ୍‌ଙ୍କର ଏହି ଆକସ୍ମିକ ଚାରିତ୍ରିକ ପରିବର୍ତ୍ତନର କାରଣ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରି ଦେଇଛନ୍ତି।
ଏବେ ପ୍ରଶ୍ନ ଉଠୁଛି ଉତ୍ତରକୋରିଆର ଏକଚ୍ଛତ୍ରବାଦୀ କିମ୍‌ ଜୋଙ୍ଗ-ଉନ୍‌ କ’ଣ ଆମେରିକା ରାଷ୍ଟ୍ରପତିଙ୍କ ନାଲିଆଖି ଓ ଧମକକୁ ଡରି ନିଜର ଉଗ୍ର ସ୍ବଭାବରେ ପରିବର୍ତ୍ତନ କଲେ କି? ଆଉ କେତେକଙ୍କ ମତ ହେଲା ରାକ୍ଷସପରି ଆଚରଣ କରୁଥିବା କିମ୍‌ ହଠାତ୍‌ ଦେବତାରେ ପରିଣତ ହେବା ଏକ ସୁଚିନ୍ତିତ ଚାଲ୍‌। ପୁଣି କେତେବେଳେ ଯେ ସେ ତାଙ୍କର ପୂର୍ବ ରୂପକୁ ପ୍ରତ୍ୟାବର୍ତ୍ତନ କରିବେ କହିହେବ ନାହିଁ। ସିଙ୍ଗାପୁରରେ କିମ୍‌ ଏବଂ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଥିବା ସିଧାସଳଖ କଥାବାର୍ତ୍ତାର ଯଥେଷ୍ଟ ସୁଫଳ ମିଳିଛି ବୋଲି କୁହାନଗଲେ ମଧ୍ୟ ଆଣବିକ ଶକ୍ତି ପରୀକ୍ଷଣରୁ ଦୂରେଇ ରହିବାକୁ ଉତ୍ତରକୋରିଆର ସଂକଳ୍ପ ଘୋଷଣା ବିଶ୍ବକୁ ଆଶ୍ବସ୍ତ କରିଛି। ଜାତିସଂଘର ମହାସଚିବ ଆଣ୍ଟନିଓ ଗୁଟେ​‌େ​‌ରସ୍‌ ମଧ୍ୟ ଆମେରିକା ଏବଂ ଉତ୍ତରକୋରିଆର ଏହି ମିଳିତ ରାଜିନାମାକୁ ସ୍ବାଗତ କରି ଏହା ବିଶ୍ବଶାନ୍ତି ପ୍ରତିଷ୍ଠାରେ ସହାୟକ ହେବବୋଲି କହିଛନ୍ତି। ଏବେଠାରୁ ଆଉ ‘ଯୁଦ୍ଧଖେଳ’ ହେବନାହିଁ ଏବଂ ୱାଶିଂଟନର ମିଳିତ ସମରାଭ୍ୟାସକୁ ବନ୍ଦ କରିଦିଆଯିବ ବୋଲି ଟ୍ରମ୍ପ କହିବାପରେ ଆମେରିକା ପ୍ରଶାସନର ଜଣେ ମୁଖପାତ୍ରଙ୍କ ମନ୍ତବ୍ୟ ହେଲା- ଏପର୍ଯ୍ୟନ୍ତ ସେଭଳି କିଛି ନିର୍ଦେଶ ମିଳିନାହିଁ।
ଅପରପକ୍ଷରେ ଏହି ବୁଝାମଣା ବେଶୀଦିନ ତିଷ୍ଠି ରହିବ ନାହିଁ ବୋଲି ଆଫଗାନିସ୍ତାନ ଉତ୍ତର କୋରିଆକୁ ସତର୍କ କରାଇ ଦେଇଛି। ଟ୍ରମ୍ପଙ୍କୁ ଆଦୌ ବିଶ୍ବାସ କରାଯାଇନପାରେ ବୋଲି ଆଫଗାନିସ୍ତାନ କହିଛି। ଅପରପକ୍ଷରେ ହ୍ବାଇଟ ହାଉସରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ଉତ୍ତରକୋରିଆର ସୁରକ୍ଷାଦାୟିତ୍ବ ଯୁକ୍ତରାଷ୍ଟ୍ରର ଆମେରିକାର ବୋଲି ସ୍ପଷ୍ଟ ଭାବରେ କୁହାଯାଇଛି।
ଏଠାରେ ସ୍ମରଣ ଯୋଗ୍ୟ ଯେ କିମ୍‌ କିଛିମାସ ତଳେ ଦକ୍ଷିଣକୋରିଆ ଗସ୍ତ କରି ସେଠାର ରାଷ୍ଟ୍ରପତି ମୁନ୍‌ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଏକଦା ଉଗ୍ର ରୂପ ଧାରଣ କରି ସମଗ୍ର ବିଶ୍ବକୁ ଧ୍ବଂସ କରିଦେବା ପାଇଁ ଧମକ ଦେଉଥିବା କିମ୍‌ଙ୍କ ଏହି ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଯଦି ମାନବଜାତିର ସୁରକ୍ଷା ଲକ୍ଷ୍ୟରେ ହୋଇଥାଏ ନିଶ୍ଚିତ ଭାବରେ ଏହା ସ୍ବାଗତଯୋଗ୍ୟ। ଟ୍ରମ୍ପ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେବା ପରେ ସ୍ପଷ୍ଟ ଭାବେ ଘୋଷଣା କରିଥିଲେ ଯେ ଦୀର୍ଘଦିନ ଧରି ଚାଲିଥିବା ଉତ୍ତରକୋରିଆର ଦାଦାଗିରିକୁ ସେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବେ। ଆମେରିକା ରାଷ୍ଟ୍ରପତିଙ୍କ ବାରମ୍ବାର ଧମକ ଏବଂ ବିଶ୍ବସମୁଦାୟ ପକ୍ଷରୁ ଆର୍ଥିକ କଟକଣା ଲଗାଯିବା ପରେ କିମ୍‌ ବିଚଳିତ ହୋଇପଡ଼ିଥିଲେ। ମିତ୍ରରାଷ୍ଟ୍ର କୁହାଯାଉଥିବା ଚୀନ ମଧ୍ୟ ଖୋଲାଖୋଲି ଭାବେ କିମ୍‌ଙ୍କୁ ସମର୍ଥନ ଦେଇନଥିଲା। ଏହି କାରଣରୁ ଅନ୍ୟ କୌଣସି ବିକଳ୍ପ ନପାଇ କିମ୍୍‌ ଶେଷରେ ନିଜର ଉଗ୍ରରୂପ ଛାଡ଼ି ନରମ ହେଲେ ବୋଲି କୁହାଯାଇପାରେ। ତେଣୁ ଦେଶର ଆର୍ଥିକ ଦୁରବସ୍ଥାକୁ ସୁଧାରିବା ଏବଂ ମୁଖ୍ୟଧାରାକୁ ଆସିବାପାଇଁ ଆମେରିକାସହ ବୁଝାମଣା ବ୍ୟତୀତ କିମ୍‌ଙ୍କ ପାଖରେ ଅନ୍ୟ ପନ୍ଥା ନଥିଲା ବୋଲି କୁହାଯାଉଛି।
ଦକ୍ଷିଣ କୋରିଆରେ ଅନୁଷ୍ଠିତ ହେବାକୁଥିବା ଅଲିମ୍ପିକରେ ଉତ୍ତର ଏବଂ ଦକ୍ଷିଣ କୋରିଆ ମିଳିତ ଭାବେ ଗୋଟିଏ ଦେଶଭାବେ ପ୍ରତିନିଧିତ୍ବ କରିବା ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। ପ୍ରକାଶ ଥାଉକି ଏହି ଆଲିମ୍ପିକ ଉତ୍ତର ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଥିବା ତିକ୍ତ ସମ୍ପର୍କରେ ସୁଧାର ଆଣିବା ପାଇଁ କିଛିଟା ସକ୍ଷମ ହୋଇଛି। ଏହାପରେ ୨୦୧୮ ଏପ୍ରିଲମାସରେ ଦୁଇ କୋରିଆ ରାଷ୍ଟ୍ର ମଧ୍ୟରେ ଆୟୋଜିତ ମିଳିତ ବୈଠକରେ କିମ୍ ଜୋଙ୍ଗ୍‌ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଯୋଗ ଦେଇଥିଲେ। ଏପ୍ରିଲ ୨୭ ତାରିଖରେ ଏବଂ ୨୬ମେ ଏହି ମିଳିତ ବୈଠକ ଆୟୋଜିତ ହୋଇଥିଲା।
ଏବେ ଦକ୍ଷିଣ ଏବଂ ଉତ୍ତର କୋରିଆର ମିଶ୍ରଣ ପାଇଁ ସୁଯୋଗ ସୃଷ୍ଟି ହୋଇଛି। କିମ୍‌ଙ୍କ ପରି ଜଣେ ଯୁବ ଏକଚ୍ଛତ୍ରବାଦୀ ପ୍ରଶାସକ ଆଣବିକ ଶକ୍ତିର ଦୁରୁପଯୋଗ ପାଇଁ ଚିନ୍ତା କରୁଥିବାବେଳେ ଆମେରିକାର ତୀକ୍ଷଣ କୂଟନୀତି ସମ୍ପନ୍ନ ରାଷ୍ଟ୍ରପତି ଟ୍ରମ୍ପ ଚତୁରତାର ସହିତ ସେଥିରୁ ତାଙ୍କୁ ନିବୃତ୍ତ କରିବାପାଇଁ ସକ୍ଷମ ହେବା ସହିତ ବିଶ୍ବ ଏକ ଆସନ୍ନ ସଂକଟରୁ ମୁକ୍ତି ପାଇଥିବା କୁହାଯାଇପାରେ।
୧୩୪୮/୪-ସି, ସେକ୍ଟର-୬, ମରକତନଗର, କଟକ-୧୪

Leave A Reply