ପରଲୋକରେ ପରିକର

0

ପୁଣି ଅସ୍ଥିରତା ଆଡ଼କୁ ଗୋଆ ରାଜନୀତି

ରାଜନୈତିକ ଦୃଷ୍ଟିରୁ ଦୋଦୁଲ୍ୟମାନ ଦେଶର କ୍ଷୁଦ୍ର ରାଜ୍ୟ ଗୋଆ ପୁନର୍ବାର ଅସ୍ଥିରତାର ଏକ ଅଧ୍ୟାୟ ଆଡ଼କୁ ଗତି କରୁଛି। ଏହାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିଜେପିର ମନୋହର ପରିକରଙ୍କର ରବିବାର ସନ୍ଧ୍ୟାରେ ପରଲୋକ ଘଟିବାପରେ ଏହି ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ଅଗ୍ନାଶୟ କର୍କଟରେ ଆକ୍ରାନ୍ତ ପରିକରଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ସ୍ଥିତିରେ ଥିଲା ଏବଂ ଶେଷରେ ସେ ହାରିଗଲେ। ଗୁରୁତର ଅସୁସ୍ଥତା ସତ୍ତ୍ବେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ ଓ ସହାୟକ ଚିକିତ୍ସା ଉପକରଣ ସହିତ ସେ ଯେପରି କାର୍ଯ୍ୟ କରୁଥିଲେ ତାହା କ୍ଷମତା ରାଜନୀତିର ଏକ କରୁଣ ଚିତ୍ର ଉପସ୍ଥାପନ କରୁଥିଲା। ବୃତ୍ତିରେ ଜଣେ ଇଞ୍ଜିନିୟର ପରିକର ଉଭୟ ଗୋଆ ଜାତୀୟ ରାଜନୀତିରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ। ଜଣେ ଉତ୍ତମ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଭାବେ ଲୋକେ ତାଙ୍କୁ ମନେ ରଖିବେ। ବିଜେପିର ବାସ୍ତବତା ହେଲା ସେଠାକାର ମେଣ୍ଟ ସରକାର ସମ୍ଭାଳିବାଭଳି ପରିକରଙ୍କ ପରି ସବୁପକ୍ଷଙ୍କ ଗ୍ରହଣଯୋଗ୍ୟ ଜଣେ ବିକଳ୍ପ ନେତାଙ୍କ ଅଭାବ। ଏହି ଘଡ଼ିସନ୍ଧି ସମୟରେ ଏକକ ସଂଖ୍ୟାଗରିଷ୍ଠ ତଥା ବିରୋଧୀ ପକ୍ଷରେ ଥିବା କଂଗ୍ରେସ ସରକାର ଗଠନ ପାଇଁ ଦାବି କରି ରାଜନୈତିକ ସଂକଟକୁ ଜଟିଳ କରିଛି।
ଚାଳିଶ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ଏ​‌େ​‌ବ ୫ଟି ଆସନ ଖାଲିପଡ଼ିଥିବାବେଳେ ଶାସକମେଣ୍ଟର ସଦସ୍ୟ ସଂଖ୍ୟା ଏବେ ୨୧। ମେଣ୍ଟରେ ବିଜେପିର ୧୨ ସଦସ୍ୟ ଥିବାବେଳେ ଦୁଇଟି କ୍ଷୁଦ୍ରଦଳଙ୍କର ତିନିଜଣ କରି ସଦସ୍ୟ ଅଛନ୍ତି। ଏହାଛଡ଼ା ୩ଜଣ ସ୍ବାଧୀନ ସଦସ୍ୟ ମେଣ୍ଟ ସରକାରରେ ମନ୍ତ୍ରୀ ଅଛନ୍ତି। ଏବେ ବିଧାନସଭାର ବାସ୍ତବ ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ଏହି ତିନି ସ୍ବାଧୀନ ସଦସ୍ୟଙ୍କ ଉପରେ ସରକାରଙ୍କ ଭାଗ୍ୟ ନିର୍ଭର କରୁଛି। ଅପରପକ୍ଷରେ ୧୪ ସଦସ୍ୟ ବିଶିଷ୍ଟ କଂଗ୍ରେସକୁ ଜଣେ ଏନ୍‌ସିପି ସଭ୍ୟ ସମର୍ଥନ କରୁଛନ୍ତି। ଅତଏବ ପରିକରଙ୍କ ଜୀବନାବସାନ ସହ ଗୋଆ ସରକାରର ଭାଗ୍ୟ ମଧ୍ୟ ଯୋଡ଼ି ହୋଇଯାଇଛି। ବିଜେପି ମଧ୍ୟ ସ୍ବୀକାର କଲାଣି ଯେ ଗୋଆରେ ଏବେ ଏକ ରାଜନୈତିକ ସଂକ୍ରମଣ କାଳ ଉପନୀତ ହୋଇଛି ଏବଂ ପରିକରଙ୍କ ଅବର୍ତ୍ତମାନ​‌େ​‌ର ସରକାରକୁ ବଞ୍ଚାଇବା ପାଇଁ ଦଳକୁ କଷ୍ଟ କରିବାକୁ ପଡ଼ିବ। ତେଣୁ ନୂଆ ବିକଳ୍ପ ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ବ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ସ୍ଥିତି ଯାହା ସେଥିରେ ବିଜେପି ଗୋଆକୁ ହାତଛଡ଼ା କରିବା ସମ୍ଭାବନା କମ୍। ପରିକରଙ୍କ ବିକଳ୍ପ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କମତ୍‌ଙ୍କୁ ବିଜେପି ଉପସ୍ଥାପିତ କରିବାକୁ ଉଦ୍ୟମ କରୁଛି। ତଥାପି ସେଠାକାର ଅସ୍ଥିର ରାଜନୀତି ଓ ସ୍ବାଧୀନ ବିଧାୟକମାନଙ୍କ ଗତିବିଧି ବିଜେପିକୁ ଅଡ଼ୁଆରେ ପକାଇଛି। ସେଠାରେ ଖୁବ୍‌ ଶୀଘ୍ର ଯେ ଏକ ନୂତନ ରାଜନୈତିକ ସମୀକରଣ ହେବାକୁ ଯାଉଛି ଏହା ନିଃସନ୍ଦେହ।

Leave A Reply