ପୁଞ୍ଜିବାଦ ସଂକଟ

0

ପୁଞ୍ଜିବାଦ ଘରୋଇ ମାଲିକାନା ଆଧାରିତ ଏକ ଅର୍ଥନୈତିକ ବ୍ୟବସ୍ଥା ଯେଉଁଠି ପୁଞ୍ଜିପତି ଅର୍ଥ ଲଗାଇ ସମ୍ବଳ ଓ ଆୟର ବ୍ୟବସ୍ଥା ସୃଷ୍ଟିକରେ। ଏଥିରେ ଲାଭର ଏକ ଛୋଟ ଭାଗ କର୍ମଚାରୀଙ୍କ ପାଖକୁ ଯାଉଥିବାବେଳେ ସିଂହଭାଗ ମାଲିକ ପାଏ। ପୁଞ୍ଜି ସୃଷ୍ଟି, ଘରୋଇ ସମ୍ପତ୍ତି, ପୁଞ୍ଜିସଂଗ୍ରହ, ଲାଭ ଆହରଣ, ଶ୍ରମ ଓ ପ୍ରତିଯୋଗିତା ଆଦି ଏହାର ଅନ୍ତର୍ଭୁକ୍ତ। ପୁଞ୍ଜିବାଦର ବଡ଼ ସମସ୍ୟା ହେଉଛି ଏହା ଅଧିକ ଲାଭ ପ୍ରୟାସୀ ଏବଂ ବ୍ୟକ୍ତିଗତ ଉତଥାନ ଓ ବଜାର ନିୟନ୍ତ୍ରଣକୁ ଅଗ୍ରାଧିକାର ଦିଏ। ଏହି ବ୍ୟବସ୍ଥାରେ ଅନ୍ୟ ଯେଉଁମାନେ ସାମିଲ ହୋଇଥାନ୍ତି ସେମାନଙ୍କର ଆର୍ଥିକବିକାଶ ଉଲ୍ଲେଖନୀୟ ହୋଇନଥାଏ।
ପୁଞ୍ଜିବାଦ ତାହାର ମହତ୍‌ ଉଦ୍ଦେଶ୍ୟ ହରାଉଥିବା କଥା ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଭାରତୀୟ ରିଜର୍ଭବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଯାହା କହିଛନ୍ତି ସେଥିରେ ଦ୍ବିମତ ହେବାର କିଛି ନାହିଁ। ପ୍ରକୃତରେ ପୁଞ୍ଜିବାଦ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଆଉ ଦେଉନାହିଁ। ଏଥିରେ ଧନୀ ଅଧିକ ଧନୀ ହେଉଥିବାବେଳେ ଅନ୍ୟମାନେ ତଳକୁତଳକୁ ଯାଉଛନ୍ତି। ଏହାର କାରଣ ଆଉ ଅଛପା ହୋଇରହିନାହିଁ। ଉତ୍ପାଦନର ସବୁଧାରା ଓ ଉତ୍ସକୁ ସାମାଜିକୀକରଣ କରିବା ଦ୍ବାରା ପ୍ରଭୁତ୍ବବାଦ ଭଳି ସ୍ଥିତି ସୃ୍ଷ୍ଟି ହେଉଛି। ଆହୁରି ମଧ୍ୟ ଭାରତଭଳି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେଉଁସବୁ ସରକାରୀ ଶିଳ୍ପାୟନ ଏବଂ ଔଦ୍ୟୋଗିକ ନୀତି ପ୍ରସ୍ତୁତ ହେଉଛି ସେଥିରେ ସାଧାରଣ ଲୋକ, ପେସାଦାର ଓ ବୃତ୍ତିଧାରୀଙ୍କର ସ୍ବାର୍ଥ ବିଶେଷଭାବେ ସାଧନ ହେଉନାହିଁ। ଯେଉଁମାନେ ବ୍ୟବସ୍ଥାର କେନ୍ଦ୍ରରେ ରହୁଛନ୍ତି ନିଜର ପ୍ରଭାବ ଓ ପ୍ରତିଷ୍ଠା ଜାହିର କରି ନିଜେ ଧନବାନ ତଥା ସମୃଦ୍ଧ ହେଉଛନ୍ତି। ଫଳରେ କ୍ରୋନୀ କ୍ୟାପିଟାଲିଜିମ୍‌ ବା ଅନ୍ତରଙ୍ଗ ପୁଞ୍ଜିବାଦ ସୃଷ୍ଟି ହେଉଛି।
ଗୋଟିଏ ସମାଜରେ ଅଧିକ ଲୋକ ଗରିବ ହେବା ଓ କମ୍‌ ଲୋକଙ୍କ ସମ୍ପତ୍ତି ବଢ଼ିବା ଆଦୌ ଶୁଭଙ୍କର ନୁହେଁ। ଏହା ସାମାଜିକ ଅସମତା ସୃଷ୍ଟିକରିବା ସହ ବିଦ୍ରୋହ ପାଇଁ ସୁଯୋଗ ସୃଷ୍ଟିକରେ। ୨୦୦୮ର ଆର୍ଥିକ ମାନ୍ଦାବସ୍ଥା ପରେ ପୁଞ୍ଜିବାଦ ବଡ଼ସମସ୍ୟା ଭାବେ ଦଣ୍ଡାୟମାନ। ଭାରତ ସରକାର ସବ୍‌କା ସାଥ୍‌, ସବ୍‌କା ବିକାଶ, ସାର୍ବଜନୀନ ବା ସମାବେଶୀ ବିକାଶ ଆଦି କଥା କହୁଥିଲେ ମଧ୍ୟ ଅସଲରେ ପରିସ୍ଥିତି ଅତି ଜଟିଳ ହେଉଛି। ସରକାରୀ ସୁବିଧା ସୁଯୋଗର ଲାଭ କେବଳ ବିତ୍ତଶାଳୀ, କ୍ଷମତାଶାଳୀଙ୍କ ପାଖକୁ ମୁଖ୍ୟତଃ ଯାଉଛି।
ଅତଏବ ଏହି ଧାରାକୁ ରୋକିବା ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ। ସରକାରୀ ହସ୍ତକ୍ଷେପ ଏବଂ ନୂଆନୀତି ନିୟମ ମାଧ୍ୟମରେ ଏ କ୍ଷେତ୍ରରେ ପରିବର୍ତ୍ତନ ସମ୍ଭବ। ସମସ୍ତଙ୍କ ପାଇଁ ସମାନ ସୁବିଧାସୁଯୋଗ ସୃଷ୍ଟି ସହ ସମାବେଶୀ ବିକଳ୍ପ ପୁଞ୍ଜିବାଦୀ ବ୍ୟବସ୍ଥା ସୃଷ୍ଟି କରିବାର ସମୟ ଆସିଛି। ତେବେ ସମସ୍ତଙ୍କୁ ସମାନ ସୁବିଧାସୁଯୋଗ ଦେବା ଅର୍ଥ ନୁହେଁ, ପୁଞ୍ଜିବାଦୀ ବ୍ୟବସ୍ଥାର ଅବସାନ ଘଟାଇ ସମାଜବାଦୀ ବ୍ୟବସ୍ଥା ପ୍ରବର୍ତ୍ତନ କରିବା। ଏ କ୍ଷେତ୍ରରେ ପ୍ରଚଳିତ ବ୍ୟବସ୍ଥାର ସଂଶୋଧନ କରିବାପାଇଁ ସରକାର, ନୀତିନିର୍ଦ୍ଧାରକ, ଅର୍ଥଶାସ୍ତ୍ରୀ, ଉଦ୍ୟୋଗଜଗତ ଓ ଅନ୍ୟାନ୍ୟ ସମସ୍ତ ସଂପୃକ୍ତ ପକ୍ଷଙ୍କର ସହଯୋଗର ଆବଶ୍ୟକତା ରହିଛି। ତା’ ନହେଲେ ଭାରତଭଳି ଦେଶରେ ଅରବପତି ଖରବପତିଙ୍କ ସଂଖ୍ୟା ବଢ଼ୁଥିବ, ଅଥଚ ଦେଶରେ ଲୋକଙ୍କୁ ଯୋଗ୍ୟତାଥିବା ସତ୍ତ୍ବେ ରୋଜଗାର ସୁଯୋଗସୁବିଧା ମିଳୁନଥିବ। ଏ ସମ୍ପର୍କରେ ଗୁରୁତ୍ବରସହ ବିଚାର କରିବାର ସମୟ ଆସିଛି।

Leave A Reply