ମହାନଦୀରେ ୨ୟ ଜଳଭଣ୍ଡାର କାହିଁକି ଅବଶ୍ୟମ୍ଭାବୀ?

0

ଇଂ. ଶରତ କୁମାର ମହାନ୍ତି

ଏ ବିଷୟରେ ପୂର୍ବରୁ ଗଣମାଧ୍ୟମରେ ଓ ସରକାରୀ ସ୍ତରରେ ଅନେକ ଚର୍ଚ୍ଚା ହୋଇଛି। ଏପରି ସବୁ ଆଲୋଚନା କେବଳ ଗୋଟିଏ ଦିଗକୁ ଆଖି ଆଗରେ ରଖି ହୋଇଛି ଯାହା ହେଲା ତ୍ରିକୋଣଭୂମି ଅଞ୍ଚଳକୁ ବନ୍ୟା ଦାଉରୁ ରକ୍ଷାକରିବା ପାଇଁ। ଜଳଭଣ୍ଡାରରର ବିସ୍ଥାପନ ସମସ୍ୟା ଓ ରାଜନୈତିକ ବିରୋଧ ଯୋଗୁ ପ୍ରସ୍ତାବିତ ମଣିଭଦ୍ରା ଯୋଜନା ଆଗେଇ ପାରିଲାନି। ସରକାର ଏକ ପ୍ରକାର ଧରିନେଲେ ଯେ ସମ୍ଭାବ୍ୟ ବନ୍ୟାକୁ ଅନ୍ୟାନ୍ୟ ପ୍ରତିକାରମୂଳକ ବ୍ୟବସ୍ଥା ଦ୍ବାରା ମୁକାବିଲା କରିବେ ଓ କ୍ଷୟକ୍ଷତିର ଭରଣା କରିବ। ଅନ୍ୟ ଏକ ଦୃଷ୍ଟିକୋଣରୁ ଦ୍ବିତୀୟ ଜଳଭଣ୍ଡାରର ଆବଶ୍ୟକତା ବିଷୟ ମୁଁ ଆଜି ଜନସାଧାରଣଙ୍କ ମନରେ ସଚେତନତା ଆଣିବାକୁ ଚେଷ୍ଟା କରିବି। ମହାନଦୀ ଜଳ ବିବାଦ ପରିପ୍ରେକ୍ଷୀରେ ଦ୍ବିତୀୟ ଜଳଭଣ୍ଡାରର ଆବଶ୍ୟକତା ବିଷୟରେ ମୁଁ ଦୁଇଥର ଲେଖିଥିଲେ ବି ସରକାରଙ୍କର ମଧ୍ୟ ସଚେତନତା ଆସିନି, କାରଣ ସୁଦୂର ଭବିଷ୍ୟତ, କଥା ଚିନ୍ତା କରିବାକୁ କେହି ଚାହଁୁନାହାନ୍ତି। ଏ ବିଷୟଟି ମୋ ମତରେ ଅତ୍ୟନ୍ତ ଗୁରୁତର ବୋଲି ବିବେଚନା କରି ପୁନର୍ବାର ଜନସାଧାରଣଙ୍କ ମନରେ ସଚେତନତା ଆଣିବାକୁ ଚେଷ୍ଟା କରିବି। ମହାନଦୀ ତ୍ରିକୋଣଭୂମି ଅଞ୍ଚଳର ଲୋକମାନେ ଏ ବିଷୟ ନେଇ ଅଧିକ ସଚେତନ ହେବା ନିହାତି ଆବଶ୍ୟକ, କାରଣ ଆଉ ମାତ୍ର ୫୦ବର୍ଷ ପରେ ​‌େ​‌ସମାନେ ପିିିଇବାକୁ ମଧ୍ୟ ପାଣି ପାଇବେନି। ବର୍ତ୍ତମାନଏପରି ଲେଖି ତ୍ରିକୋଣଭୂମୀବାସୀଙ୍କୁ ମୁଁ ଡରାଇବାକୁ ଚାହୁଁନି। ବରଂ ସେମାନଙ୍କୁ ସଚେତନ ହେବାପାଇଁ ନିବେଦନ କରୁଛି, କାରଣ ଏପରି ଜଳାଭାବ ନିଶ୍ଚୟ ଘଟିବାକୁ ଯାଉଛି ଯାହାକି ଆମର ନାତିନାତୁଣୀମାନେ ଭୋଗିବେ।
ପାଠକମାନେ ସମସ୍ତେ ଜାଣନ୍ତୁ ଯେ ମହାନଦୀରେ ଯେତିକି ଜଳ ଅଣ-ମୌସୁମୀ ମାସମାନଙ୍କରେ ପ୍ରବାହିତ ହେଉଛି ସେସବୁ ନଦୀର ଅବବାହିକା ଅଞ୍ଚଳରୁ ଆସୁନି, ବରଂ ଏହା ମୁଖ୍ୟତଃ ହୀରାକୁଦ ଜଳଭଣ୍ଡାରରୁ ବିଦ୍ୟୁତ କେନ୍ଦ୍ର ଦେଇଆସୁଛି। କଟକରେ ପ୍ରବାହିତ ଜଳରେ ଅବଶ୍ୟ ଇନ୍ଦ୍ରାବତୀ ଯୋଜନାରୁ ନିର୍ଗତ କିଛି ଜଳ ତେଲ ନଦୀ ବାଟ ଦେଇ ମହାନଦୀରେ ମିଶୁଛି, କିନ୍ତୁ କାଳକ୍ରମେ ଏହା ଅଣ-ମୌସୁମୀ ସମୟରେ ଲୋପ ପାଇଯିବ, କାରଣ ଇନ୍ଦ୍ରାବତୀ ଯୋଜନାର ଜଳ ତେଲ ଅବବାହିକା ଅଞ୍ଚଳ​‌େ​‌ର ଖର୍ଚ୍ଚ ହୋଇଯିବ। ଏହାର ଅର୍ଥ ହେଲା ହୀରାକୁଦ ଯୋଜନାର ବିଦ୍ୟୁତ କେନ୍ଦ୍ରରୁ ନିର୍ଗତଜଳ, ଜଳସେଚିତ ଜମିରୁ ନଦୀରେ ମିଶୁଥିବା ବଳକା ଜଳ ଓ ଅନ୍ୟାନ୍ୟ ଛୋଟବଡ଼ ନଦୀନାଳମାନଙ୍କରେ ପ୍ରବାହିତ ଅଣ-ମୌସୁମୀ ଜଳ କେବଳ ତ୍ରିକୋଣଭୂମି ଅଞ୍ଚଳକୁ ଆସିବ, ଯଦି ରାସ୍ତାରେ ଅନ୍ୟ କିଛି ଜଳବ୍ୟବହାର ନହୁଏ। ସରକାର କିନ୍ତୁ ଘୋଷଣା କରିସାରିଛନ୍ତି ଯେ ସେମାନେ ହୀରାକୁଦ ଜଳଭଣ୍ଡାର ତଳେ ସାତୋଟି ବ୍ୟାରେଜ ନିର୍ମାଣ କରିବେ। ସେଥିରୁ କେତେ ଜଳ କେଉଁ କାମ ପାଇଁ ବ୍ୟବହୃତ ହେବ ବର୍ତ୍ତମାନ ଜଣାପଡ଼ିନି, କିନ୍ତୁ ଏହା ସୁନିଶ୍ଚିତ ଯେ ହୀରାକୁଦରୁ ଆସୁଥିବା ଜଳର ପରିମାଣ କମିବ।
ମହାନଦୀ ତ୍ରିକୋଣଭୂମିରେ ଭବିଷ୍ୟତରେ ଘୋର ଜଳାଭାବର ଆଶଙ୍କା ଗୋଟିଏ ଭବିଷ୍ୟବାଣୀ ନୁହେଁ। ତଥ୍ୟ ଉପରେ ଆଧାରିତ ଏହା ଏକ ଅନୁଶୀଳନ। ପାଠକମାନେ ଅବଗତ ଅଛନ୍ତି ଯେ ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ବର୍ତ୍ତମାନ ସମୟରେ ପ୍ରାୟ ୩.୫ ନିୟୁତ ଏକର ଫୁଟ ଅଛି ଯାହା ୪୩୧୮ ନିୟୁତ ଘନମିଟର ସହିତ ସମାନ ବନ୍ୟାନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ଏହି ଜଳଭଣ୍ଡାରର ଜଳସ୍ତରକୁ ଜୁଲାଇ ମାସ ଆରମ୍ଭରୁ ଅଗଷ୍ଟ ମାସ ଅଧାଅଧି ପର୍ଯ୍ୟନ୍ତ ତଳ ସ୍ତରରେ ରଖାଯାଏ। ଏହାପରେ ଜଳଭଣ୍ଡାରକୁ ସଂପୂର୍ଣ୍ଣ ଭାବରେ ଭରିବା କାର୍ଯ୍ୟକ୍ରମ ବିଶେଷଜ୍ଞମାନଙ୍କ ରୁଲ କର୍ଭ ଅନୁସାରେ କରାଯାଏ ଯାହାକି ୧୯୮୮ ମସିହାରୁ ଚାଲିଆସୁଛି। ଅଧିକାଂଶ ବର୍ଷମାନଙ୍କରେ ଜଳଭଣ୍ଡାରକୁ ପୂର୍ଣ୍ଣ କ୍ଷମତା ପର୍ଯ୍ୟନ୍ତ ଭରିବା ଉଦ୍ଦେଶ୍ୟ ନେଇ ରୁଲକର୍ଭ ସ୍ଥିରୀକୃତ ହୋଇଛି।
ଦେଖାଯାଇଛି ଯେ ଶୁଖାବର୍ଷମାନଙ୍କରେ ମଧ୍ୟ ଜଳଭଣ୍ଡାର ଭର୍ତ୍ତି ହୋଇପାରୁଛି। ଅବଶ୍ୟ ୨୦୦୦ମସିହା ପରି ଜଳଦୁର୍ଭିକ୍ଷ ବର୍ଷରେ ଜଳଭଣ୍ଡାର ପ୍ରାୟ ଅଧାଅଧି ଭର୍ତ୍ତିହୋଇ ପାରିଥିଲା। ହୀରାକୁଦ ଜଳଭଣ୍ଡାରରୁ ଜଳସେଚନ ଶିଳ୍ପ ଓ
ଘରୋଇ ଜଳଯୋଗାଣ ତଥା ବାଷ୍ପୀକରଣ ବାବଦରେ ଏବେ ପ୍ରାୟ ୨.୧ ନିୟୁତ ଏକର ଫୁଟ ଖର୍ଚ୍ଚ ହେଉଛି। ଗଙ୍ଗାଧର ମେହେର ଉଠାଜଳସେଚନ ଯୋଜନା କାମ ସରିବା ପରେ ଜଳଖର୍ଚ୍ଚ ୨.୩୦ ନିୟୁତ ଏକର ଫୁଟ ହୋଇଯିବ। ଜଳଭଣ୍ଡାରର ଏ ସବୁ ନିଜ ଖର୍ଚ୍ଚକୁ ସବୁବେଳେ ଅଗ୍ରାଧିକାର ଦିଆଯିବ। ଏହାକୁ ତୁଲାଇବା ପରେ ବର୍ତ୍ତମାନ ସ୍ଥିତିରେ ଜଳଭଣ୍ଡାରରୁ ବିଦ୍ୟୁତ କେନ୍ଦ୍ରର ଖର୍ଚ୍ଚ ପାଇଁ ମାତ୍ର ୧.୨ ନିୟୁତ ଏକର ଫୁଟ ଜଳ ମିଳୁଛି। ଛତିଶଗଡ଼ରୁ ଅଣ-ମୌସୁମୀ ସମୟରେ ଯାହା ପାଣି ଜଳଭଣ୍ଡାର ଭିତରେ ପ୍ରବେଶ କରିବ ସେ ସବୁ ମଧ୍ୟ ବିଦ୍ୟୁତ ଉତ୍ପାଦନ ପାଇଁ ମିଳିବ। ପୂର୍ବ ହିସାବରୁ ଦେଖାଯାଇଛି ଶତକଡ଼ା ୭୫ଭାଗ ନିଶ୍ଚିତ ଅଣ-ମୌସୁମୀ ଜଳପ୍ରବାହ ମାତ୍ର ୧.୦୨ ନିୟୁତ ଏକର ଫୁଟରେ ସୀମିତ ରହୁଛି। ବର୍ତ୍ତମାନ କାର୍ଯ୍ୟରତ ଥିବା ଟ୍ରାଇବ୍ୟୁନାଲଙ୍କ ନିଷ୍ପତ୍ତି ପରେ ଜଣାପଡ଼ିବ ଏଥିରୁ କେତେଜଳ ଓଡ଼ିଶା ପାଇବ। ଯାହା ବି ମିଳିବ ସେ ସବୁ ବିଦ୍ୟୁତ କେନ୍ଦ୍ର ଦେଇ ତ୍ରିକୋଣଭୂମିକୁ ଆସିବ ଓ ତେଲନଦୀ ମିଶିବାପରେ ଏହାର ପରିମାଣ ବଢ଼ିବ। ୨୦୧୭-୧୮ ପରି ଶୁଖାବର୍ଷରେ ମଧ୍ୟ ଟିକରପଡ଼ାଠାରେ ୩.୮୬ ନିୟୁତ ଏକର ଫୁଟ ଜଳ ପ୍ରବାହିତ ହୋଇଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଶତକଡ଼ା ୭୫ଭାଗ ନିଶ୍ଚିତ ଜଳପ୍ରବାହ ପୂର୍ବ ୪୫ବର୍ଷ ଭିତରେ ପାଖାପାଖି ୪.୦ ନିୟୁତ ଏକର ଫୁଟ ଥିଲା। ଆଜିର ସ୍ଥିତି ଭବିଷ୍ୟତରେ ରହିବନି, କାରଣ ପ୍ରତିବର୍ଷ ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା କମିକମି ଆସୁଛି। କେଉଁ ଗତିରେ ଏହା କମୁଛି ସେକଥା ମଧ୍ୟ ସରକାରଙ୍କର ଦ୍ବାରା ୨୦୦୭ ମସିହାରେ ଗଠିତ ‘ଜୟସିଲନ କମିଟି’ ନିର୍ଦ୍ଧାରଣ କରିଛନ୍ତି। ଏଇ ସମ୍ବାଦପତ୍ରର ୫.୬.୨୦୧୮ ସଂଖ୍ୟାରେ ଲେଖକର ଏ ବିଷୟ ଉପରେ ଗୋଟିଏ ସନ୍ଦର୍ଭ ପ୍ରକାଶ ପାଇଛି। ଏଇ ରିପୋର୍ଟ ଆଧାରରେ ଅନ୍ତତଃ ଏତିକି କହିହେବ ଯେ ଆଉ ପ୍ରାୟ ୫୦ ବର୍ଷପରେ ଅଣ-ମୌସୁୁମୀ ସମୟରେ ବୁର୍ଲାଠାରେ ଥିବା ବିଦ୍ୟୁତକେନ୍ଦ୍ର ଆଉ ଚାଲି ପାରିବନି, କାରଣ ଜଳଭଣ୍ଡାରର ନିଜ ଖର୍ଚ୍ଚକୁ ତୁଲାଇବା ପାଇଁ ଜଳବ୍ୟବହାର ପରେ ବିଦ୍ୟୁତ କେନ୍ଦ୍ର ପାଇଁ ଆଉ କିଛି ଜଳ ରହିବନି। ପଚାଶବର୍ଷ ପରେ ହୀରାକୁଦ ଜଳଭଣ୍ଡାରର ନିଜ ଖର୍ଚ୍ଚ ମଧ୍ୟ ନିଶ୍ଚୟ ବୃଦ୍ଧି ପାଇବ। ସେତେବେଳେ ସରକାର ଯଦି ହୀରାକୁୁଦର ନିଜଖର୍ଚ୍ଚକୁ କମାଇ କିଛି ପାଣି ତଳକୁ ଛାଡ଼ିବେ, ତେବେ ଆଉ ୧୦-୧୫ ବର୍ଷ ପାଇଁ ହୁଏତ ଅବସ୍ଥା ଟଳିଯିବ, କିନ୍ତୁ ହୀରାକୁଦ ଜଳସେଚନ ଯୋଜନା ଦ୍ବାରା ଉପକୃତ ହେଉଥିବା ଚାଷୀମାନେ ଏହା କରାଇ ଦେବେନି, ଏହାକୁ ବିରୋଧ କରିବେ।
ତ୍ରିକୋଣଭୂମି ଅଞ୍ଚଳରେ ଥିବା ଭୂତଳ ଜଳର ପରିମାଣ ନିଶ୍ଚୟ କମିଯିବ, କାରଣ ଯେ କୌଣସି ନଦୀ ବା ଏହାର ଶାଖାମାନଙ୍କରେ କୌଣସି ଜଳପ୍ରବାହ ରହିବନି। ତ୍ରିକୋଣଭୂମି ଅଞ୍ଚଳରେ ବର୍ତ୍ତମାନ ସ୍ଥିତିରେ ରବିଚାଷ ପାଇଁ କମ୍‌ ଜଳ ଖର୍ଚ୍ଚ ହେଉଛି। ଆକଳନ ଅନୁସାରେ ତ୍ରିକୋଣଭୂମି ଅଞ୍ଚଳରେ ସମୁଦାୟ ଜଳ ଖର୍ଚ୍ଚ ୨.୩୦ ନିୟୁୁତ ଏକର ଫୁଟ ହେବା କଥା କିନ୍ତୁ, ଜଳ ଖର୍ଚ୍ଚ ଏହାର ଅଧାଅଧି ହେଉଛି ଓ ବାକି ଜଳ ନଦୀରେ ପ୍ରବାହିତ ହେଉଛି ଯାହାକି ପରିବେଶକୁ ସୁରକ୍ଷା ଯୋଗାଉଛି। ଭବିଷ୍ୟତରେ ଜଳଖର୍ଚ୍ଚ ନିଶ୍ଚୟ ବଢ଼ିବ, କାରଣ ପାନୀୟଜଳର ବ୍ୟବହାର ବଢ଼ିବା ସହିତ ଶିଳ୍ପ ପାଇଁ ଜଳ ବ୍ୟବହାର ମଧ୍ୟ ବଢ଼ିବ। ଜଳସେଚନ କ୍ଷେତ୍ରରେ ବର୍ତ୍ତମାନର ସ୍ଥିତାବସ୍ଥାରେ ପରିବର୍ତ୍ତନ ନକରି ମଧ୍ୟ ୫୦ ବର୍ଷ ପରେ ତ୍ରିକୋଣଭୂମିର ଜଳଚାହିଦା ୧.୫୦ ନିୟୁତ ଏକର ଫୁଟରୁ କମ ହେବନି। ଏବେଠାରୁ ମଧ୍ୟ ସେତେବେଳର ନିଅଣ୍ଟିଆ ସ୍ଥିତିକୁ ତ୍ରିକୋଣଭୂମି ଅଞ୍ଚଳର ଜଣେ ସାଧାରଣ ସଚେତନ ନାଗରିକ ପରଖି ପାରିବ। ଏପରି ଏକ ବିସ୍ଫୋରକ ପରିସ୍ଥିତିକୁ ଏଡ଼ାଇବା ପାଇଁ ସରକାର କ’ଣ ଯୋଜନା କରିଛନ୍ତି ବା କରିବାକୁ ଯାଉଛନ୍ତି ସେକଥା ପ୍ରକାଶ ପାଇନି।
ଆଜିର ଲେଖା କେବଳ ସରକାରଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ବସବାସ କରୁଥିବା ସବୁ ସଚେତନ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ। ସେମାନେ କ’ଣ ଚାହିଁବେ ଯେ ସେମାନଙ୍କର ନାତି, ନାତୁଣୀ, ପଣନାତି ଓ ନାତୁଣୀମାନେ ନିକଟ ଭବିଷ୍ୟତରେ ପାଣି ପାଇଁ ଡହଳବିକଳ ହୁଅନ୍ତୁ? ନିଜ ଅଞ୍ଚଳର ଲୋକପ୍ରତିନିଧିମାନଙ୍କ ଜରିଆରେ ଏପରି ଏକ ଗୁରୁୁତ୍ବପୂର୍ଣ୍ଣ ବିଷୟକୁ ସେମାନେ କ’ଣ ନ ଉଠାଇ ଘରେ ଚୁପ୍‌ଚାପ ରହିପାରିବେ? ସେମାନେ ଭାବିବା ଉଚିତ ଯେ ଭବିଷ୍ୟତର ପିଢ଼ିମାନଙ୍କ ପାଇଁ ସେମାନଙ୍କର ମଧ୍ୟ କିଛି କର୍ତ୍ତବ୍ୟ ରହିଛି।
ବର୍ତ୍ତମାନ ଆଲୋଚନା କରିବା ଯେ ହୀରାକୁଦରୁ ପାଣି ନ ଆସିଲେ ତ୍ରିକୋଣଭୂମିର ଜଳଚାହିଦା ପାଇଁ ବିକଳ୍ପ କ’ଣ? କିଏକିଏ କୁହନ୍ତି ଯେ ଅନେକଗୁଡ଼ିଏ ବ୍ୟାରେଜ ନିର୍ମାଣ କରି କିଛିଜଳ ସଂଚୟ କରିହେବ ତ ଅବସ୍ଥା ସୁଧୁରିବ। ଯଦି କୋଡ଼ିଏଟି ବ୍ୟାରେଜ ନିର୍ମାଣ କରାଯାଏ ଏମାନଙ୍କର ଜଳଧାରଣ କ୍ଷମତା ହୁଏତ ୧୦୦୦ ନିୟୁତ ଘନଫୁଟ ବା ୦.୮୧ ନିୟୁତ ଏକର ଫୁଟ ହେବ। ସ୍ଥାନୀୟ ଅଞ୍ଚଳର ଚାହିଦା ମେଣ୍ଟାଇବା ପରେ ଏହାର ଅଧା ତ୍ରିକୋଣଭୂମି ପାଇଁ ଛାଡ଼ିଲେ ହୁଏତ ନଦୀ ତା’ର ପରିବେଶ ଚାହିଦାକୁ ମେଣ୍ଟାଇ ପାରିବ ଓ ଏହାଯୋଗୁଁ ଭୂତଳ ଜଳର ସୁଲଭତା ବଢ଼ିବ, କିନ୍ତୁ ତ୍ରିକୋଣ ଭୂମିର ଶୋଷ ମେଣ୍ଟାଇ ପାରିବନି। ଭାରତ ସରକାରଙ୍କର ଜାତୀୟ ଜଳବିକାଶ ନିଗମ ସେମାନଙ୍କର ନଦୀ ସଂଯୋଗୀକରଣ ଯୋଜନାରେ ବ୍ରହ୍ମପୁତ୍ରକୁ ମହାନଦୀ ସହିତ ଯୋଡ଼ିବାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଲେଖକ ମତରେ ଏହା ଏକ ଉଦ୍ଭଟ ପରିକଳ୍ପନା ଯାହାର କାର୍ଯ୍ୟକାରିତା ଉପରେ ଘୋର ସନ୍ଦେହ ରହିଛି ଓ ଏପରି ଯୋଜନା ଉପରେ କେହି ନିର୍ଭରଶୀଳ ହୋଇପାରିବେନି।
ଲେଖକ ମତରେ ମହାନଦୀ ଉପରେ ଦ୍ବିତୀୟ ବନ୍ଧ ଓ ଜଳଭଣ୍ଡାର ନିର୍ମାଣ ହିଁ ଏକମାତ୍ର ବିକଳ୍ପ ଯାହାକି ଆଉ ଶହେ ଦେଢ଼ଶହ ବର୍ଷ ପାଇଁ ସବୁ ସମସ୍ୟାର ସମାଧାନ କରି ପାରିବ। ବିସ୍ଥାପନ ସମସ୍ୟା ନିଶ୍ଚୟ ରହିବ। ଯଥେଷ୍ଟ ଅର୍ଥବ୍ୟୟ କରି ସରକାର ଏହାର ସମାଧାନ କରନ୍ତୁ, ଯେପରିକି ଆନ୍ଧ୍ର ସରକାର ‘ପୋଲାଭରମ’ ଯୋଜନାରେ କରୁଛନ୍ତି। ମହାନଦୀ ତ୍ରିକୋଣଭୂମିର ସଚେତନ ନାଗରିକମାନେ ଏ ବିଷୟକୁ ନେଇ ସରକାରଙ୍କ ଉପରେ ଚାପ ପ୍ରୟୋଗ କରନ୍ତୁ ଓ ଭବିଷ୍ୟତ ପିଢ଼ିମାନଙ୍କ ପାଇଁ ବଞ୍ଚିବାର ଅଧିକାରକୁ ସୁନିଶ୍ଚିତ କରାନ୍ତୁ।

Leave A Reply