ମାନବମିତ୍ର ସ୍ବାମୀ ବିବେକାନନ୍ଦ

ସ୍ବାମିଜୀଙ୍କ ବିଚାରଧାରା ଓ ଆଦର୍ଶ ଏହି ପ୍ରକ୍ରିୟାକୁ ସଫଳ କରିପାରିବ

0
119
Pic courtesy : ART + marketing

ବିଜୟପ୍ରସାଦ ମହାନ୍ତି

ଈଶ୍ବରଦର୍ଶୀ ପୂଜ୍ୟ ରାମକୃଷ୍ଣଙ୍କ ଶିଷ୍ୟ ଜଗତଗୁରୁ ସ୍ବାମୀ ବିବେକାନନ୍ଦଙ୍କର ଜନ୍ମ ତିଥି ଜାନୁଆରୀ ୧୨ରେ ଆମ ଦେଶରେ ପ୍ରତିବର୍ଷ ‘ଜାତୀୟ ଯୁବଦିବସ’ ଭାବେ ପାଳିତ ହୋଇ ଆସୁଛି ୧୯୮୫ ମସିହାଠାରୁ। ସ୍ବାମିଜୀ ଥିଲେ ଜଣେ ପୂର୍ଣ୍ଣାଙ୍ଗ ପୁରୁଷ। ମଣିଷଙ୍କ ମଧ୍ୟରେ ‘ଅତି ମାନବ’। ମାନବ ସମାଜର ସେବା, ନୈତିକ ଓ ଆଧ୍ୟାତ୍ମିକ ଉନ୍ନତି ବିଧାନ କାର୍ଯ୍ୟରେ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା। ସ୍ବାମିଜୀଙ୍କ ପ୍ରଣୀତ ‘ବର୍ତ୍ତମାନର ଭାରତ’ ‘ପରିବ୍ରାଜକ’, ‘ଭାବିବାର କଥା’, ‘ପ୍ରାଚ୍ୟ ଓ ପାଶ୍ଚାତ୍ୟ’, ବେଦାନ୍ତ, ଯୋଗ ଇତ୍ୟାଦିର ଅନେକ ପୁସ୍ତକ ବିଶ୍ବବାସୀଙ୍କୁ ପ୍ରେରଣା ଯୋଗାଇଛି। ଜାତିର ପିତା ମହାତ୍ମାଗାନ୍ଧୀ ସ୍ବାମିଜୀଙ୍କ ବହି ପଢ଼ିବାପରେ ତାଙ୍କର ଦେଶପ୍ରେମ ହଜାରେ ଗୁଣ ବଢ଼ିଥିଲାବୋଲି ପ୍ରକାଶ କରିଥିଲେ। ସଂଗ୍ରାମୀ ସୁଭାଷଚନ୍ଦ୍ର ବୋଷ ସ୍ବାମିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶପ୍ରେମୀ ହୋଇଥିଲେ ଓ ତାଙ୍କୁ ଗୁରୁଭାବେ ଗ୍ରହଣ କରିଥିଲେ। ଶ୍ରୀଅରବିନ୍ଦ ତାଙ୍କଠାରୁ ବହୁ ଆଧ୍ୟାତ୍ମିକ ତଥ୍ୟାବଳୀ ପାଇପାରିଥିଲେ। ବିଶ୍ବର ବହୁ ବିଶିଷ୍ଟ ବ୍ୟକ୍ତି ସ୍ବାମିଜୀଙ୍କ ଚିନ୍ତାଧାରା ଦ୍ବାରା ପ୍ରଭାବିତ ହୋଇପାରିଥିଲେ।
ଚିକାଗୋ ଭାଷଣ ସ୍ବାମିଜୀଙ୍କର ବିଶ୍ବବାସୀଙ୍କ ପାଇଁ ଶ୍ରେଷ୍ଠ ଅବଦାନ। ହିନ୍ଦୁଧର୍ମ ସତ୍ୟ ଉପରେ ଆଧାରିତ। ଏହା କାହାକୁ ଆକ୍ରମଣ ବା ରକ୍ତପାତ କରିବାକୁ ଶିକ୍ଷା ଦେଇନି। ସବୁବେଳେ ଶାନ୍ତି, ପ୍ରେମ, ଆଶୀର୍ବାଦ ଓ ସହାନୁଭୂତିର ବାର୍ତ୍ତା ପ୍ରଚାର କରିଥାଏ। ସହନଶୀଳତା ଓ ସମସ୍ତଙ୍କୁ ସାଦରେ ଗ୍ରହଣ କରିବା ହେଉଛି ଏ ଧର୍ମର ଆଧାର। ଏହା ସବୁ ଧର୍ମକୁ ସମ୍ମାନ ଦିଏ। ନିଜନିଜ ଭିତରେ କଳହ ନକରି ପରସ୍ପରକୁ ସାହାଯ୍ୟ କରିବା, ଘୃଣା ପରିବର୍ତ୍ତେ ପ୍ରେମ, ଧ୍ବଂସ ପରିବର୍ତ୍ତେ ଗଠନମୂଳକ କାର୍ଯ୍ୟ, ମତଭେଦ ପରିବର୍ତ୍ତେ ଏକତା ରହିପାରିଲେ ବିଶ୍ବବାସୀ ଶାନ୍ତିରେ ବସବାସ କରିପାରିବେ ବୋଲି ସ୍ବାମିଜୀ ଦୃଢ଼ ମତବ୍ୟକ୍ତ କରିଥିଲେ।
ଅର୍ଥଲୋଲୁପ, ଜଡୋପାସକ, ବିଶୃଙ୍ଖଳିତ, ଦେହାତ୍ମବାଦୀ ବିଶ୍ବକୁ ଧ୍ବଂସ ମୁଖରୁ ରକ୍ଷା କରିବାକୁ ହେଲେ ସ୍ବାମିଜୀଙ୍କ ବେଦାନ୍ତବାଣୀ ଅତ୍ୟନ୍ତ ଆବଶ୍ୟକ। ସମାଜରେ ହିଂସା, ଅଶାନ୍ତି, ଅରାଜକତା, ଅସହିଷ୍ଣୁତା, ପରଶ୍ରୀକାତରତା ଓ ସନ୍ଦେହ ବଢ଼ିବଢ଼ି ଚାଲିଛି ଯାହାଦ୍ବାରା ଅଶାନ୍ତ ବିଶ୍ବରେ ମାନବିକତାର ଅବକ୍ଷୟ ଘଟୁଛି। ଏହି ପରିସ୍ଥିତିରେ ଶାନ୍ତି ଫେରାଇ ଆଣିବାରେ ଯୁବସମାଜର ମୂଖ୍ୟଭୂମିକା ରହିଛି। ସ୍ବାମିଜୀଙ୍କ ଚିନ୍ତାଧାରା ଆଧାରରେ ଏହାର ଅବସାନ ପାଇଁ ଆମେ କାର୍ଯ୍ୟ କରିପାରିଲେ ଏକ ସମୃଦ୍ଧ, ଶାନ୍ତିପ୍ରିୟ ବିଶ୍ବ ଆମେ ଗଢ଼ିପାରିବା।
ଆତ୍ମସମ୍ମାନ, ଆତ୍ମବିଶ୍ବାସ, ଆତ୍ମଦୃଢ଼ତା ଉପରେ ସ୍ବାମିଜୀ ଜୋର ଦେଉଥିଲେ। ସୁନାଗରିକ ହୋଇ ସମାଜ ତଥା ଦେଶର ପ୍ରଗତିରେ ସହାୟକ ହେବା, ଜାତି, ଧର୍ମ, ବର୍ଗଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରି ଶାନ୍ତିରେ ବସବାସ କରିବା ଆଦି ‘ବହୁଜନ ସୁଖାୟ, ବହୁଜନ ହିତାୟ’ ବିଚାରଧାରା ଓ କାର୍ଯ୍ୟକଳାପ ସ୍ବାମିଜୀଙ୍କୁ ଆଜିବି ‘ବିଶ୍ବ ମାର୍ଗଦର୍ଶକ’ ଭାବେ ମାନ୍ୟତା ଦେଇଆସୁଛି ଓ ଆସୁଥିବ ମଧ୍ୟ।
ସ୍ବାମିଜୀ ଯୁବଗୋଷ୍ଠୀଙ୍କୁ ବହୁତ ଭଲପାଉଥିଲେ। ତାଙ୍କର ବିଶ୍ବାସ ଏମାନଙ୍କ ଦ୍ବାରା ଦେଶର ସର୍ବାଙ୍ଗୀଣ ଉନ୍ନତି ସମ୍ଭବ। ତାଙ୍କ ଆଦର୍ଶରେ ଯୁବଗୋଷ୍ଠୀ ଅନୁପ୍ରାଣିତ ହୋଇ ଶ୍ରେଷ୍ଠ, ସୁନ୍ଦର ଓ ମହାନ ଦେଶ ଗଠନ କରିପାରିବେ ବୋଲି ତାଙ୍କ ଜନ୍ମତିଥିକୁ ଦେଶବାସୀ ‘ଯୁବଦିବସ’ ଭାବେ ପାଳନ କରୁଛନ୍ତି। ଏ ବର୍ଷର ଯୁବଦିବସର ବାର୍ତ୍ତା ହେଲା- ‘ଆସନ୍ତୁ ଆମେ ବିଶ୍ବରେ ପରିବର୍ତ୍ତନ ଆଣିବା’ (ଲେଟ ଅସ୍‌ ବ୍ରିଙ୍ଗ୍‌ ଚେ​‌େ​‌ଞ୍ଜ୍‌ସ ଟୁ ଦି ୱାର୍ଲଡ୍‌)।
କୌଣସି ଦେଶର ସଂସ୍କୃତି ସେ ଦେଶର ଶିକ୍ଷା, ଆଚାର-ବିଚାର, ରୀତିନୀତି, ଧର୍ମ, ଚାଲିଚଳଣି ଉପରେ ନିର୍ଭରକରେ। ଯେଉଁ ଦେଶର ସଂସ୍କୃତି ଯେତେ ଉନ୍ନତ ସେ ଦେଶ ସେତେ ସମୃଦ୍ଧ। ଆମ ଦେଶର ମହାନ ସଂସ୍କୃତିକୁ ସମୃଦ୍ଧ କରିବାକୁ ହେଲେ ଯୁବସମାଜକୁ ଅକ୍ଳାନ୍ତ ପ୍ରୟାସ କରିବାକୁ ହେବ। ଆମଦେଶ ବିଶ୍ବକୁ ସବୁବେଳେ ଆଧ୍ୟାତ୍ମିକ ଶିକ୍ଷା ଦେଇ ଆସୁଛି। ଏହି ପ୍ରଥାକୁ ଆଗେଇ ନେବାକୁ ହେବ। ଏଥିପାଇଁ ଆମକୁ ସାହସୀ, ନୀତିବାନ, ଶୃଙ୍ଖଳିତ, ପରିଶ୍ରମୀ ଓ ସୁଶିକ୍ଷିତ ହେବାକୁ ପଡ଼ିବ।

LEAVE A REPLY

Please enter your comment!
Please enter your name here